ଖପ୍ରାଖୋଲ, ୨୮/୦୯ : ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର ଜଣେ ଉଦୀୟମାନ କଳାକାର, ଗାୟିକା ତଥା ଆଲବମ୍ ଅଭିନେତ୍ରୀ ଜସ୍ମିନ ମାଝି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଫଲୋର୍ସ ଏବଂ ପ୍ରଶଂସକ ମହଲରେ ଶୋକ ପ୍ରକାଶ ପାଇଛି। ତେବେ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ, ଜସ୍ମିନ୍ ଏକାଧାରରେ ଜଣେ ବହୁମୁଖୀ କଳାକାର ଥିଲେ। ସେ ସଂକୀର୍ତ୍ତନ ଗାୟିକା ହେବା ସହ ଏକାଧିକ ଆଲବମରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ। ହେଲେ କୌଣସି କାରଣରୁ ଗତ ୨୫ ତାରିଖ ଅପରାହ୍ନରେ ଟାଇଲ୍ ସଫା ପାଇଁ ବ୍ୟବହୃତ ଏସିଡ୍ ପିଇ ଦେଇଥିଲେ। ଫଳରେ ସେ ଗୁରୁତର ହୋଇପଡ଼ି ଥିଲେ ।

Also Read :- ଇତିହାସ ରଚିଲେ ବିରାଟ କୋହଲି, ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ

ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ବୁର୍ଲା ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପୁଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅପରପକ୍ଷେ ଗତ କିଛିଦିନ ତଳେ ଜସ୍ମିନଙ୍କ ପ୍ରେମିକଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା।

ସେହି ଖବର ପାଇବା ପରଠୁ ସେ ମାନସିକସ୍ତରରେ ଭାଙ୍ଗିପଡ଼ି ଏଭଳି ପଦକ୍ଷେପ ନେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡ଼ି ନାହିଁ । ଜସ୍ମିନଙ୍କ ବିୟୋଗରେ ସ୍ଥାନୀୟ କଳାକାର, କଳାପ୍ରେମୀ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।