LIVE TV

ଭାରତୀୟ ଦଳରେ କେହି ସ୍ଥାୟୀ ନୁହନ୍ତି, କେବଳ ଗମ୍ଭୀରଙ୍କ ଏହି ପ୍ରିୟ ଖେଳାଳିଙ୍କ ସ୍ଥାନ ପକ୍କା !

NEWS7
Indian Team

ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ବଡ ଘଟଣାକ୍ରମେ ରୋହିତ ଶର୍ମାଙ୍କଠୁ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଛଡାଇ ନିଆଯାଇଛି । ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଯୁବ ଖେଳାଳି ଶୁଭମନ ଗିଲଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଏହା ବାଦ୍ ସ୍କ୍ୱାଡରେ ଅନେକ ପରିବର୍ତ୍ତନ କରାଯାଇଛି । ତେବେ ଦଳର ଚୟନକୁ ନେଇ ଶାଣିତ ଶବ୍ଦରେ ସମାଲୋଚନା କରିଛନ୍ତି ପୂର୍ବତନ ଚୟନକର୍ତ୍ତା କୃଷ୍ଣାମାଚାରୀ ଶ୍ରୀକାନ୍ତ ।

ସେ କହିଛନ୍ତି, ଏମିତି ଭାବେ ଖେଳାଳିଙ୍କୁ ଭ୍ରମିତ କରାଯାଉଛି ଯେ, କାହାରିକୁ ଜଣା ନାହିଁ ପରବର୍ତ୍ତୀ ସିରିଜରେ ଦଳରେ ସ୍ଥାନ ମିଳିବ କି ନାହିଁ । କିନ୍ତୁ ଯାହା ପଛେ ହୋଇ ଯାଉ ଜଣେ ଖେଳାଳିଙ୍କ ସ୍ଥାନ ସର୍ବଦା ପକ୍କା । ସେ ଟି-୨୦ ହେଉ କି ଟେଷ୍ଟ କିମ୍ବା ଦିନିକିଆ । ସେ ହେଉଛନ୍ତି ହର୍ଷିତ ରାଣା, କେହି ଜାଣି ନାହାନ୍ତି ଦଳରେ ତାଙ୍କୁ କେଉଁ ଆଧାରରେ ସର୍ବଦା ଚୟନ କରାଯାଉଛି ।

ହର୍ଷିତ ରାଣାଙ୍କୁ ଏସିଆ କପ୍ ୨୦୨୫ ଦଳରେ ମଧ୍ୟ ଚୟନ କରାଯାଇଥିଲା । ତାଙ୍କୁ ଦୁଇଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲେ ହେଁ ସେ ସେମିତି ଖାସ୍ ପ୍ରଦର୍ଶନ କରି ପାରି ନ ଥିଲେ । ଏବେ  ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଦଳରେ ଚୟନ କରାଯାଇଛି । ଶ୍ରୀକାନ୍ତ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ଲଗାତାର ଏହିପରି ଚୟନ କରି ଖେଳାଳିଙ୍କୁ ଭ୍ରମିତ କରାଯାଉଛି। ଆମେ ବି ନିଶ୍ଚିତ ନୁହେଁ ଯେ, ଚୟନରେ କଣ ହେବ।

ଅଚାନକ  ଯଶସ୍ଵୀ ଜୟସ୍ଵାଲଙ୍କୁ ଦଳରେ ଚୟନ କରାଗଲା ଏବଂ ପୁଣି ପରବର୍ତ୍ତୀ ସମୟରେ ଦଳରୁ ବାଦ୍ ଦିଆଗଲା। କେବଳ ଜଣେ ହିଁ ସ୍ଥାୟୀ ସଦସ୍ୟ ହର୍ଷିତ ରାଣା। କେହି ଜାଣି ନାହାନ୍ତି ତାଙ୍କୁ ଦଳରେ କାହିଁକି ରଖା ଯାଇଛି। ପ୍ରତି ସମୟରେ ଦଳ ପରିବର୍ତ୍ତନ କରାଯାଇ ଖେଳାଳିଙ୍କ ଆତ୍ମବିଶ୍ଵାସକୁ କମ କରାଯାଉଛି ବୋଲି ସେ କହିଛନ୍ତି।

କୃଷ୍ଣାମାଚାରୀ ଏହା ମଧ୍ୟ କହିଛନ୍ତି, ଆପଣ କିଛି ଖେଳାଳିଙ୍କୁ ସେହି ସମୟରେ ଚୟନ କରନ୍ତି ନାହିଁ ଯେତେବେଳେ ସେ ଭଲ ପ୍ରଦର୍ଶନ କରୁଥିବ। ଅନ୍ୟପଟେ ଆଉ କିଛି ଖେଳାଳିଙ୍କୁ ସେ ପର୍ଯ୍ୟନ୍ତ ଚୟନ କରାଯାଏ ନାହିଁ ଯେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ନ ଥାଆନ୍ତି। ସବୁଠୁ ଭଲ ହେବ ଆପଣ ହର୍ଷିତ ରାଣାଙ୍କ ପରି ହୋଇ ଯାଆନ୍ତୁ ଏବଂ ଗମ୍ଭୀରଙ୍କ ହଁରେ ହଁ ମାରି ଚାଲନ୍ତୁ, ଯଦ୍ଵାରା ଦଳରେ ସ୍ଥାନ ମିଳିବ।