News7 Logo

ଦେଶରେ ଶସ୍ତା ହେଲା ଘର ରନ୍ଧା ସାକାହାରୀ ଓ ମାଂସାହାରୀ ଥାଳି

NEWS7
gfx

ନୂଆଦିଲ୍ଲୀ ୮।୯: ଭାରତରେ କମୋଡିଟି ମୂଲ୍ୟ ନରମିବା ଯୋଗୁ ଅଗଷ୍ଟ ମାସରେ ଘରେ ରୋଷେଇ କରାଯାଉଥିବା ସାକାହାରୀ ଓ ମାଂସାହାରୀ ଥାଳି ମୂଲ୍ୟରେ ବାର୍ଷିକ ଆଧାରରେ କ୍ରମଶଃ ୭ ଓ ୮% ହ୍ରାସ ଦେଖାଯାଇଛି। ସୋମବାର ଜାରି ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। କ୍ରିସିଲ ଇଣ୍ଟେଲିଜେନ୍ସ ଅନୁସାରେ ସାକାହାରୀ ଥାଳି ମୂଲ୍ୟ ହ୍ରାସ ଆଳୁ, ପିଆଜ ଓ ଡାଲି ମୂଲ୍ୟ କମିବା ଯୋଗୁ ହୋଇଛି। ବାର୍ଷିକ ଆଧାରରେ ଆଳୁ ଓ ପିଆଜ ମୂଲ୍ୟରେ ଯଥାକ୍ରମେ ୩୧ ଓ ୩୭% ହ୍ରାସ ଦେଖାଯାଇଛି।

ବର୍ଷକ ପୂର୍ବେ ସମାନ ଅବଧିରେ ପାଣି ପାଗ ପରିବର୍ତ୍ତନ ଯୋଗୁ ଆଳୁ ଉତ୍ପାଦନ ୫ରୁ ୭% କମିଯାଇଥିଲା। ଫଳରେ ବଜାରରେ ଦର ବୃଦ୍ଧି ହୋଇଥିଲା। ତେବେ ଚଳିତବର୍ଷ ଉତ୍ପାଦନ ୩ରୁ ୫%ଅଧିକ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ପିଆଜର ବାର୍ଷିକ ଉତ୍ପାଦନରେ ୨୮ରୁ ୨୦% ବୃଦ୍ଧି ଯୋଗୁ ଚଳିତବର୍ଷ ମୂଲ୍ୟ କମ ରହିଛି। ରିପୋର୍ଟରେ କୁହାଯାଇଛି ଯେ ଚଳିତବର୍ଷ ଅଧିକ ଉତ୍ପାଦନ ଓ ଷ୍ଟକ କାରଣରୁ ଡାଲି ମୂଲ୍ୟରେ ୧୪% ହ୍ରାସ ହୋଇଛି।

ତେବେ ଟମାଟର ଓ ବନସ୍ପତି ତେଲ ମୂଲ୍ୟ ବୃଦ୍ଧି ଥାଳି ବାବଦ ବ୍ୟୟରେ ସାମଗ୍ରିକ ହ୍ରାସକୁ ସୀମିତ କରିଦେଇଛି। ଏଣୁ ନିକଟ ଭବିଷ୍ୟତରେ ପନିପରିବା ଓ ଡାଲି ଉଚ୍ଚ ଆଧାରରେ ମୂଲ୍ୟ ହ୍ରାସ ହେତୁ ଥାଳି ମୂଲ୍ୟ ପିଛିଲା ବର୍ଷ ତୁଳନାରେ କମ୍ ରହିବ ବୋଲି ଅନୁମାନ କରାଯାଉଛି। ତେବେ ହଳଦିଆ ମଟର ଓ କଳାଚଣାର ନିଶୁଳ୍କ ଆମଦାନୀ ପାଇଁ ସରକାର ଅନୁମତି ଦେଇଥିବାରୁ ଡାଲି ଦର ଉପରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି।

ସେହିପରି ମାଂସାହାରୀ ଥାଳି ଦର ବ୍ରୟଲର ମୂଲ୍ୟ ହ୍ରାସ ଯୋଗୁ କମିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବ୍ରୟଲର କେଜି ପିଛା ଦର ୧୦% ହ୍ରାସ ହୋଇଛି। ଯାହା ଥାଳି ବାବଦ ବ୍ୟୟର ପାଖାପାଖି ୫୦%। ପନିପରିବା ଓ ଡାଲି ମୂଲ୍ୟ ହ୍ରାସ ଘର ରନ୍ଧା ଥାଳି ଦର ହ୍ରାସରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଘରେ ଥାଳି ପ୍ରସ୍ତୁତିର ହାରାହାରି ବ୍ୟୟ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଭାରତରେ ପ୍ରଚଳିତ ବ୍ୟୟ ଆଧାରରେ ନିର୍ଦ୍ଧାରଣ କରାଯାଏ। ମାସିକ ପରିବର୍ତ୍ତନ ସାଧାରଣ ଉପଭୋକ୍ତାଙ୍କ ଖର୍ଚ୍ଚ ଉପରେ ପଡୁଥିବା ପ୍ରଭାବକୁ ଦର୍ଶାଉଛି।