ଭୁବନେଶ୍ବର: ଦୀର୍ଘ ୨୧ ଦିନ ପରେ ଶେଷରେ ସ୍ଥଗିତ ହୋଇଛି ଶିକ୍ଷକଙ୍କ ଆନ୍ଦୋଳନ। ୨୧ ଦିନ ବର୍ଷା- ଖରାରେ ପଡ଼ି ଲୋୟର ପିଏମଜିରେ ଆନ୍ଦୋଳନରେ ବସିଥିବା ସ୍କୁଲ- କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ହଜାର ହଜାର କର୍ମଚାରୀ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ସଂଘ ପକ୍ଷରୁ ସରକାରଙ୍କୁ ସେମାନଙ୍କ ଦାବି ଶୁଣିବାକୁ ୧୫ ଦିନ ସମୟ ଦିଆଯାଇଛି। ଏହା ପୂର୍ବରୁ ଶନିବାର ଧାରଣାରେ ବସିଥିବା ଶିକ୍ଷକଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ ଆଇନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ। ଅବଶ୍ୟ ଏହି ଆଲୋଚନା ସେତେଟା ଫଳପ୍ରଦ ହୋଇନଥିଲା।

ଶିକ୍ଷକମାନେ ବିଭିନ୍ନ ଦାବି ଯଥା, ଅନୁଦାନରୁ ବଞ୍ଚିତ ୧୯୪ ବିଦ୍ୟାଳୟକୁ ଅନୁଦାନ ବ୍ୟବସ୍ଥା, ଅବସର ପରେ ଚାକିରି ସର୍ତ୍ତାବଳୀ ସହ ପେନସନ୍ ସୁବିଧା, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ, ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ସପ୍ତମ ବେତନରୁ ବାଦ୍ ପଡ଼ିଥିବା ଶିକ୍ଷକଙ୍କୁ ସାମିଲ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ ଆଦି ଦାବିରେ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଥିଲେ।

ଏମିତିରେ ୨୧ ଦିନ ବିତିଯାଇଥିଲେ ବି ସରକାର ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗରେ ଶନିବାର ଗୁରୁଦିବସରେ ଅବସରେ ପୁଣି ରାସ୍ତାରେ ଧାରଣା ଦେଇଥିଲେ। ଅବଶ୍ୟ ରାଜ୍ୟ ସରକାରଙ୍କ ଆଇନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଗାନ୍ଧୀ ମାର୍ଗରେ ଧାରଣାରେ ବସିଥିବା ଶିକ୍ଷକଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ । ସାଙ୍ଗରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମଧ୍ୟ ରହିଥିଲେ। ତେବେ ଧାରଣାରତ ଶିକ୍ଷକଙ୍କୁ ଆଶ୍ୱାସନା ଦେଇଥିଲେ ଉଭୟ ମନ୍ତ୍ରୀ । ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ଶିକ୍ଷକମାନେ ଦୁଇ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Also Read: ଗୁରୁ ଦିବସରେ ଗୁରୁ ଗର୍ଜନ... ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ-ଶିକ୍ଷୟିତ୍ରୀ

ଶିକ୍ଷକଙ୍କ ସମସ୍ୟା ହେଉଛି ଗୋଟିଏ ଲିଗାସୀ ସମସ୍ୟା। ମୋହନ ସରକାର ଏହି ସମସ୍ୟା ସମାଧାନ କରିବାକୁ ନିଷ୍ପତି ନେଇସାରିଛନ୍ତି। ତେଣୁ ଖୁବ୍ ଶୀଘ୍ର ତୁରନ୍ତ ସମାଧାନ ହେବ ବୋଲି ଗାନ୍ଧୀ ମାର୍ଗରେ ଆନ୍ଦୋଳନରତ ଶିକ୍ଷକଙ୍କୁ କହିଛନ୍ତି ଆଇନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ।

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଆଇନ ମନ୍ତ୍ରୀ ବସି ଶିକ୍ଷକଙ୍କ ଦାବି ଉପରେ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଥିବା କଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଥିଲେ। ସେହିପରି ଶିକ୍ଷକଙ୍କ ସମସ୍ୟା ବାବଦରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୮ ଶହ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଶିକ୍ଷକଙ୍କ ସମସ୍ୟା ସମାଧାନ ହେଉ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି। ଗାନ୍ଧୀ ମାର୍ଗରେ ଶିଷ୍ୟମାନେ ଗୁରୁଙ୍କୁ ପୂଜା କରିବା ଘଟଣା ଆଇନ ମନ୍ତ୍ରୀଙ୍କୁ ବ୍ୟଥିତ କରିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।