ନୂଆଦିଲ୍ଲୀ ୧୦।୦୯; ମାସିକ ଦରମା ମାତ୍ର ୨୫ ହଜାର ଟଙ୍କାରୁ ବଢ଼ି ୧ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଲା। ଶୁଣିବାକୁ ଲାଗୁଛି, ଜୀବନ ବଦଳିଯାଇଥିବ। ହେଲେ ବାସ୍ତବତା ଏମିତି ଯେ, ମାସ ଶେଷରେ ହାତରେ ରହୁଛି ମାତ୍ର ୫ରୁ ୮ ହଜାର ଟଙ୍କା! ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ଜଣେ ୨୮ ବର୍ଷୀୟ ଯୁବକଙ୍କ ବାସ୍ତବ ଅନୁଭୂତି। ଭାଇରାଲ ହୋଇଥିବା ଏକ Reddit ପୋଷ୍ଟ ପରେ ଏବେ ଚର୍ଚ୍ଚାରେ ‘ଅଧିକ ଦରମା, କମ୍ ସଞ୍ଚୟ’ର ଏହି ନୂଆ ଚିତ୍ର।

ଯୁବକ ଜଣକ ନିଜ ଦୁଃଖ ବଖାଣି କହିଛନ୍ତି ଦରମା ବଢ଼ୁଛି, କିନ୍ତୁ ସେହି ଅନୁପାତରେ ବଢ଼ୁନାହିଁ ସଞ୍ଚୟ। ଆୟ ବଢ଼ିବା ସହିତ ବଢ଼ୁଛି ଜୀବନଯାପନର ଖର୍ଚ୍ଚ। ଅଧିକ ଭଡ଼ା, ପରିବାରର ଦାୟିତ୍ୱ, ଦୈନନ୍ଦିନ ଖର୍ଚ୍ଚ ସାଙ୍ଗକୁ ମ୍ୟୁଚୁଆଲ୍ ଫଣ୍ଡ SIP। ଏହାରି ଭିତରେ ହଠାତ୍ ଆସିଯାଉଥିବା ମେଡିକାଲ୍ ବିଲ୍ କିମ୍ବା ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ମାସର ଶେଷ ହିସାବକୁ ପୂରା ବିଗାଡ଼ି ଦେଉଛି।ଅର୍ଥାତ୍ ଦରମା ବଢ଼ିଲେ ବଢ଼ୁଛି ଖର୍ଚ୍ଚର ଷ୍ଟାଣ୍ଡାର୍ଡ। ଯେଉଁ ଜୀବନଶୈଳୀ କେବେ ଦୂରର ସ୍ୱପ୍ନ ଥିଲା, ଅଧିକ ଦରମା ମିଳିବା ପରେ ସେହି ଜୀବନଶୈଳୀ ହିଁ ପାଲଟିଯାଉଛି ଆବଶ୍ୟକତା। ଆର୍ଥିକ ବିଶେଷଜ୍ଞମାନେ ଯାହାକୁ କହନ୍ତି ‘ଲାଇଫ୍ଷ୍ଟାଇଲ୍ ଇନଫ୍ଲେସନ୍’।

ଏହି ଅନୁଭୂତି Redditରେ ସେୟାର ହେବା ପରେ ଆରମ୍ଭ ହୋଇଥିଲା ଜୋରଦାର ଚର୍ଚ୍ଚା। କିଏ କହିଲେ, ଛୋଟ ଛୋଟ ଖର୍ଚ୍ଚକୁ ଅଣଦେଖା କରିବା ହିଁ ବଡ଼ ଭୁଲ। ବାହାରେ ଖାଇବା, ଅନାବଶ୍ୟକ କିଣାକିଣି ଓ ଦୈନନ୍ଦିନ ଛୋଟ ଖର୍ଚ୍ଚ ମିଶି ମାସ ଶେଷରେ ବଡ଼ ରାଶି ହୋଇଯାଏ। ଆଉ କିଛି ବ୍ୟବହାରକାରୀଙ୍କ ପରାମର୍ଶ—ଦରମା ହଠାତ୍ ବଢ଼ିଲେ ଜୀବନଶୈଳୀକୁ ସଙ୍ଗେ ସଙ୍ଗେ ଅପଗ୍ରେଡ୍ ନକରି, କିଛି ସମୟ ପୁରୁଣା ଆୟ ଅନୁସାରେ ହିଁ ଜୀବନ ବିତାନ୍ତୁ। ଅତିରିକ୍ତ ଟଙ୍କାକୁ ସଞ୍ଚୟ ଓ ନିବେଶରେ ଲଗାନ୍ତୁ।

ତେବେ ଏଠାରେ ଆଉ ଏକ କଥା ଉପରେ ଚର୍ଚ୍ଚା ହୋଇଛି—SIPକୁ ଖର୍ଚ୍ଚ ଭାବେ ଦେଖିବା ଠିକ୍ କି? ଅନେକଙ୍କ ମତରେ, SIP ହେଉଛି ଭବିଷ୍ୟତ ପାଇଁ ନିବେଶ, ତେଣୁ ଏହାକୁ ଅନାବଶ୍ୟକ ଖର୍ଚ୍ଚ ସହ ସମାନ କରିବା ଠିକ୍ ନୁହେଁ।ତେବେ ପ୍ରଶ୍ନ ହେଉଛି ଦରମା ବଢ଼ିଲେ ଆମ ଜୀବନ କାହିଁକି ସହଜ ହେଉନାହିଁ? ଆୟ ବଢ଼ିବା ସହ ଯଦି ଖର୍ଚ୍ଚ ମଧ୍ୟ ସେହି ଗତିରେ ବଢ଼ିଯାଏ, ତେବେ ବଡ଼ ଦରମା ମଧ୍ୟ ଛୋଟ ସଞ୍ଚୟରେ ପରିଣତ ହୋଇପାରେ। ତେଣୁ ଅଧିକ ରୋଜଗାର ସହିତ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଏବଂ ସଠିକ୍ ଆର୍ଥିକ ଯୋଜନା ହିଁ ହୋଇପାରେ ପ୍ରକୃତ ଆର୍ଥିକ ସ୍ୱାଧୀନତାର ଚାବି।