ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆକାଶଙ୍କୁ ରାଜନୈତିକ ସ୍ତରରେ ଆହୁରି ପରିପକ୍ୱ ହେବାକୁ ପଡ଼ିବ। ସେପର୍ଯ୍ୟନ୍ତ ଦଳରେ ତାଙ୍କୁ କୌଣସି ବଡ଼ ଦାୟିତ୍ୱ ଦିଆଯିବ ନାହିଁ। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଏସପି ଜାତୀୟ ସ୍ତରୀୟ ପଦାଧିକାରୀ ବୈଠକରେ ଉଦବୋଧନ ଦେଇ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳର ଆଗାମୀ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଆକାଶ ଆନନ୍ଦଙ୍କ ଭୂମିକା 
ମାୟାବତୀ ସ୍ପଷ୍ଟ କରିଛନ୍ତି ଯେ, ଆକାଶ ଆନନ୍ଦ ଦଳର ଜାତୀୟ ସଂଯୋଜକ ଭାବରେ କାର୍ଯ୍ୟ ଜାରି ରଖିବେ, କିନ୍ତୁ ବର୍ତ୍ତମାନ କୌଣସି ପ୍ରମୁଖ ନିଷ୍ପତ୍ତି ନେବା କ୍ଷମତା ତାଙ୍କୁ ଦିଆଯିବ ନାହିଁ। ବିଏସପି ସଂସ୍ଥାପକ କାଂଶୀରାମଙ୍କ ଆଦର୍ଶକୁ ଦୋହରାଇ ସେ କହିଛନ୍ତି ଯେ, କାଂଶୀରାମ ପରିବାର ଲୋକଙ୍କୁ ଦଳୀୟ କାର୍ଯ୍ୟରେ ସହଯୋଗ କରିବାକୁ ଅନୁମତି ଦେଉଥିଲେ, କିନ୍ତୁ କ୍ଷମତାକୁ ଆସିବା ପରେ ନିର୍ବାଚନ ଟିକେଟ୍ କିମ୍ବା ବଡ଼ ପଦବୀ ଦେବା ବିରୋଧରେ ଥିଲେ। ବିରୋଧୀ ଦଳଗୁଡ଼ିକର ଷଡ଼ଯନ୍ତ୍ରରୁ ଦଳକୁ ସୁରକ୍ଷିତ ରଖିବା ପାଇଁ ଏହି ନିଷ୍ପତ୍ତି ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।

Also Read: ଭାରତୀୟ ରାଜନୀତିରେ ‘ପୁତରା’ମାନେ କାହିଁକି ରକେଟ୍ ଭଳି ଉଠନ୍ତି ଓ ପଡନ୍ତି? ଅଭିଷେକ ବାନାର୍ଜୀଙ୍କ ଠାରୁ ରାଜ ଠାକରେ...

ନିର୍ବାଚନରେ ଏକାକୀ ଲଢ଼ିବ BSP
କଂଗ୍ରେସକୁ ସମ୍ପୂର୍ଣ୍ଣ ‘ଦଳିତ-ବିରୋଧୀ ଏବଂ ଆମ୍ବେଦକର-ବିରୋଧୀ’ ଆଖ୍ୟା ଦେଇ ମାୟାବତୀ ଘୋଷଣା କରିଛନ୍ତି ଯେ, ବିଏସପି ଦେଶରେ ଆଗାମୀ ସମସ୍ତ ଛୋଟ-ବଡ଼ ନିର୍ବାଚନ ଏକାକୀ  ଲଢ଼ିବ। କୌଣସି ମେଣ୍ଟରେ ଦଳ ସାମିଲ ହେବ ନାହିଁ। ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆମେରିକା ଗସ୍ତ ସମୟର ବକ୍ତବ୍ୟକୁ ନେଇ ମଧ୍ୟ ମାୟାବତୀ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଆରଏସଏସର "କଥା ଓ କାର୍ଯ୍ୟ" ମଧ୍ୟରେ ଆକାଶ-ପାତାଳ ଫରକ ରହିଛି।