ନୂଆଦିଲ୍ଲୀ, ୨୦/୦୨ : ଚର୍ଚ୍ଚାରେ ଅଭିଷେକ ଶର୍ମା । ଚାଲୁନି ବ୍ୟାଟ୍ । ଏବେସୁଦ୍ଧା ଟି୨୦ ବିଶ୍ୱକପରେ ଗୋଟିଏ ହେଲେ ରନ୍ କରି ନାହାଁନ୍ତି ଭାରତୀୟ ଦଳର ଟପ୍ ଓପନର ଅଭିଷେକ । ଆମେରିକା ଏବଂ ନେଦରଲ୍ୟାଣ୍ଡସ ଭଳି ଦୁର୍ବଳ ଟିମ୍ ବିରୋଧରେ ସହଜରେ ହେଉଛନ୍ତି ଆଉଟ୍ । ପାକିସ୍ତାନ ବିପକ୍ଷ ମୁକାବିଲାରେ ସେ ଖାତା ଖୋଲି ପାରିନଥିଲେ । ପାକ୍ ସ୍ପିନରଙ୍କ ଜାଲରେ ସହଜରେ ଫସିଯାଇଥିଲେ ଶର୍ମା । ଏବେ ତାଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନର ପୂର୍ବତନ ବୋଲର ମହମ୍ମଦ ଅମିର୍ ।

ନିକଟରେ ଏକ ଟିଭି କାର୍ଯ୍ୟକ୍ରମରେ ଅଭିଷେକଙ୍କ ବ୍ୟାଟିଂ ଷ୍ଟାଇଲକୁ ପସନ୍ଦ କରିନଥିଲେ ଅମିର୍ । ତାଙ୍କୁ ସ୍ଲଗର୍ ବୋଲି କହିଥିଲେ । ଅର୍ଥାତ ସେ ସବୁଦିନ ଭଲ ଖେଳିପାରିବେ ନାହିଁ । ଯେଉଁଦିନ ବ୍ୟାଟ୍ ଚାଲିବ ସେ ସେଦିନ ହିଁ ରନ୍ କରିବେ ବୋଲି ଅମିର କହିଥିଲେ ।

ଏହି ଖବରଟି ପଢନ୍ତୁ... ଆମେରିକାକୁ ବାୟୁସେନା ଘାଟି ବ୍ୟବହାର ପାଇଁ ଦେବନି ଇଂଲଣ୍ଡ : ଇରାନ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ବଡ ଝଟକା

ଏବେ ପାକ୍ ପୂର୍ବତନ ବୋଲର କହିଛନ୍ତି ଯେ, ସାଏମ୍ ଆୟୁବ ପୂର୍ବରୁ ସମାନ ପରିସ୍ଥିତିର ସାମ୍ନା କରିଥିଲେ । ବଡ ସଟ୍ ଖେଳିବେ ଆଶାରେ ଓ୍ୱିକେଟ୍ ଫିଙ୍ଗି ଦେଉଥିଲେ । ପ୍ରଥମେ ତାଙ୍କୁ ବୋଲର ଲେଗ୍ ସାଇଡରେ ବୋଲିଂ କରୁଥିଲେ । ସେ ଛକା ଚଉକା ମାରୁଥିଲେ । ପରେ ଅଫ୍ ସାଇଡରେ ବୋଲିଂ କରିଥିଲେ ବୋଲର । ସହଜରେ ଆଉଟ୍ ହୋଇଯାଉଥିଲେ ଆୟୁବ । ଅଭିଷେକଙ୍କ ସହ ମଧ୍ୟ କିଛି ଏମିତି ହେଉଛି ।

ଅଭିଷେକ ସମସ୍ତ ବଲକୁ ଛକା-ଚଉକା ମାରିବାକୁ ଚାହୁଁଛନ୍ତି । ଯାହା ସବୁଠୁ ବଡ ଭୁଲ୍ । ଟି୨୦ କିମ୍ବା ଦିନିକିଆରେ ସବୁ ବଲ୍ ଜୋନରେ ଆସିନଥାଏ । କିଛି ସ୍ୱିମ୍ ବା ସିମ୍ ହୋଇଥାଏ । ଯାହାର ଫାଇଦା ନେଇଥିଲେ ସଲମାନ୍ ଆଗା ଏବଂ ଆରୟନ୍ ଦତ୍ତ । ଏବେବି ସମୟ ଅଛି । ସେ ନିଜର ତ୍ରୁଟି ସୁଧାରିପାରିବେ ବୋଲି ଅମିର କହିଛନ୍ତି । ଯଦି ଏପରି ନହୁଏ ତାହାଲେ ତାଙ୍କ କ୍ରିକେଟ କ୍ୟାରିଅର ଆଗକୁ ବଡିପାରିବ ନାହିଁ ବୋଲି ପାକିସ୍ତାନୀ ଟିଭିର ଏକ କାର୍ଯ୍ୟକ୍ରମରେ ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ବିଶ୍ୱର ନମ୍ବର ଓ୍ୱାନ୍ ଟି୨୦ ବ୍ୟାଟର ହେଲେ ଅଊିଷେକ ଶର୍ମା । ୨୦୨୬ କିନ୍ତୁ ତାଙ୍କ ପାଇଁ ଏବେସୁଦ୍ଧା ଖରାପ ରହିଛି । ବର୍ଷ ଆରମ୍ଭରୁ ଏବେସୁଦ୍ଧା ସେ ୫ ଥର ଗୋଲଡେନ୍ ଡକରେ ପ୍ୟାଭିଲିୟନ ଫେରିଛନ୍ତି । ଏବେ ଟି୨୦ ବିଶ୍ୱକପର ସୁପର ୮ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ହେଉଛି । ହେଲେ ଅଭିଷେକଙ୍କ ଫର୍ମ ଦଳକୁ ଟେନସନେ ଦେଲାଣି ।