News7 Logo

ରାସ୍ତାରେ ଗାଡ଼ି ଚଳାଇ ରିଲ୍ସ କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ସବୁ ଆରଟିଓଙ୍କୁ ନିର୍ଦ୍ଦେଶ

NEWS7
reel

ଭୁବନେଶ୍ୱର ୧୬/୦୯ : ରିଲ୍ସ କରୁଛନ୍ତି ସାବଧାନ । ଖାସ୍ କରି ଗାଡି ରିଲ୍ସ କଲେ ଏଣିକି ଫସିବେ । ବିପଦପୂର୍ଣ୍ଣ ଗାଡ଼ି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର । ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ଆରଟିଓଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି । 

କିଛି ଦିନ ତଳେ ଭୁବନେଶ୍ୱରରେ ଏକ ବାଇକରେ ଯୁବକ-ଯୁବତୀଙ୍କ ବିପଦପୂର୍ଣ୍ଣ ଗାଡ଼ି ଚାଳନାର ଭିଡିଓ ଭାଇରାଲ ହୋଇଥିଲା । ଭୁବନେଶ୍ୱର-୨ ଆରଟିଓ ଗାଡ଼ି ଅଟକ ରଖିଥିବା ବେଳେ ଜରିମାନା, ଲାଇସେନ୍ସ ନିଲମ୍ବନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପଟେ, ପୁରୀରେ ମଧ୍ୟ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନା ଘଟଣାରେ ଆରଟିଓଙ୍କ ପକ୍ଷରୁ ମୋଟର ଯାନ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରି ଗାଡ଼ିକୁ ଅଟକ ରଖି ଜରିମାନା କରାଯାଇଛି । ସେହିଭଳି ସମ୍ୱଲପୁରରେ ବି ଗାଡି ଚଳାଇ ରିଲ୍ସ କରି ଫସିଥିଲେ ଦମ୍ପତ୍ତି । ଏମିତିକି ଫାଇନ ବି ଦେଇଥିଲେ । ପଶ୍ଚାତାପ କରିବା ସହ ଭବିଷ୍ୟତରେ ଏପରି ଭୁଲର ପୁନରାବୃତ୍ତି ନ ହେଉ ବୋଲି କହିଥିଲେ ।

ନିୟମ ଉଲ୍ଲଙ୍ଘନର ଏଭଳି ଦୃଶ୍ୟ ଉପରେ ନିୟନ୍ତ୍ରଣ ପାଇଁ ସଡ଼କରେ ଏନଫୋର୍ସମେଣ୍ଟ ସହ ସୋସିଆଲ ମିଡିଆ ଉପରେ ମଧ୍ୟ ଏଭଳି ଘଟଣା ଉପରେ ଦୃଷ୍ଟି ରଖିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି । ଉଭୟ ମୋଟର ଯାନ ଆଇନ ଓ ଭାରତୀୟ ନ୍ୟାୟ ସଂହିତାରେ ଏଭଳି କାର୍ଯ୍ୟ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରାବଧାନ ରହିଛି । ତେଣୁ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।