ପୁରୀ ୦୩।୧୧ : ନିୟମ କାହା ପାଇଁ ? ପୁଣି ପ୍ରୋଟୋକଲ ରାସ୍ତାରେ ପ୍ରବେଶ କଲେ ଶ୍ରଦ୍ଧାଳୁ । ଖୋଦ୍‌ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ପ୍ରୋଟୋକଲ ରାସ୍ତାରେ ଶ୍ରଦ୍ଧାଳୁମାନଙ୍କୁ ପ୍ରବେଶ କରାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ରବିବାର ରାତିରେ ପ୍ରୋଟୋକଲ ରାସ୍ତାରେ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିବା ଯୋଗୁ ବ୍ୟାରିକେଡ଼କୁ ଭାଙ୍ଗି ଧସେଇ ପଶିଥିଲେ ଶ୍ରଦ୍ଧାଳୁ। ଫଳରେ ଦୁଇଜଣ ମହିଳା ଶ୍ରଦ୍ଧାଳୁ ତଳେ ପଡ଼ି ଆହତ ହୋଇଥିଲେ। ଘଟଣାର ଅନୁଧ୍ୟାନ କରିବା ସହ ଭକ୍ତଙ୍କର ଦର୍ଶନ ବ୍ୟବସ୍ଥାକୁ ଆହୁରି କିଭଳି ସୁଦୃଢ ଓ ଶୃଙ୍ଖଳିତ କରାଯାଇ ପାରିବ ସେନେଇ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ଟିକିନିଖି ଅନୁଧ୍ୟାନ କରିଥିଲେ। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ଅନୁଧ୍ୟାନ କରିଥିଲେ। ତେବେ ପଞ୍ଚୁକ ସମୟରେ ଠାକୁରମାନଙ୍କ ଅନେକ ସ୍ବତନ୍ତ୍ର ନୀତି କାନ୍ତି ଥିବାରୁ ଏହି ସମୟରେ ଶ୍ରଦ୍ଧାଳୁମାନେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରିବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହୁଥିବାରୁ ପ୍ରୋଟୋକଲ ରାସ୍ତାରେ କାହାରିକୁ ଛଡ଼ା ଯିବ ନାହିଁ ବୋଲି କହିଥିଲେ ମୁଖ୍ୟ ପ୍ରଶାସକ। କିନ୍ତୁ ଖୋଦ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ପ୍ରୋଟୋକଲ ରାସ୍ତାରେ ଅନେକ ଶ୍ରଦ୍ଧାଳୁଙ୍କୁ ଛାଡୁଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନିକ ଅଧିକାରୀମାନେ ପାତର ଅନ୍ତର ନକରି ସମସ୍ତଙ୍କୁ ସମାନ ଢଙ୍ଗରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କାର୍ଯ୍ୟ କରନ୍ତୁ ବୋଲି ମତ ରଖିଛନ୍ତି ଶ୍ରଦ୍ଧାଳୁ।