ନୂଆଦିଲ୍ଲୀ: ଥମିବାର ନାଁ ନେଉନାହିଁ ରୁଷ-ୟୁକ୍ରେନ ଯୁଦ୍ଧ। ଅନେକ ଚେଷ୍ଟା ସତ୍ତ୍ବେବି ପ୍ରାୟ ତିନି ବର୍ଷରୁ ଅଧିକ ହେବ ଜାରି ରହିଛି ଦୁଇ ଦେଶ ମଧ୍ୟରେ ଯୁଦ୍ଧ। କେତେବେଳେ ୟୁକ୍ରେନ ରୁଷ ଉପରେ ଆକ୍ରମଣ କରୁଛି ତ’ ଆଉ କେତେବେଳେ ରୁଷ ୟୁକ୍ରେନ ଉପରେ। ଏହିକ୍ରମରେ ଶନିବାର, ୟୁକ୍ରେନର ଉତ୍ତର ସୁମି ଅଞ୍ଚଳରେ ଏକ ଯାତ୍ରୀବାହୀ ଟ୍ରେନ ଉପରେ ରୁଷୀୟ ବିମାନ ଆକ୍ରମଣ କରିଛି। ଏଥିରେ ୩୦ ଜଣ ଯାତ୍ରୀମାନଙ୍କର ମୃତ୍ୟୁ ଘଟିଛି। ସୁମିର ଆଞ୍ଚଳିକ ରାଜ୍ୟପାଳ ଓଲେହ ହ୍ରିହୋରୋଭ ଏନେଇ ସୂଚନା ପ୍ରଦାନ କରିଛନ୍ତି।

ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହି ଆକ୍ରମଣରେ ରୁଷ୍ ୟୁକ୍ରେନର ଏକ ରେଳ ଷ୍ଟେସନକୁ ଟାର୍ଗେଟ କରିଥିଲା। କିଭ ଅଭିମୁଖେ ଯାଉଥିବା ଟ୍ରେନକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଥିଲା। ଏହି ଆକ୍ରଣଣ ଏତେ ଭୟଙ୍କର ଥିଲା ଯେ, ଟ୍ରେନ ସହ ଷ୍ଟେସନ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଆକ୍ରମଣରେ ଟ୍ରେନ କୋଚରେ ମଧ୍ୟ ନିଆଁ ଲାଗିଯାଇଥିଲା। ଆଉ ଏଥିରେ ୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଏକାଧିକ ଆହତ ହୋଇଛନ୍ତି। ତେବେ ଆହତଙ୍କ ସ୍ପଷ୍ଟ ସୂଚନା ମିଳିନାହିଁ। ସୁମିର ରାଜ୍ୟପାଳ ଏକ ଜଳୁଥିବା ଟ୍ରେନ କୋଚ୍‌ ଫଟୋ ପୋଷ୍ଟ କରିଛନ୍ତି। ଦୁର୍ଘଟଣାସ୍ଥଳରେ ଡାକ୍ତର ଏବଂ ଉଦ୍ଧାରକାରୀ ଦଳ ଉପସ୍ଥିତ ରହିଛନ୍ତି।

ଏହି ଆକ୍ରମଣ ନେଇ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ଟେଲିଗ୍ରାମରେ ଏକ ଭଙ୍ଗା, ଜଳୁଥିବା ଯାତ୍ରୀବାହୀ ଟ୍ରେନର ବଗି ଏବଂ ଅନ୍ୟାନ୍ୟ ଗାଡ଼ିର ଝରକା ଫାଟିଯାଇଥିବାର ଭିଡିଓ ପୋଷ୍ଟ କରିଛନ୍ତି। ଏହାସହ ରୁଷିଆ ବାରମ୍ୱାର ଏଭଳି ଆକ୍ରମଣ ଜାରି ରଖିଛି ବୋଲି ସେ ଅଭିଯୋଗ କରିଛନ୍ତି।