ମୁମ୍ୱାଇ ୨୫।୦୭; ବଲିଉଡର ଜଣାଶୁଣା ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ପୁଣି ଥରେ ଚର୍ଚ୍ଚାରେ। ଏଥର ସେ ପପୁଲାର ସିଙ୍ଗର ନେହା କକ୍କରଙ୍କୁ ନେଇ ନିଜର ପୁରୁଣା କମେଣ୍ଟକୁ ଦୋହରାଇଛନ୍ତି। ଗୋଟିଏ ଶୋ' ପାଇଁ ୧ କୋଟି ଟଙ୍କା ଫି ନେବାର ଦାବି ଏବଂ ବିବାହ ଉତ୍ସବରେ ଗୀତ ଗାଇବାକୁ ନେଇ ଅଭିଜିତ୍ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କାହାରି ନାଁ ନନେଇ ସେ କହିଛନ୍ତି " ନିଜର ଦାମ୍ ନିଜେ ପ୍ରଚାର କରିବା କେବଳ ମାର୍କେଟିଂ ଡ୍ରାମା।"

ବଲିଉଡ୍ ସିଙ୍ଗର ନେହା କକ୍କର ଏବଂ ଲୋକପ୍ରିୟ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ମଧ୍ୟରେ ଥିବା ପୁରୁଣା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି। ପ୍ରାୟ ଦୁଇ ବର୍ଷ ତଳେ 'ସୁପରଷ୍ଟାର ସିଙ୍ଗର ୩' ଶୋ’ରେ ବିବାହ ଉତ୍ସବରେ ଗୀତ ଗାଇବାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଥିଲା। ଏବେ ଏକ ପୋଡକାଷ୍ଟରେ ଅଭିଜିତ୍ ପୁଣି ଥରେ ନେହାଙ୍କ ୧ କୋଟି ଟଙ୍କାର ଫିକୁ ନେଇ ସ୍ୱର ଉଠାଇଛନ୍ତି। କହିଛନ୍ତି - ମୁଁ ନାଁ ନେଇ କାହାକୁ ପବ୍ଲିସିଟି ଦେବାକୁ ଚାହେଁ ନାହିଁ। ସେ ଜଣେ ଭଲ ସିଙ୍ଗର, କିନ୍ତୁ ଏବେ ସେ କେଉଁଠି ଅଛନ୍ତି ? ' ମୁଁ ୧ କୋଟି ଟଙ୍କା ଚାର୍ଜ କରେ' ବୋଲି କହିବା ଅର୍ଥ ନିଜର ମାର୍କେଟ୍ କରିବାର ଗୋଟିଏ ଉପାୟ। ମୁଁ ନିଜେ କେବେ କହିପାରିବି ନାହିଁ ଯେ, ମୁଁ ୫ କୋଟି କି ୫୦ ଲକ୍ଷ ଟଙ୍କା ନିଏ। ମୁଁ ସେମିତି କାମ କରେ ନାହିଁ।

ଅଭିଜିତଙ୍କ କହିବା କଥା ହେଉଛି, ନେହାଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ବଡ଼ ସଫଳତା ମିଳିଗଲା। କିନ୍ତୁ ଅଚାନକ ମିଳି ଥିବା ଫେମ୍କୁ ସମ୍ଭାଳିବା ଏତେ ସହଜ ନୁହେଁ। ଆଜିକାଲିର ନୂଆ ସିଙ୍ଗରମାନେ ଗୋଟିଏ-ଦୁଇଟି ହିଟ୍ ଗୀତ ପରେ ବଡ଼ ବଡ଼ ଦାବି କରୁଛନ୍ତି। ଟିମ୍ ଏବଂ ପରିବାର ଲୋକଙ୍କ ଅହେତୁକ ଦାବି ଯୋଗୁଁ ଆୟୋଜକମାନଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପଡ଼ୁଛି। ଏହି କ୍ଷେତ୍ରରେ ସେ ଶ୍ରେୟା ଘୋଷାଲଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ନୂଆ କଳାକାରମାନେ ଶ୍ରେୟାଙ୍କ ଠାରୁ ଶିଖିବା ଉଚିତ୍। ସେହିପରି ବାହାଘରରେ ଗୀତ ଗାଇବା ପ୍ରସଙ୍ଗରେ ଅଭିଜିତ୍ ସ୍ପଷ୍ଟ କରିଛନ୍ତି ଯେ, ସେ କେବେ ବିବାହ ଉତ୍ସବରେ ପରଫର୍ମ କରନ୍ତି ନାହିଁ। ଯଦି ଲୋକେ ତାଙ୍କୁ ଶୁଣିବାକୁ ଚାହାନ୍ତି, ତେବେ ତାଙ୍କ ଲାଇଭ୍ କନସର୍ଟକୁ ଆସିବା ଉଚିତ୍। କଳାକାରଙ୍କ ଫି, ମାର୍କେଟିଂ ଏବଂ ଷ୍ଟେଜ୍ ପରଫର୍ମାନ୍ସକୁ ନେଇ ବଲିଉଡ୍ର ଏହି ଦୁଇ ଜଣାଶୁଣା ଗାୟକଙ୍କ ମଧ୍ୟରେ ମତଭେଦ ଜାରି ରହିଛି।