ନୂଆଦିଲ୍ଲୀ ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେକୁ ଦଖଲ କରିବା ପାଇଁ ଭାରତକୁ କୌଣସି ଆକ୍ରମଣ କରିବାକୁ ପଡ଼ିବ ନାହିଁ I ବରଂ ସେଠାକାର ଜନସାଧାରଣ ନିଜେ ମୁକ୍ତି ଚାହୁଁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମରୋକୋ ଗସ୍ତରେ ଥିବା ବେଳେ ସେ ଏହି ବୟାନ ଦେଇଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେ କୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ଏବଂ ଦୃଢ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ, ପିଓକେ କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତକୁ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ପଡ଼ିବ ନାହିଁ। କାରଣ ସେଠାକାର ସ୍ଥାନୀୟ ଜନସାଧାରଣ ବର୍ତ୍ତମାନର ପ୍ରଶାସନଠାରୁ ସ୍ୱାଧୀନତା ପାଇଁ ନିଜେ ଦାବି କରୁଛନ୍ତି। ତେଣୁ ସମୟ ଆସିଲେ ପିଓକେ ଆପେ ଆପେ ଆମର ହୋଇଯିବ ସେଥିରେ କିଛି ସନ୍ଦେହ ନାହିଁ I ମରୋକୋର ରାଜଧାନୀ ରାବାଟରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ଏଭଳି କହିଛନ୍ତି I ପିଓକେରୁ ଏବେଠାରୁ ଏହି ସ୍ଲୋଗାନ୍ ଓ ଦାବି ଆସିବାରେ ଲାଗିଛି। ଦିନେ ସମୟ ଆସିବ ଯେତେବେଳେ ପିଓକେ ନିଜେ କହିବ— 'ମୁଁ ମଧ୍ୟ ଭାରତ ଅଟେ ବୋଲି ସେ ପ୍ରକାଶ କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଶୁଣିଲା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି I ପାଞ୍ଚ ବର୍ଷ ପୂର୍ବେ ଜମ୍ମୁ-କାଶ୍ମୀରରେ ଏକ ସେନା କାର୍ଯ୍ୟକ୍ରମରେ ସେ ଯାହା କହିଥିଲେ, ଆଜି ମଧ୍ୟ ସେହି କଥା ଦୋହରାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଭାରତୀୟ ସେନାର ବଡ କାର୍ଯ୍ୟାନୁଷ୍ଠାନ ଏବଂ 'ଅପରେସନ୍ ସିନ୍ଦୂର' ପରେ ବିରୋଧୀ ଦଳଗୁଡ଼ିକର କିଛି ନେତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଅଭିଯୋଗ କରିଥିଲେ ଯେ ଭାରତ ପାକିସ୍ତାନୀ ଜେଟ୍ ଗୁଡ଼ିକୁ ଖସିବା ପରେ ମଧ୍ୟ ଯୁଦ୍ଧବିରତି ଘୋଷଣା କରି ପିଓକେ ଦଖଲ କରିବାର ସୁଯୋଗ ହାତଛଡ଼ା କରିଦେଇଛି। ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ ଏହି ସ୍ପଷ୍ଟୋକ୍ତି ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ତ୍ତମାନ ଦୁଇ ଦିନିଆ ମରୋକୋ ଗସ୍ତରେ ଅଛନ୍ତି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ମରୋକୋ ଗସ୍ତ। ଏହି ଗସ୍ତ ସମୟରେ ସେ ମରୋକୋର ବେରେଚିଡ୍ ଠାରେ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ର ଅତ୍ୟାଧୁନିକ 'ହ୍ବିଲଡ ଆର୍ମଡ୍ ପ୍ଲାଟଫର୍ମ' ର ନୂତନ ଉତ୍ପାଦନ କାରଖାନାର ଶୁଭାରମ୍ଭ କରିଛନ୍ତି। ଆଫ୍ରିକା ମହାଦେଶରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରତିରକ୍ଷା ଉତ୍ପାଦନ କାରଖାନା।

ଏହି ଗସ୍ତରେ ସେ ମରୋକୋର ପ୍ରତିରକ୍ଷା ପ୍ରତିନିଧି ଅବଦେଲତିଫ୍ ଲୌଦିୟି ଙ୍କୁ ଭେଟି ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପରର ସହଯୋଗ, ପ୍ରଶିକ୍ଷଣ ଏବଂ ଶିଳ୍ପ ସଂଯୋଗକୁ ଆହୁରି ମଜବୁତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।