ନୂଆଦିଲ୍ଲୀ: ତାମିଲନାଡୁର ମନ୍ତ୍ରୀ ଏବଂ ଟିଭିକେ ନେତା ଆଧବ ଅର୍ଜୁନ ଏବଂ ପତ୍ନୀ ଡେଜି ମାର୍ଟିନ ଦୀର୍ଘ ୧୪ ବର୍ଷର ଦାମ୍ପତ୍ୟ ଜୀବନ ପରେ ପରଷ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଡେଜି ମାର୍ଟିନ ସୋମବାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ବିବାହ ବିଚ୍ଛେଦ ନେଇ ସୂଚନା ଦେଇଛନ୍ତି। ବିବାହ ବିଚ୍ଛେଦ ନେଇ ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଡେଜି ମାର୍ଟିନ ନିଜ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ।

ଡେଜି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଗତ ୧୪ ବର୍ଷ ଧରି ସେମାନେ ବନ୍ଧୁ, ଜୀବନସାଥୀ ଏବଂ ପିତାମାତା ଭାବେ ଅନେକ ସୁନ୍ଦର ମୁହୂର୍ତ୍ତ ଅତିବାହିତ କରିଛନ୍ତି। ଏହି ଯାତ୍ରା ଭଲପାଇବା, ବୁଝାମଣା ଏବଂ ପରିବର୍ତ୍ତନରେ ଭରପୂର ଥିଲା। ତେବେ ବର୍ତ୍ତମାନ ସମୟରେ ଉଭୟ ଅଲଗା ହୋଇ ନିଜ ନିଜର ଭିନ୍ନ ପଥ ବାଛିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ସନ୍ତାନର ଭବିଷ୍ୟତକୁ ନେଇ ଡେଜି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସେ କହିଛନ୍ତି ଯେ, ଏହି ପରିବର୍ତ୍ତନ ସେମାନଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରୁଥିଲେ ମଧ୍ୟ, ଉଭୟ ମିଳିମିଶି ନିଜ ସନ୍ତାନର ଲାଳନପାଳନ କରିବେ । 

ଡେଜି ଲେଖିଛନ୍ତି ଯେ, ଆଧବ ଅର୍ଜୁନଙ୍କ ପ୍ରତି ତାଙ୍କର ସର୍ବଦା ସମ୍ମାନ ରହିବ ।  ସେ ଭବିଷ୍ୟତରେ ଯାହା ବି କରିବେ, ସେଥିରେ ତାଙ୍କର ଖୁସି, ଶାନ୍ତି ଓ ସଫଳତା କାମନା କରିଛନ୍ତି ଡେଜି। ଜୀବନର ଏହି କଠିନ ପରିବର୍ତ୍ତନ ସମୟରେ ସମସ୍ତେ ସେମାନଙ୍କୁ ବୁଝିବେ ଏବଂ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବେ ବୋଲି ଡେଜି ମାର୍ଟିନ ଅନୁରୋଧ କରିଛନ୍ତି।

​​​​​​​

ସୂଚନାଯୋଗ୍ୟ ଯେ, ଆଧବ ଅର୍ଜୁନ ପୂର୍ବରୁ ବିଦୁଥାଲାଇ ଚିରୁଥାଇଗଲ୍ କାଚି ଦଳରେ ଥିଲେ । ପରେ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ TVK ଦଳରେ ଯୋଗ ଦେଇଥିଲେ। ଅନ୍ୟପଟେ ତାଙ୍କ ପତ୍ନୀ ଡେଜି ମାର୍ଟିନ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚିତ।  ସେ ପ୍ରସିଦ୍ଧ ଲଟେରୀ ବ୍ୟବସାୟୀ ସାଣ୍ଟିଆଗୋ ମାର୍ଟିନଙ୍କ ଝିଅ ।