ଶ୍ରୀକାକୁଲମ୍‌: ଭେଙ୍କଟେଶ୍ୱର ମନ୍ଦିରରେ କାହିଁକି ହେଲା ଦଳଚକଟା ? ଶ୍ରୀକାକୁଲମ ଟ୍ରାଜେଡି ପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ। ଦର୍ଶନ ବେଳେ ଭଗବାନଙ୍କ ଏ କି ଦଣ୍ଡ ? ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଶ୍ରୀଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ଘଟି ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଅନୁଯାୟୀ ଏକାଦଶୀ ଉତ୍ସବ ପାଇଁ ମନ୍ଦିରରେ ଏକତ୍ରିତ ହୋଇଥିବା ଏକ ବଡ଼ ଭିଡ଼ ଯୋଗୁଁ ଭିଡ଼ ଏବଂ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ତେବେ ଏହା କଣ ପ୍ରକୃତ କାରଣ। ଦୁର୍ଘଟଣାକୁ ନେଇ ସାଂଘାତିକ ବୟାନ ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ।

ଏକାଦଶୀ ଅବସରରେ ପୂଜା ପାଇଁ ଅନେକ ଭକ୍ତ କାସିବୁଗାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଏକାଠି ହୋଇଥିଲେ। ହଠାତ୍‌ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାରୁ ଦଳାଚକଟା ହୋଇଥିଲା। ଭିଡ଼ ଏତେ ଅଧିକ ଥିଲା ଯେ ଲୋକମାନେ ପରସ୍ପର ଉପରେ ଚଢ଼ିଯାଉଥିଲେ। ଏପରିକି ପ୍ରବେଶ ଏବଂ ପ୍ରସ୍ଥାନ ଗୋଟିଏ ପଟେ ହିଁ ଥିଲା। ଧିରେ ଧିରେ ମନ୍ଦିରରେ ଦର୍ଶନ ପାଇଁ ଭିଡ଼ ବଢ଼ିବାରେ ଲାଗିଥିଲା, ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ଧୈର୍ଯ୍ୟ ଆଉ ନଥିଲା।

ପରେ ଠେଲାପେଲା ଆରମ୍ଭ ହୋଇଥିଲା। ଅତ୍ୟଧିକ ଓଜନ ଯୋଗୁଁ ସିଡ଼ି ପାର୍ଶ୍ୱରେ ରେଲିଂ ବି ଭାଙ୍ଗିଗଲାକିଛି ମହିଳା ସିଡ଼ିରୁ ତଳକୁ ଖସିପଡ଼ିଥିଲେ। ୧୦ରୁ ଅଧିକ ଲୋକ ତଳେ ପଡ଼ିଗଲେ। ସେହି ସମୟରେ ଦଳାଚକଟା ଘଟିଲା ଅନେକ ମହିଳା ଚାପି ହୋଇ ରହିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ମନ୍ଦିର ପାଇଁ ପୋଲିସ ଠାରୁ ଅନୁମତି ନିଆଯାଇନଥିଲା। ଏପରିକି କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, "ଶ୍ରୀକାକୁଲମ ଜିଲ୍ଲାର କାଶିବୁଗାରେ ଥିବା ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ଘଟଣାରେ ମୁଁ ଗଭୀର ମର୍ମାହତ। ଏହି ଦୁଃଖଦ ଘଟଣାରେ ଭକ୍ତଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ। ମୁଁ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି।"

ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ନାରା ଲୋକେଶ କହିଛନ୍ତି, "କାଶିବୁଗା ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟାରେ ଅନେକ ଭକ୍ତଙ୍କ ମୃତ୍ୟୁରେ ଆମେ ଗଭୀର ମର୍ମାହତ। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ଦଳାଚକଟାରେ ଆହତମାନଙ୍କୁ ସରକାର ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଆହତଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ମୁଁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି।"