ଟୋକିଓ : ବୟସ ୮୦ ଛୁଇଁଲାଣି, କିନ୍ତୁ ସମୁଦ୍ର ପ୍ରତି ଭଲପାଇବା ଓ ସାହସରେ ନାହିଁ କୌଣସି କମି। ଥଣ୍ଡା ସମୁଦ୍ର ପାଣି , ବିନା ଅକ୍ସିଜେନ୍ ଟାଙ୍କରେ ପାଣି ତଳକୁ ଯାଇ ସାମୁଦ୍ରିକ ଜୀବ ଧରୁଛନ୍ତି ଜାପାନର ମହିଳାମାନେ । ଜାପାନରେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ଏହି ଅସାଧାରଣ ପରମ୍ପରାକୁ ନେଇ ଅନେକ କଥା ରହିଛି । ଜାପାନର ଇସେ-ଶିମା ଉପକୂଳରେ ପିଢ଼ି ପରେ ପିଢ଼ି ମହିଳାମାନେ ସ୍କୁବା ଉପକରଣ କିମ୍ବା ଅକ୍ସିଜେନ୍ ଟାଙ୍କ ବିନା ସମୁଦ୍ରକୁ ଓହ୍ଲାଇ ସମୁଦ୍ର ତଳୁ ସାମୁଦ୍ରିକ ଖାଦ୍ୟ ସଂଗ୍ରହ କରିଆସୁଛନ୍ତି। ଜାପାନରେ ଏହି ମହିଳାମାନଙ୍କୁ ‘ଆମା’ (Ama), ଅର୍ଥାତ୍ ‘ସମୁଦ୍ରର ମହିଳା’ ବୋଲି କୁହାଯାଏ। ଆଧୁନିକ ଯୁଗରେ ଯେତେବେଳେ ସ୍କୁବା ଡାଇଭିଂ ପାଇଁ ଅତ୍ୟାଧୁନିକ ଉପକରଣର ବ୍ୟବହାର ହେଉଛି, ସେତେବେଳେ ଏହି ମହିଳାମାନେ ନିଜ ନିଶ୍ୱାସ ରୋକି ସମୁଦ୍ର ଭିତରକୁ ଆରାମରେ ଯାଉଛନ୍ତି। କୌଣସି ସ୍କୁବା ଅକ୍ସିଜେନ୍ ଟାଙ୍କ ବ୍ୟବହାର ନକରି ସମୁଦ୍ର ତଳେ ନିଜ ନିଶ୍ୱାସ ଅଟକାଇ ପାରୁଛନ୍ତି । ଏହି ପରମ୍ପରାର ଇତିହାସ ହଜାର ହଜାର ବର୍ଷ ପୁରୁଣା ବୋଲି ମନେ କରାଯାଏ। ଜାପାନର ବିଭିନ୍ନ ଉପକୂଳ ଅଞ୍ଚଳରେ ଏହାର ଝଲକ ଦେଖିବାକୁ ମିଳେ। ଏହି ମହିଳାଙ୍କ କାମ ଦେଖିବାକୁ ସରଳ ଲାଗିଲେ ମଧ୍ୟ ଏହା ଅତ୍ୟନ୍ତ କଷ୍ଟକର। ସେମାନେ ସମୁଦ୍ରରେ ବୁଡି ଶଙ୍ଖ, ଶାମୁକା , ସି ଅର୍ଚିନ୍, ସାମୁଦ୍ରିକ ଶୈବାଳ ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ସଂଗ୍ରହ କରନ୍ତି। ଏଥିପାଇଁ ଦରକାର ହୁଏ ଦୀର୍ଘ ସମୟ ନିଶ୍ୱାସ ଅଟକାଇ ରଖିବାର କ୍ଷମତା, ସମୁଦ୍ରର ପ୍ରବାହ ବିଷୟରେ ଗଭୀର ଜ୍ଞାନ ଏବଂ ପାଣି ତଳେ ନିଜ ଶରୀରକୁ ନିୟନ୍ତ୍ରଣ କରିବାର ଦକ୍ଷତା।

୮୦ ବର୍ଷରେ ବି ଥମିନି ସମୁଦ୍ର ଯାତ୍ରା :

Ama ପରମ୍ପରାର ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯେ ଏହି କାମ କରୁଥିବା ଅନେକ ମହିଳାଙ୍କ ବୟସ। ଅଧିକାଂଶ ମହିଳାମାନେ ୬୦ ଓ ୭୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ସମୁଦ୍ରକୁ ଯାଆନ୍ତି । ହେଲେ ଆମେ ଆପଣକୁ ଯେଉଁ ମହିଳାଙ୍କ କଥା କହୁଛୁ ତାଙ୍କ ବୟସ ୮୦ ବର୍ଷ । ତାଙ୍କ କାହାଣୀ ଏହି ପରମ୍ପରାର ଦୃଢ଼ତା ଓ ଦୀର୍ଘସ୍ଥାୟୀତ୍ୱର ବଡ଼ ଉଦାହରଣ । ବୟସ ବଢ଼ିଥିଲେ ମଧ୍ୟ ସମୁଦ୍ର ସହ ତାଙ୍କ ସମ୍ପର୍କ କେବଳ ଜୀବିକାରେ ସୀମିତ ନୁହେଁ। ସମୁଦ୍ର ହେଉଛି ତାଙ୍କ ଜୀବନଶୈଳୀ, ତାଙ୍କ ଅଭିଜ୍ଞତା ଓ ପାରମ୍ପରିକ ପରିଚୟର ଏକ ଅଂଶ। ବୃଦ୍ଧ ଆମା ଡାଇଭରମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଦକ୍ଷତା ଭାବେ ପରିଚିତ ମହିଳାଙ୍କ ମଧ୍ୟରେ 'ରେଇକୋ ନୋମୁରା' ଅନ୍ୟତମ । ୨୦୧୨ ମସିହାରେ ତାଙ୍କ ୮୦ ବର୍ଷ ବୟସରେ 'ଦ ଜାପାନ ଟାଇମ୍ସ' ତାଙ୍କ ଜୀବନ ଓ ଆମା ପରମ୍ପରା ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା।

ଜାପାନରେ ‘ଆମା’ଡାଇଭିଂର ପରମ୍ପରା ସାଧାରଣତଃ ପିଢ଼ି ପରେ ପିଢ଼ି ହୋଇଆସିଛି। ଛୋଟବେଳୁ ଉପକୂଳବର୍ତ୍ତୀ ପରିବାରର ଝିଅମାନେ ବଡ଼ମାନଙ୍କୁ ଦେଖି ସମୁଦ୍ର, ଜୁଆର-ଭଟ୍ଟା, ପାଣିର ପ୍ରବାହ ଓ ସାମୁଦ୍ରିକ ଜୀବନ ବିଷୟରେ ଜାଣିଥାନ୍ତି। ଏହି ପାରମ୍ପରିକ ଜ୍ଞାନ କେବଳ ଡାଇଭିଂ ନୁହେଁ; ସମୁଦ୍ରରୁ କେତେ ମାତ୍ରାରେ ଜୀବ ସଂଗ୍ରହ କରିବା ଉଚିତ ଏବଂ ପ୍ରକୃତିର ସନ୍ତୁଳନ କିପରି ରକ୍ଷା କରାଯିବ, ସେ ବିଷୟରେ ମଧ୍ୟ ଜ୍ଞାନ ଦିଏ। ତେବେ ଆଜି ଏହି ଐତିହାସିକ ପରମ୍ପରା ଏକ ବଡ଼ ସଙ୍କଟ ଦେଇ ଗତି କରୁଛି। ଯୁବ ପିଢ଼ିର ଅନେକେ ଏହି କଷ୍ଟକର ପେସାକୁ ଛାଡ଼ି ସହର ମୁହାଁ ହେଉଛନ୍ତି। ଫଳରେ ‘ଆମା’ଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସେମାନେ ଜାପାନର ଏକ ପ୍ରାଚୀନ ସାମୁଦ୍ରିକ ସଂସ୍କୃତିର ଜୀବନ୍ତ ପ୍ରତୀକ। ଆଧୁନିକ ଜୀବନଶୈଳୀ ଓ ପ୍ରଯୁକ୍ତିର ଯୁଗରେ ବି ନିଜ ନିଶ୍ୱାସ ଉପରେ ଭରସା କରି ସମୁଦ୍ରକୁ ଓହ୍ଲାଇବା, ପ୍ରକୃତି ସହ ତାଳମେଳ ରଖି ଜୀବିକା ଅର୍ଜନ କରିବା ଏବଂ ପିଢ଼ି ପରେ ପିଢ଼ି ଏହି ଜ୍ଞାନକୁ ବଞ୍ଚାଇ ରଖିବା ‘ଆମା’ ମହିଳାଙ୍କ କାହାଣୀ ଏବେ ଜାପାନର ଏକ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର କାହାଣୀରେ ପରିଣତ ହୋଇଛି।