କୋଣାର୍କ: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିମାପଡ଼ା ଗୋପ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଧନୁଆ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ସମ୍ଭାବ୍ୟ ବନ୍ୟା ଜଳ ପ୍ରବେଶକୁ ନେଇ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ସ୍ୱାସ୍ଥ୍ୟ ବିଭାଗକୁ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବା ଆବଶ୍ୟକ ସମୟରେ ଚିକିତ୍ସା ସେବା ପହଞ୍ଚାଇବା ନଦୀ ଓ ନାଳ ବନ୍ଧର ସୁରକ୍ଷା ଏବଂ ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ସତର୍କ ନଜର ରଖିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସେହିପରି, ଆବଶ୍ୟକ ପଡ଼ିଲେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା, ପଶୁପାଳନ ବିଭାଗ ପକ୍ଷରୁ ଗାଈ, ଗୋରୁ ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା, ମତ୍ସ୍ୟଚାଷୀଙ୍କ ସ୍ୱାର୍ଥର ସୁରକ୍ଷା, ପାନୀୟ ଜଳର ସୁବ୍ୟବସ୍ଥା, ବିଦ୍ୟୁତ ତାର ଯେପରି ବନ୍ୟାଜଳ ସଂସ୍ପର୍ଶରେ ନଆସେ ସେଥିପ୍ରତି ସତର୍କତା ଅବଲମ୍ବନ କରିବା ସହ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କ ରହିବା, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଆଲୋଚନା କରାଯାଇଥିଲା।

Also Read: ରାତିରେ ଉଛୁଳିପାରେ ଦୟା ନଦୀ, ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପୁରୀ ଜିଲ୍ଲାପାଳ କଲେ ସମୀକ୍ଷା

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବା ସହ ସାଧାରଣ ଲୋକଙ୍କୁ ଭୟଭୀତ ନ ହୋଇ ପ୍ରଶାସନକୁ ସହଯୋଗ କରିବା ଏବଂ ସରକାରୀ ପରାମର୍ଶ ପାଳନ କରିବାକୁ ନିବେଦନ କରିଥିଲେ।

ବନ୍ୟା ଆଶଙ୍କାରେ ଭୟଭୀତ ଗୋପ ବ୍ଲକ୍ ଲୋ

ସେପଟେ ବନ୍ୟା ଆଶଙ୍କାକୁ ନେଇ ଗୋପ ବ୍ଲକ୍‌ର ବିଭିନ୍ନ ନଦୀବନ୍ଧ ଓ ବନ୍ୟାପ୍ରବଣ ଲୋକେ ଆତଙ୍କିତ ଅଛନ୍ତି। ମୁଖ୍ୟତଃ ଗୋପ ବ୍ଲକ ଦେଇ ପ୍ରବାହିତ କୁଶଭଦ୍ରା ନଦୀରେ ପ୍ରତିବର୍ଷ ବନ୍ୟାର ଆଶଙ୍କା ରହିଥାଏ। ଏମିତିକି କୁଶଭଦ୍ରା ନଦୀ ବର୍ଷା ଯୋଗୁ କୁଶଭଦ୍ରା ନଦୀବନ୍ଧର ଅନେକ ସ୍ଥାନ ଅତଡ଼ା ଖସିବାର ଦେଖାଯାଇଛି। ଦୁଃଖର ବିଷୟ, କୁଶଭଦ୍ରା ନଦୀବନ୍ଧର ମରାମତି ଓ ସୁଦୃଢ଼ୀକରଣ କାର୍ଯ୍ୟ ପାଇଁ ଚଳିତ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ, ବନ୍ଧର ଅନେକ ସ୍ଥାନ ଏବେ ବି ବିପଦ ଅବସ୍ଥାରେ ଅଛି । ଏବେ କୁଶଭଦ୍ରା ନଦୀରେ ବନ୍ୟା ଜଳ ଧୀରେ ଧରେ ବୃଦ୍ଧି ପାଉଛି। ଯଦି ପ୍ରବଳ ବନ୍ୟା ହୁଏ ତେବେ ଏହି ସ୍ଥାନଗୁଡ଼ିକରେ ଘାଇ ହେବାର ପ୍ରବଳ ଆଶଙ୍କା ସୃଷ୍ଟି ହୋଇଛି।