LIVE TV

ବିହାର ବିଧାନସଭା ପାଇଁ ଘୋଷଣା ହେଲା ତାରିଖ: ନଭେମ୍ୱର ୬ ଓ ୧୧ ଭୋଟିଂ, ୧୪ରେ ରେଜଲ୍ଟ

NEWS7
elecation

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ବିହାରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ୱର ୬ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ହେବ । ନଭେମ୍ୱର ୧୪ରେ ଭୋଟ ଗଣତି ଓ ପରିଣାମ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଭୋଟିଂ ହେବାକୁ ଥିବା ବେଳେ ୧୨୨ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ।​​​​​​​ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ​​​​​​​

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଅକ୍ଟୋବର ୨୦ରେ ଅଧିସୂଚନା ଜାରି କରାଯିବ । ଅକ୍ଟୋବର ୧୭ରେ ନାମାଙ୍କନ ଦାଖଲର ଶେଷ ତାରିଖ ହେବ । ଅକ୍ଟୋବର ୧୮ରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ଅକ୍ଟୋବର ୨୦ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ । ନଭେମ୍ୱର ୬ରେ ଭୋଟିଂ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଅକ୍ଟୋବର ୧୩ରେ ବିଜ୍ଞପ୍ତି ଜାରି ହେବ । ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୨୧ରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ଅକ୍ଟୋବର ୨୩ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ରଖାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ୱର ୧୧ରେ ଭୋଟ ହେବ । ​​​​

​​​​​​​ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, "ବିହାରରେ ପ୍ରାୟ ୭.୪୩ କୋଟି ଭୋଟର ଅଛନ୍ତି ଏବଂ ପ୍ରାୟ ୧୪ ଲକ୍ଷ ଯୁବପିଢ଼ି ପ୍ରଥମ ଥର ପାଇଁ ଭୋଟ ଦେବେ ସେହିପରି ୧୦୦ ବର୍ଷରୁ ଅଧିକ ବୟସର ୧୪୦୦୦ ଭୋଟର ଅଛନ୍ତି । ମତଦାନ କେନ୍ଦ୍ର ଗ୍ରାଉଣ୍ଡ ଫ୍ଲୋରରେ ରହିବ । ପ୍ରତ୍ୟେକ କେନ୍ଦ୍ରରେ ୮୧୮ ଭୋଟର ରଖିବା ଲକ୍ଷ୍ୟ ରଖାଯାଇଛି । ବିହାରରେ ୪୦ଟି ସଂରକ୍ଷିତ ଆସନ ଅଛି । ସମସ୍ତ ରାଜନୈତିକ ଦଳକୁ ଏସଆଇଆର୍ ପରେ ଚୂଡ଼ାନ୍ତ ଭୋଟର ତାଲିକା ବଣ୍ଟନ କରାଯାଇଛି । ନାମାଙ୍କନ ଦାଖଲ ତାରିଖ ପରେ ପ୍ରକାଶିତ ଭୋଟର ତାଲିକା ଚୂଡ଼ାନ୍ତ ହେବ।"

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ବିହାର ନିର୍ବାଚନ କମିଶନ ଏସଆଇଆର୍ କରିଥିଲେ । ଏଥିରେ ବିହାରର ଭୋଟରଙ୍କ ନୂତନ ଗଣନା ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରକ୍ରିୟା ଜୁନ୍ ମାସରେ ଆରମ୍ଭ ହୋଇଥିଲା ଏବଂ ଚୂଡ଼ାନ୍ତ ତାଲିକା ସେପ୍ଟେମ୍ବର ୩୦ରେ କମିଶନଙ୍କ ୱେବସାଇଟରେ ପ୍ରକାଶିତ ହୋଇଥିଲା । ପ୍ରକାଶିତ ଏହି ତାଲିକା ଅନୁସାରେ, ବିହାରରେ ମୋଟ ୭୪,୧୯୨,୩୫୭ ଭୋଟର ପଞ୍ଜୀକୃତ ହୋଇଛନ୍ତି । ୨୦୨୦ରେ ଏହି ସଂଖ୍ୟା ୭୩,୬୪୭,୬୬୦ ଥିଲା । ୨୦୨୦ ତୁଳନାରେ ଏହି ନିର୍ବାଚନରେ ୫,୪୪,୬୯୭ ଭୋଟର ବୃଦ୍ଧି ହୋଇଛି । ତେବେ ଏସଆଇଆର ପରେ ରାଜ୍ୟରେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୪୭,୭୭,୪୮୭ ହ୍ରାସ ପାଇଛି।

ଏସଆଇଆର୍ ପୂର୍ବରୁ ବିହାରରେ ମୋଟ ଭୋଟର ସଂଖ୍ୟା ୭୮,୯୬୯,୮୪୪ ଥିଲା । ଏସଆଇଆର୍ ପରେ ୪୭,୭୭,୪୮୭ ଭୋଟରଙ୍କୁ ବାଦ ଦିଆଯାଇଥିଲା । କମିଶନ ରିପୋର୍ଟ କରିଥିଲେ ଯେ ୨୨,୩୪,୧୩୬ ଭୋଟରଙ୍କ ମୃତ୍ୟୁ ହୋଇଛି । ୬,୮୫,୦୦୦ ଭୋଟର ଏକାଧିକ ଥର ପଞ୍ଜୀକୃତ ହୋଇଥିଲେ । ୩୬,୪୪,୯୩୯ ଭୋଟର ସ୍ଥାୟୀ ଭାବରେ ବିହାର ବାହାରକୁ ଚାଲିଯାଇଥିଲେ । ଏସ୍‌ଆଇଆରରେ ଦାବି ଏବଂ ଆପତ୍ତି ପରେ, ଭୋଟରଙ୍କ ସଂଖ୍ୟା ୩୬୬,୭୪୨ ହ୍ରାସ ପାଇଛି ।