LIVE TV

ଏସିଆ କପ୍ ବିଜୟ ନେଇ PM ମୋଦୀଙ୍କ ଟିପ୍ପଣୀ ଉପରେ ନକଭିଙ୍କ ଜବାବ, କହିଲେ- ଯଦି ଯୁଦ୍ଧ ଆପଣଙ୍କ ଗର୍ବର ମାପକାଠି...

NEWS7
PM Narendra Modi

ନୂଆଦିଲ୍ଲୀ: ଭାରତ ରୋମାଞ୍ଚର ମ୍ୟାଚରେ ପାକିସ୍ତାନକୁ ହରାଇ ଏସିଆ କପ୍ ୨୦୨୫ ଟାଇଟଲ୍ ଜିତିଛି। ମାତ୍ର ମ୍ୟାଚ୍ ପରେ ପୁରସ୍କାର ସମାରୋହକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ଭାରତୀୟ ଟିମ୍ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ଅଧ୍ୟକ୍ଷ ମୋହସିନ ନକଭିଙ୍କଠୁ ଟ୍ରଫି ନେବାକୁ ମନା କରି ଦେଇଥିଲେ।  ଦେଶର ରାଜନୈତିକ ସ୍ଥିତି ଓ ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ହିଁ ଏମିତି ପଦକ୍ଷେପ ନେଇଥିବା ଦଳ ପକ୍ଷରୁ କୁହାଯାଇଛି। ସେମିତିରେ ନକଭି ପାକିସ୍ତାନର ଗୃହ ମନ୍ତ୍ରୀ ମଧ୍ୟ। ଭାରତର ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟୁ ଦଳକୁ ଯେଉଁଭଳି ଭାବେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ତାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ପିସିବି ମୁଖ୍ୟ ମୋହସିନ ନକଭି। ଆଉ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ୍ସରେ ପୋଷ୍ଟ କରିଛନ୍ତି।

ଏସିଆ କପରେ ଭାରତୀୟ ଦଳର ବିଜୟ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଦଳର ବିଜୟର ତୂଳନା ଅପରେସନ ସିନ୍ଦୂର ସହ କରିଛନ୍ତି। ସେ କହିଛନ୍ତି କ୍ରୀଡ଼ା ମଇଦାନରେ ବି ଅପରେସନ ସିନ୍ଦୂର ପରି ପରିଣାମ। ଭାରତର ବିଜୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପୋଷ୍ଟରେ ପୂରା ପାକିସ୍ତାନ ବିଳିବିଳେଇ ଉଠିଛି।

ଏହା ପରେ ଜବାବ ଦେଇ ନକଭି କହିଛନ୍ତି, ଯଦି ଯୁଦ୍ଧ ଆପଣଙ୍କ ଗର୍ବର ମାପକାଠି, ତେବେ ଇତିହାସ ପାକିସ୍ତାନ ହାତରୁ ଆପଣଙ୍କ ଅପମାନଜନକ ପରାଜୟର ଉଲ୍ଲେଖ କରି ସାରିଛି। କୌଣସି ବି କ୍ରିକେଟ୍ ମ୍ୟାଚ୍ ସେହି ସତ୍ୟତାକୁ ବଦଳାଇ ପାରିବ ନାହିଁ। ଯୁଦ୍ଧକୁ ଖେଳ ସହ ଘୋଷାଡ଼ିବା ହତାସାପଣକୁ ଉଜାଗର କରୁଚି। ଏହା ଖେଳୁଆଡ଼ ମନୋଭାବର ଅପମାନ। ତେବେ ପାକିସ୍ତାନୀଙ୍କ ବ୍ୟତୀତ ପୂରା ଦୁନିଆ ବେଶ ଭଲ ଭାବେ ଅବଗତ ଯେ ପାକିସ୍ତାନକୁ ଭାରତ ବିରୋଧରେ ପ୍ରତିଟି ଯୁଦ୍ଧରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏପରିକି ଅପରେସନ ସିନ୍ଦୂର ବି।

ସୂଚନାଯୋଗ୍ୟ, ଟ୍ରଫି ଦେବା ନେଇ ପୁରସ୍କାର ସମାରୋହରେ ଡ୍ରାମା ଦେଖିବାକୁ ମିଳିଥିଲା। ପ୍ରାୟ ଦେଢ ଘଣ୍ଟା ଧରି ପଡ଼ିଆରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଟିମ୍ ଇଣ୍ଡିଆ ପିସିବି ମୁଖ୍ୟ ତଥା ଏସିଆନ କ୍ରିକେଟ୍ କାଉନସିଲର ଅଧ୍ୟକ୍ଷ ମୋହସିନ ନକଭିଙ୍କଠୁ ଟ୍ରଫି ନେବାକୁ ମନା କରିଥିବା ବେଳେ ଅନ୍ୟପଟେ ଟ୍ରଫି ଦେବାକୁ ଅଡି ବସିଥିଲେ ନକଭି। ଶେଷରେ ନକଭି ଟ୍ରଫି ଧରି ଚାଲି ଯାଇଥିଲେ। ବିଜେତା ପଦକ ଏବଂ ଟ୍ରଫି ନ ଦିଆଯିବାରୁ ଭାରତୀୟ ଖେଳାଳି ଖାଲି ହାତରେ ସେଲିବ୍ରେସନ କରିଥିଲା।