ନୂଆଦିଲ୍ଲୀ: ରାଜ୍ୟସଭାର ୯୦ ପ୍ରତିଶତରୁ ଅଧିକ ଏପରି ସାଂସଦ ଅଛନ୍ତି, ଯେଉଁମାନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ମାତ୍ର ୪ ଜଣ ସାଂସଦଙ୍କ ପାଖରେ ୨୦ ଲକ୍ଷ ଟଙ୍କାରୁ କମ ମୂଲ୍ୟର ସମ୍ପତ୍ତି ରହିଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ରିପୋର୍ଟରେ ଏହି ତଥ୍ୟ ସାମନାକୁ ଆସିଛି । ଏଡିଆର୍ ରାଜ୍ୟସଭାର ବର୍ତ୍ତମାନ ଥିବା ୨୩୩ରୁ ୨୨୬ ଜଣ ସାଂସଦଙ୍କ ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ରିପୋର୍ଟରେ ୧୪ ଜଣ ସାଂସଦ ବିଲେନିୟର ଥିବା କୁହାଯାଇଛି ।

ଏଡିଆର ରାଜ୍ୟସଭାର ୨୨୬ ସାଂସଦଙ୍କ ସମ୍ପତ୍ତି ଏବଂ ଅପରାଧିକ ମାମଲା ଉପରେ ରିପୋର୍ଟ ପ୍ରସ୍ତୁତ କରିଛି । ଏଥିରେ ନୂଆ ସାଂସଦମାନଙ୍କ ସୂଚନା ମଧ୍ୟ ସାମିଲ ରହିଛି । ରିପୋର୍ଟ ଅନୁଯାୟୀ ୨୨୬ ରାଜ୍ୟସଭା ସାଂସଦଙ୍କ ମୋଟ ସମ୍ପତ୍ତି ୨୬,୦୪୭ କୋଟି ଟଙ୍କା । ସେହିପରି ସାଂସଦମାନଙ୍କ ହାରାହାରି ସମ୍ପତ୍ତି ୧୧୫.୨୫ କୋଟି ଟଙ୍କା ଅଟେ ।

ସାଂସଦଙ୍କ ଅପରାଧର ତଥ୍ୟ

ରାଜ୍ୟସଭାର ୨୨୬ ଜଣଙ୍କ ମଧ୍ୟରୁ ୬୯ ଜଣ ଅର୍ଥାତ୍ ୩୧% ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏଥିମଧ୍ୟରୁ ୩୬ ଜଣ ଅର୍ଥାତ୍ ୧୬% ସାଂସଦଙ୍କ ବିରୋଧରେ ଗମ୍ଭୀର ମାମଲା ରହିଛି । ସଙ୍ଗୀନ ମାମଲାରେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷର ସଜା ବ୍ୟବସ୍ଥା ଥାଏ । ରାଜ୍ୟସଭାର ଜଣେ ସାଂସଦଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ଅଛି । ସେହିପରି ୪ ଜଣ ସାଂସଦ ଏଭଳି ଅଛନ୍ତି, ଯାହାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଛି । ୪ ଜଣ ରାଜ୍ୟସଭା ସାଂସଦଙ୍କ ନାଁରେ ମହିଳାଙ୍କ ବିରୋଧୀ ହିଂସା ସହ ଜଡ଼ିତ ମାମଲା ରୁଜୁ ହୋଇଛି ।

ବିଜେପିର ୧୦୭ ଜଣଙ୍କ ମଧ୍ୟରୁ ୨୮ ଜଣ (୨୬%), କଂଗ୍ରେସର ୨୯ ଜଣଙ୍କ ମଧ୍ୟରୁ ୧୨ ଜଣ (୪୧%), ତୃଣମୂଳର ୯ ଜଣଙ୍କ ମଧ୍ୟରୁ ୨ ଜଣ (୨୨%), ଡିଏମକେର ୮ ଜଣଙ୍କ ମଧ୍ୟରୁ ୨ ଜଣ (୨୫%), ଏସପିର ୪ ଜଣଙ୍କ ମଧ୍ୟରୁ ୨ ଜଣ (୫୦%), ଟିଡିପିର ୪ ଜଣଙ୍କ ମଧ୍ୟରୁ ୩ ଜଣ (୭୫%), ବିଆରଏସ୍ ଏବଂ ସିପିଆଇ(ଏମ)ର ସମସ୍ତ ତିନି ଜଣ, ଆରଜେଡିର ୩ ଜଣଙ୍କ ମଧ୍ୟରୁ ୨ ଜଣ (୬୭%), ଏଆଇଏଡିଏମକେର ୪ ଜଣଙ୍କ ମଧ୍ୟରୁ ୧ ଜଣ (୨୫%), ଏନସିପିର ୪ ଜଣଙ୍କ ମଧ୍ୟରୁ ୧ ଜଣ (୨୫%) ଏବଂ ଆପର ୩ ଜଣଙ୍କ ମଧ୍ୟରୁ ୧ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ ଅଛି ।

ଧନୀ-ଗରିବ ସାଂସଦଙ୍କ ତଥ୍ୟ

ସେପଟେ ରାଜ୍ୟସଭାର ୧୦୦ ଜଣ ସାଂସଦଙ୍କ ପାଖରେ ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଅଛି । ୪୧ ଜଣ ସାଂସଦଙ୍କ ପାଖରେ ୫ରୁ ୧୦ କୋଟିର ସମ୍ପତ୍ତି ଅଛି । ୬୬ ଜଣ ସାଂସଦଙ୍କ ପାଖରେ ୧ରୁ ୫ କୋଟିର ସମ୍ପତ୍ତି ଅଛି । ୧୫ ଜଣ ସାଂସଦଙ୍କ ପାଖରେ ୨୦ ଲକ୍ଷରୁ ୧ କୋଟି ଟଙ୍କାର ସମ୍ପତ୍ତି ଅଛି । ମାତ୍ର ୪ ଜଣ ସାଂସଦଙ୍କ ପାଖରେ ୨୦ ଲକ୍ଷରୁ କମ ସମ୍ପତ୍ତି ରହିଛି ।

୨୨୬ ଜଣଙ୍କ ମଧ୍ୟରୁ ୩୧ ଜଣ ଅର୍ଥାତ୍ ୧୪% ସାଂସଦ ବିଲେନିୟର ଅଛନ୍ତି । ବିଜେପିର ୭, କଂଗ୍ରେସର ୬, ୱାଇଏସଆରସିପିର ୨, ଟିଡିପିର ୨, ବିଆରଏସର ୨ ଏବଂ ଏନସିପିର ୨ ଜଣ ସାଂସଦ ବିଲେନିୟର । ଏମାନଙ୍କ ପାଖରେ ୧୦୦ କୋଟିରୁ ଅଧିକ ସମ୍ପତ୍ତି ରହିଛି ।

ଏଡିଆର୍ ଅନୁଯାୟୀ, ତେଲଙ୍ଗାନାରୁ ବିଆରଏସ୍ ସାଂସଦ ପାର୍ଥ ସାରଥୀ ସବୁଠାରୁ ଧନୀ ସାଂସଦ । ତାଙ୍କ ପାଖରେ ୫,୩୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଅଛି । ଦ୍ୱିତୀୟ ସ୍ଥାନରେ ପଞ୍ଜାବରୁ ବିଜେପି ସାଂସଦ ରାଜିନ୍ଦର ଗୁପ୍ତା ଅଛନ୍ତି, ଯାହାଙ୍କ ପାଖରେ ୫,୦୫୩ କୋଟି ଟଙ୍କାର ସମ୍ପତ୍ତି ରହିଛି । ତୃତୀୟ ସ୍ଥାନରେ କଂଗ୍ରେସର ଅଭିଷେକ ମନୁ ସିଙ୍ଘଭୀ ଅଛନ୍ତି ଏବଂ ତାଙ୍କ ସମ୍ପତ୍ତି ୨,୫୫୮ କୋଟି ଟଙ୍କା । ଅଭିଷେକ ମନୁ ସିଙ୍ଘଭୀ ମଧ୍ୟ ତେଲଙ୍ଗାନାରୁ ସାଂସଦ ଅଛନ୍ତି । ସେହିପରି, ପଞ୍ଜାବରୁ ଆପ୍ ସାଂସଦ ସନ୍ଥ ବଲବୀର ସିଂହଙ୍କ ପାଖରେ ସବୁଠାରୁ କମ୍ ସମ୍ପତ୍ତି ଅଛି । ତାଙ୍କ ପାଖରେ ମାତ୍ର ୩.୭୯ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସିପିଆଇ(ଏମ)ର ଏ.ଏ.ରହିମଙ୍କ ପାଖରେ ୧୧.୬୨ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି ।