ଭୁବନେଶ୍ବର: ଚଳିତ ବିଜୟା ଦଶମୀରେ ଶହେ ବର୍ଷରେ ପାଦ ଦେବ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) । ଏବର୍ଷ ଶତବାର୍ଷିକୀ ପଡୁଥିବାରୁ ଲୋକଙ୍କ ପାଖକୁ ଯିବାକୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ସଂଘ। ଏହି ଅବସରରେ ଭୁବନେଶ୍ୱର ନୀଳାଦ୍ରି ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜୟା ଦଶମୀ ଉତ୍ସବ ପାଳନ କରିଛି ମୈତ୍ରୀ ନଗର ଆରଏସଏସ ସଂଘ।

ଏହି ଅବସରରେ ଆରଏସଏସ ପକ୍ଷରୁ ବାର୍ତ୍ତା ଦିଆଯାଇଛି। ଯେଉଁଥିରେ କୁହାଯାଇଛି, ଅନେକ ବାଧା ବିଘ୍ନ ଦେଇ ଆରଏସଏସ ଆଜି ବିଶାଳ ଦ୍ରୁମରେ ପରିଣତ ହୋଇଛି । ସମାଜର ବିଭିନ୍ନ କ୍ଷେତ୍ରରେ ସଂଘର ସ୍ବୟଂସେବକ ମାନେ ସେମାନଙ୍କ ଛାପ ଛାଡ଼ିଛନ୍ତି। ହିନ୍ଦୁ ସମାଜକୁ ଏକାଠି କରିବାକୁ ବାହାରିଥିବା ଆରଏସଏସ ଆଜି ବିଶ୍ବର ସର୍ବବୃହତ ସାମାଜିକ ସଂଗଠନରେ ପରିଣତ ହୋଇଥିବା ଏକ ବାର୍ତ୍ତାରେ କୁହାଯାଇଛି।

ଚଳିତ ବିଜୟା ଦଶମୀରୁ ଆସନ୍ତା ବିଜୟା ଦଶମୀ ଯାଏ ବର୍ଷ ତମାମ ରାଜ୍ୟର ପ୍ରତି ଖଣ୍ଡ, ନଗର ଓ ବ୍ଲକରେ ଆରଏସଏସ ଆୟୋଜିତ କରିବ ଯୁବ ସମ୍ମିଳନୀ । ଏହି ସମ୍ମିଳନୀମାନଙ୍କରେ ନିଶାମୁକ୍ତ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଯୁବବର୍ଗଙ୍କୁ ବାର୍ତ୍ତା ପ୍ରଦାନ କରାଯିବ। ଘରକୁ ଘରକୁ ବୁଲି ସଂଘର ଆଦର୍ଶ, ଉଦେଶ୍ୟ ଓ ରାଷ୍ଟ୍ର ପାଇଁ ଆରଏସଏସ କଣ କରୁଛି ତାହା ଲୋକଙ୍କୁ ବୁଝାଇବ। ସାମାଜିକ ସଦଭାବ କାର୍ଯ୍ୟକ୍ରମ, ସଂଗୋଷ୍ଠୀ କାର୍ଯ୍ୟକ୍ରମ, ଦେଶର ସମସ୍ୟା, ସମସ୍ୟା ଦୂରୀକରଣ ଦିଗରେ ବିସ୍ତୃତ ଆଲୋଚନା ଚକ୍ର ଆୟୋଜନ ହେବ । ଏହାଛଡା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଶତବାର୍ଷିକୀ ଉପଲକ୍ଷେ  ୫ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର କରିଛି ।