LIVE TV

ଗଜପତି ଭୂସ୍ଖଳନ ପରେ ସରକାରଙ୍କ ବଡ଼ ପଦକ୍ଷେପ, ସରକାର କରିବେ ମାଷ୍ଟର ପ୍ଲାନ୍

NEWS7
Suresh Pujari

ଭୁବନେଶ୍ବର ୪।୧୦: ଗଜପତି ଭୂସ୍ଖଳନ ପରେ ସରକାରଙ୍କ ବଡ଼ ପଦକ୍ଷେପ । ଭୂସ୍ଖଳନ ପାଇଁ ସରକାର କରିବେ ମାଷ୍ଟର ପ୍ଲାନ୍ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡିକୁ ଚିହ୍ନଟ କରାଯିବ । ଭୂସ୍ଖଳନ ରୋକିବା ପାଇଁ ପଦକ୍ଷେପ ନେବେ ସରକାର । ଯେମିତି ପଥର ଖସି ଲୋକଙ୍କର ମୃତ୍ୟୁ ହେବ ନାହିଁ ।

ଓଡ଼ିଶାରେ ଭୂସ୍ଖଳନ ଏକ ନୂଆ ସମସ୍ୟା ହୋଇ ଉଭା ହୋଇଛି । ଏହାସହ ବର୍ଷା ଯୋଗୁଁ ବୁଡି ଯାଉଥିବା ତଳିଆ ରୋଡ଼ ଗୁଡ଼ିକୁ ଠାବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେମିତି ବର୍ଷା ଯୋଗୁଁ ରାସ୍ତା ବୁଡି ଯୋଗାଯୋଗ ବିଚ୍ଛିନ୍ନ ହେବ ନାହିଁ । ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆ ରୋଡ଼ ଥିବାରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ତଳିଆ ରୋଡ଼ ଗୁଡ଼ିକୁ ଉଚ୍ଚ କରାଯିବ ।

କ୍ଷତିପୂରଣ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ।  ରବିବାର ଭିତରେ କ୍ଷୟକ୍ଷତି ଯୋଗାଇ ଦେବେ ସରକାର । ଲଘୁଚାପ ବର୍ଷା ଯୋଗୁଁ ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାୟଗଡ଼ାର କିଛି ଗାଁରେ ବର୍ଷା ପାଣି ପଶିବା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ୯ଟି ଗାଁ ପାଣି ଘେରରେ ଥିଲା । ସରକାର ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ । ତେବେ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେଲା । ଜଣେ ଲୋକଙ୍କର ମୁଣ୍ଡରେ ପଥର ବାଜିବା ଫଳରେ ମୃତ୍ୟୁ ହେଲା ଏବଂ ଆଉ ଜଣଙ୍କର ମୃତ୍ୟୁ କେମିତି ହେଲା ପୋଷ୍ଟମର୍ଟମ ପରେ ଜଣାପଡିବ । ଏତେ ବଡ଼ ଭୁସ୍ଖଳନ ହେଲା ଯେ, ରାତି ସାରା ଦୁଇ ଜଣ ଲୋକ ମାଟି ପଥର ତଳେ ଦବି ରହିଗଲେ । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଦୁଇ ଦିନ ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।