ଭୁବନେଶ୍ବର ୭୧୧: ଲୋକ ସେବା ଭବନରେ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ ରାଷ୍ଟ୍ର ଗୀତ 'ବନ୍ଦେ ମାତରମ୍ 'ର ୧୫୦ତମ  କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ପ୍ରତୀକ । ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଆନନ୍ଦ ମଠଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଜାଗୃତି, ଉତ୍ସାହ ଓ ବୈପ୍ଳବିକ ମନୋଭାବ ଜଗାଇଥିଲା

ଏହି ଗୀତର ଲୋକପ୍ରିୟତା ଓ ପ୍ରଭାବକୁ ଦେଖି ବ୍ରିଟିଶ ଶାସକମାନେ ବନ୍ଦେ ମାତରମ୍‌କୁ ବ୍ୟାନ କରିଥିଲେ, ଯାହା ଏହି ଗୀତର ଶକ୍ତିର ସ୍ପଷ୍ଟ ପ୍ରମାଣ । ଆମେ କେଉଁ ଭାଷା, କେଉଁ ଧର୍ମ ବା କେଉଁ ଅଞ୍ଚଳର ହେଲେ ବି, ଦେଶପ୍ରେମ ବିନା ଦେଶର ଉନ୍ନତି ଅସମ୍ଭବ । ବନ୍ଦେ ମାତରମ୍ ଆମ ହୃଦୟରେ ସେହି ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ । ଯୁବପୀଢ଼ୀ, ପିଲାମାନେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହି ବର୍ଷବ୍ୟାପୀ ପାଳନ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ ।

ଆଜି ଆମେ ସମସ୍ତେ ସାରା ଭାରତର ଲୋକ, କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ, ବନ୍ଦେ ମାତରମ୍‌କୁ ସାମୁହିକ ଭାବେ ଗାନ କରିବାର ପ୍ରଭାବ ଖୁବ୍ ସୁଦୂରପ୍ରସାରୀ । ବିଶେଷ କରି ଛୋଟ ଛୋଟ ପିଲା, ଛାତ୍ର ଓ ଯୁବକ ମାନଙ୍କ ଉପରେ ଏହାର ଖୁବ୍ ପ୍ରଭାବ ରହିବ । ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଜ୍ଞା ଦେବାରେ ସଫଳ ହେବ । ଆଗାମୀ ଏକବର୍ଷ ଧରି ସମସ୍ତ ଜିଲ୍ଲାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ମାଧ୍ୟମରେ ସାମୁହିକ ଗାନ, ସାଂସ୍କୃତିକ ଆୟୋଜନ ଓ ସଚେତନତା କାର୍ଯ୍ୟକ୍ରମ ଚାଲିବାକୁ ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

​​​​​​​

ଆମେ ସମସ୍ତେ ଏହି ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ହେବା । ଆଜିଠୁ ଏହାର ଶୁଭାରମ୍ଭ ହେଲା । ବର୍ଷବ୍ୟାପୀ ଯାହା ଯାହା କାର୍ଯ୍ୟକ୍ରମ ହେବ ସେଥିରେ ଆମେ ସମସ୍ତେ ସାମିଲ ହେବା ଏବଂ ଭାରତ ମାତାର ଗୌରବକୁ ସାରା ପୃଥିବୀରେ ପରିବ୍ୟାପ୍ତ କରିବା ପାଇଁ ସଂକଳ୍ପବଦ୍ଧ ହେବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ସହ ସମସ୍ତ ବିଭାଗୀୟ ସଚିବ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌ ଗାନ କରିଥିଲେ ।