LIVE TV

ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ SOP ଆଣିଲେ ସରକାର, ପରୀକ୍ଷା କେନ୍ଦ୍ରରେ ବ୍ୟବହାର କରାଯିବ ଏଆଇ ଟୁଲ୍

NEWS7
SOP

ଭୁବନେଶ୍ବର ୨୩୯: ଏଣିକି ନିଯୁକ୍ତି ପରୀକ୍ଷାରେ କୌଣସି ତ୍ରୁଟି କିମ୍ବା ବିଚ୍ୟୁତିକୁ ବରଦାସ୍ତ କରାଯିବନି । ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ SOP ଆଣିଲେ ସରକାର । ପ୍ରଶାସନିକ ନିୟନ୍ତ୍ରଣରେ ନିଯୁକ୍ତି ପରୀକ୍ଷା କିମ୍ବା ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା କରିବା ସମୟରେ SOP କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ସମସ୍ତ ବିଭାଗର ମୁଖ୍ୟ, ସମସ୍ତ ଜିଲ୍ଲପାଳଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖାଯାଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ଦେଢ଼ ଲକ୍ଷରୁ ଅଧିକ ଖାଲି ପଦବୀ ପୂରଣ କରାଯିବ ।

ବିଭିନ୍ନ ନିଯୁକ୍ତି ସଂସ୍ଥା ଏପରି ପରୀକ୍ଷା ପରିଚାଳନା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ଅନୁସରଣ କରନ୍ତି, ଯାହା ପ୍ରାୟତଃ ପ୍ରକ୍ରିୟାରେ ତ୍ରୁଟି ସମ୍ପର୍କରେ ଅଭିଯୋଗ ଆଣିଥାଏ । ସରକାର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ପରୀକ୍ଷା ପରିଚାଳନାରେ ଅଧିକ ସ୍ୱଚ୍ଛତା ଏବଂ ସୁରକ୍ଷିତ ପରିବେଶରେ ଆୟୋଜନ କରିବାକୁ ନିର୍ଦ୍ଦେଶ ।

ସରକାରୀ ପ୍ରେସ୍‌ରେ ଛପାଯିବ ପ୍ରଶ୍ନପତ୍ର । ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍, ଏନ୍ଆଇସି ପାଖରେ ରହିବ ସିସିଟିଭି କଣ୍ଟ୍ରୋଲ୍ । ପରୀକ୍ଷା ଅଧିକାରୀଙ୍କ ଉପସ୍ଥିତରେ ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନପତ୍ର ପ୍ରିଣ୍ଟିଙ୍ଗ ମାର୍ଗଦର୍ଶିକା ଜାରି । ପ୍ରଶ୍ନପତ୍ର ଲିକ୍ ରୋକିବାଠୁ ଆରମ୍ଭ କରି ପରୀକ୍ଷା ହଲ୍‌ର ସୁରକ୍ଷା ଯାଏ ସମସ୍ତ ପ୍ରକାର ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି ହେବ ।

ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରକୁ ଆଣିବା ଯାଏ ବରିଷ୍ଠ ଅଧିକାରୀମାନେ ଦାୟିତ୍ଵରେ ରହିବେ । ପରୀକ୍ଷା କେନ୍ଦ୍ରରେ କୃତ୍ରିମ ବୁଦ୍ଧିମତା (ଏଆଇ)ଟୁଲ୍ ର ବ୍ୟବହାର କରାଯିବ । ପରୀକ୍ଷା କେନ୍ଦ୍ରର ସିସିଟିଭି ଲାଇଭ ଷ୍ଟ୍ରିମ୍ କେଣ୍ଟ୍ରାଲ୍ ଓକାକ୍ କିମ୍ବା ଏନ୍ଆଇସି ପାଖରେ ରହିବ ।

ଆଗାମୀ ଦିନରେ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସରକାରୀ କଲେଜ, ବିଶ୍ଵ ବିଦ୍ୟାଳୟରେ କରଯିବ। ପରୀକ୍ଷା ପରିଚାଳନା ସଂସ୍ଥାମାନେ ଆଉ ଅନ୍ୟ କେଉଁଠି ପ୍ରଶ୍ନପତ୍ର ଛପାଇ ପାରିବେ ନାହିଁ । ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ । ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ । ଏପରିକି ଆଗାମୀ ଦିନରେ ପରୀକ୍ଷା ପରିଚାଳନା ଦାୟିତ୍ଵକୁ କୌଣସି ଏଜେନ୍ସି କିମ୍ବା ଆଉଟସୋସିଂ ଦ୍ଵାରା ନହୁଏ ସେଥିପ୍ରତି କଡ଼ା ଆଭିମୁଖ୍ୟ ଆପଣାଇବେ ସରକାର ।

ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ବ୍ୟବସ୍ଥା କରାଯିବ । ସରକାର ନିଯୁକ୍ତି ପରୀକ୍ଷାରେ ଶୂନ୍ୟ ସହନଶୀଳତା ନୀତିକୁ ଆପଣାଇଛନ୍ତି । ଉଭୟ ଅନ୍‌ଲାଇନ ଓ ଅଫଲାଇନ ମୋଡ଼ରେ ହେଉଥିବା ପରୀକ୍ଷାକୁ ସୁରକ୍ଷିତ ପରିବେଶ, ସ୍ଵଚ୍ଛତାର ସହ କରାଯିବ ।

ପ୍ରଶ୍ନପତ୍ରର ଉଭୟ ପଟେ ସିଲ୍ କରାଯିବ। ଫାଇନାଲ ପ୍ରଶ୍ନପତ୍ର ପ୍ରସ୍ତୁତଠାରୁ ପରୀକ୍ଷା ହଲ୍‌କୁ ଆସିବା ଯାଏ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀ ରହିବେ । ପୋଲିସ ବିଭାଗ ପକ୍ଷରୁ ହେଉଥିବା ପରୀକ୍ଷାରେ ଜଣେ ଆଇଜି ରାଙ୍କର ଅଧିକାରୀ ରହିବେ । ପ୍ରଶ୍ନପତ୍ର ଖୋଲିବା ସମୟରେ ଭିଡିଓଗ୍ରାଫି କରଯିବ । ସେହିପରି ଅନ୍‌ଲାଇନ ପରୀକ୍ଷା ପାଇଁ ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନ୍(ଏମ୍ଏଫ୍)କୁ ପରୀକ୍ଷା ପୂର୍ବରୁ ଯାଞ୍ଚ କରାଯିବ । ବାୟୋମେଟ୍ରିକ୍ ସ୍କାନ୍‌ଠୁ ଆରମ୍ଭ କରି ଏସ୍ଏସ୍ଏସ୍ ଯାଏ ସମସ୍ତଙ୍କର ପଞ୍ଚ୍‌ ହେବ ।

ଅନ୍‌ଲାଇନ ପରୀକ୍ଷା ଗୃହରେ କୌଣସି ବାହ୍ୟ ବସ୍ତୁ ରହିବ ନାହିଁ । ୱେବ୍ମ, ଇଣ୍ଟରନେଟ୍ ଆଦି ଟେକ୍ନିକାଲ ଉପକରଣକୁ ବି ଯାଞ୍ଚ କରାଯିବ । ଏଆଇ ଟୁଲ୍‌ର ବ୍ୟବହାର କରିବା ଲାଗି ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସବୁ ନିୟୋଜନ ସଂସ୍ଥା ସହ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।