ମୁମ୍ବାଇ: ‘ଅପୋଲେନା - ସପନୋ କି ଉଁଚି ଉଡ଼ାନ୍’, ‘ରବ୍ ସେ ହୈ ଦୁଆ’ ଏବଂ ‘କଲୀରେଁ’ ପରି ଲୋକପ୍ରିୟ ଟେଲିଭିଜନ ଧାରାବାହିକର ଅଭିନେତ୍ରୀ ଅଦିତି ଶର୍ମା ନିଜ ସ୍ୱାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ଜୁଲାଇ ୩୧ ତାରିଖରେ ମୁମ୍ବାଇର ଗୋରେଗାଁଓ ପୋଲିସ ଷ୍ଟେସନରେ ଅଦିତିଙ୍କ ସ୍ୱାମୀ ଅଭିନୀତ ବିଦ୍ୟାନନ୍ଦ କୌଶିକ, ଶାଶୂ ଉର୍ମିଳା କୌଶିକ (୬୫) ଏବଂ ନଣନ୍ଦ କୀର୍ତ୍ତି କୌଶିକ (୨୯)ଙ୍କ ବିରୋଧରେ ଏକ ଏଫ୍‌ଆଇଆର୍ (FIR) ରୁଜୁ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ନିକଟରେ ଦେଇଥିବା ବୟାନରେ ଅଦିତି ତାଙ୍କ ସ୍ୱାମୀ, ଶାଶୂ ଓ ନଣନ୍ଦଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା, ମାଡ଼ପିଟ, ଗାଳିଗୁଲଜ, ଚରିତ୍ର ସଂହାର ଏବଂ ତାଙ୍କ ଗହଣା ହଡ଼ପ କରିବାର ଗୁରୁତର ଅଭିଯୋଗ ଆଣିଛନ୍ତି। ଜୁନ୍ ୨୦୨୧ରେ ଗୋଟିଏ ଅନଲାଇନ୍ ଆକ୍ଟିଂ କ୍ଲାସ୍ ସମୟରେ ଅଦିତି ଏବଂ ଅଭିନୀତଙ୍କର ପ୍ରଥମ ପରିଚୟ ହୋଇଥିଲା, ଯାହା ପରେ ପ୍ରେମରେ ପରିଣତ ହୋଇଥିଲା। ସେପ୍ଟେମ୍ବର ୨୦୨୪ରୁ ଗୋରେଗାଁଓ ୱେଷ୍ଟର ଗୋଟିଏ ଆପାର୍ଟମେଣ୍ଟରେ ଲିଭ୍-ଇନ୍‌ରେ ରହିବା ପରେ, ଉଭୟ ପରିବାରର ସମ୍ମତିକ୍ରମେ ନଭେମ୍ବର ୧୨, ୨୦୨୪ରେ ସେମାନେ ବିବାହ କରିଥିଲେ।

ଅଦିତିଙ୍କ ଅଭିଯୋଗ ଅନୁଯାୟୀ, ବିବାହର ମାତ୍ର କିଛି ଦିନ ମଧ୍ୟରେ ତାଙ୍କ ସ୍ୱାମୀଙ୍କ ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପୋଷାକପତ୍ର ଓ ଛୋଟ କଥାକୁ ନେଇ କଳହ ଆରମ୍ଭ ହୋଇଥିଲା। ସ୍ୱାମୀ ଘର ଖର୍ଚ୍ଚରେ ସହଯୋଗ କରିବା ବଦଳରେ ଓଲଟି ଅଦିତିଙ୍କଠାରୁ ନିୟମିତ ଟଙ୍କା ନେଉଥିଲେ। ଜାନୁଆରୀ ୧, ୨୦୨୫ରେ କଫିକୁ ନେଇ ହୋଇଥିବା ଗୋଟିଏ ସାମାନ୍ୟ ଯୁକ୍ତିତର୍କ ପରେ ସ୍ୱାମୀ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଚରିତ୍ର ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ। ସ୍ୱାମୀ ତାଙ୍କ ଫୋନ୍ ଯାଞ୍ଚ କରୁଥିଲେ, ଅଲଗା ଘରେ ଶୋଉଥିଲେ ଏବଂ ଅଦିତିଙ୍କୁ ତାଙ୍କ ବାପାମାଆଙ୍କ ସହ କଥା ହେବାକୁ ମଧ୍ୟ ବାରଣ କରୁଥିଲେ।

ଅଦିତିଙ୍କ ଅଭିଯୋଗ ଅନୁସାରେ, ତାଙ୍କ ବିବାହ ସମୟର ସମସ୍ତ ସୁନା ଚେନ୍, ମୁଦି, ମଙ୍ଗଳସୂତ୍ର ଓ ଚୁଡ଼ି ଆଦି ଶାଶୂ ନିଜ ପାଖରେ ରଖିଛନ୍ତି। ବାରମ୍ବାର ମାଗିବା ସତ୍ତ୍ୱେ ସେହି ଗହଣା ଫେରସ୍ତ କରାଯାଇ ନାହିଁ। ଏହି ପାରିବାରିକ ବିବାଦ ସମାଧାନ କରିବା ପରିବର୍ତ୍ତେ ନଣନ୍ଦ ଓ ଶାଶୂ, ସ୍ୱାମୀଙ୍କ ସାଥ୍ ଦେଇ ତାଙ୍କୁ ଅଧିକ ନିର୍ଯାତନା ଦେଉଥିଲେ। ଗୋରେଗାଁଓ ପୋଲିସ ଏଫଆଇଆର୍ ରୁଜୁ କରି ଘଟଣାର ଛାନଭିନ୍ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।