ନୂଆଦିଲ୍ଲୀ, ୧୦/୦୯ : ମୋବାଇଲ୍ ଆପ୍ ଜରିଆରେ ଚାଲିଥିଲା ବଡ ଧରଣର ଠକେଇ । ନିବେଶ ନାଁରେ ଲୁଟୁଥିଲେ ସ୍କାମର୍ । କୋଟି କୋଟି ଟଙ୍କା ଚଳୁ କରି ନେଇଥିଲେ । ଯାହାର ପର୍ଦ୍ଦାଫାସ କରିଛି ଗୁଜୁରାଟର ଅମରେଲି ସାଇବର ପୋଲିସ । ଘଟଣାରେ ୬ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ସାଇବର୍ ପୋଲିସର କହିବାନୁସାରେ, ସାରା ଦେଶରେ ୧୫ରୁ ୨୫ ଲକ୍ଷ ଲୋକଙ୍କୁ ଟାର୍ଗେଟ୍ କରାଯାଇଛି । ସ୍କାମର୍ ମାନେ ଅପନା ପେ ଏବଂ ଏସଡି ପେ ଆପରେ ଟଙ୍କା ନେଣଦେଣ କରୁଥିଲେ । ଏହି ଆପ୍ ଜରିଆରେ ଦୈନିକ ରୋଜଗାର ଏବଂ ୩୦ ପ୍ରତିଶତ ରେଫରାଲ୍ ବୋନସର ଲୋଭ ଦେଖାଇ ନିବେଶକଙ୍କୁ ପ୍ରଲୋଭିତ କରୁଥିଲେ । କୋଟିଏ କି ଦୁଇ କୋଟି ନୁହେଁ ପ୍ରାୟ ୬୩୪ କୋଟି ଟଙ୍କାର ନେଣଦେଣ ହୋଇଛି ।

ତଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ, ଯେଉଁ ନିବେଶକମାନେ ୧୦୦୦ରୁ ୨୫୦୦୦ ଟଙ୍କା ନିବେଶ କରୁଥିଲେ ସେମାନଙ୍କୁ ଦୈନିକ ୦.୧୫ ପ୍ରତିଶତ ରିଟର୍ଣ୍ଣ ମିଳିବ ବୋଲି ସ୍କାମରମାନେ କହୁଥିଲେ । ୨୫ ହଜାରରୁ ଲକ୍ଷେ ଟଙ୍କା ନିବେଶ କଲେ ୦.୨୦ ପ୍ରତିଶତ ରିଟର୍ଣ୍ଣର ଲୋଭ ଦେଖାଯାଉଥିଲା । ସେହିପରି ଲକ୍ଷେରୁ ୫ ଲକ୍ଷ ଟଙ୍କା ନିବେଶ ଉପରେ ଦୈନିକ ୦.୨୫ ରିଟର୍ଣ୍ଣ ଏବଂ ୫ ଲକ୍ଷରୁ ଅଧିକ ହେଲେ ୦.୩୦ ପ୍ରତିଶତ ରିଟର୍ଣ୍ଣ ମିଳିବ ବୋଲି ନିବେଶକଙ୍କୁ କୁହାଯାଉଥିଲା ।

ତଦନ୍ତକାରୀ ଅଧିକାରୀ ଆହୁରି ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ଠକମାନେ କିପରି ପ୍ରମାଣ ନଷ୍ଟ କରିପାରିବେ ସେନେଇ ଅନେକ ପ୍ରୟାସ କରୁଥିଲେ । କିଛି ଭୂତ କମ୍ପାନୀ ଏବଂ ଦୋକାନ ନାଁରେ ଟ୍ରାଞ୍ଜାକ୍ସନ କରୁଥିଲେ । ୧୫ଟି କର୍ପୋରେଟ୍ ଆକାଉଣ୍ଟକୁ ଟଙ୍କା ପଠାଯାଉଥିଲା । ଅଭିଯୁକ୍ତଙ୍କ ସହ ଜଡିତ ୩୦ରୁ ୩୫ଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଚିହ୍ନିତ କରାଯାଇଛି । ଏନେଇ ଅନେକ ତଥ୍ୟ ହାତରେ ଲାଗିଛି । ମାମଲାର ତଦନ୍ତ ଜାରି ରହିଥିବା ଅଧିକାରୀ ପ୍ରକାଶ କରିଛନ୍ତି ।

ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କ ପରିଚୟ ମଧ୍ୟ ସାମ୍ନାକୁ ଆସିଛି । ସେମାନେ ହେଲେ ସୂର୍ଯ୍ୟସିଂ ରାଠୋର, ଅଶୋକ ଗେଡିଆ, ଭବେଶ ଚୌହ୍ୱାନ, ନିଶି ପ୍ରସାଦ, ସାହିଲ ମକଓ୍ୱାନା ଏବଂ ନିରବକୁମାର ପଟେଲ । ସମସ୍ତଙ୍କ ଜାମିନ ନାମଢ୍ଜୁର ହେଲା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।