ନୂଆଦିଲ୍ଲୀ: ନେପାଳର ତୀବ୍ବତ-ଚୀନ ସୀମା ନିକଟରେ ହୋଇଥିବା ଭୀଷଣ ବନ୍ୟାରେ କୈଳାଶ ମାନସରୋବର ଯତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ଏକ ସମୂହ ପ୍ରଭାବିତ ହୋଇଛି। ଏହି ବନ୍ୟାରେ ଏକ ଇମିଗ୍ରେସନ ସେଣ୍ଟର ଭାସିଯାଇଥିବାର ଖବର ଆସୁଛି। ଏଠାରେ ଇଶା ଫାଉଣ୍ଡେସନର ୭୭ ତୀର୍ଥ ଯାତ୍ରୀ ଓ ୩ ଜଣ ସ୍ୱେଚ୍ଛାସେବୀ ଥିଲେ। ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। କହିଛନ୍ତି ସେ ନିଜେ ଏବେ ଅଞ୍ଚଳରେ ଅଛନ୍ତି ଓ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି।

ସଦଗୁରୁ କହିଛନ୍ତି ଯେ ତାଙ୍କ ଯାତ୍ରାରେ ସାମିଲ ୨୧ ସମୂହର ୪୯୫ ଯାତ୍ରୀ ସୁରକ୍ଷିତ ଲେଉଟି ଯାଇଛନ୍ତି। ତାଥାପି ନେପାଳ ଓ ତୀବ୍ବତରେ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଅଛନ୍ତି। ସେ କହିଛନ୍ତି ଯେ ଇମିଗ୍ରେସନ ସେଣ୍ଟରରେ ଥିବା ଲୋକଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ସୂଚନା ହସ୍ତଗତ ହୋଇ ନାହିଁ। ତେବେ ସେମାନେ କେଉଁ ପରିସ୍ଥିତିରେ ଅଛନ୍ତି ଜାଣିବା ପାଇଁ ଉଦ୍ୟମ ଜାରି ରହିଛି। ସଦଗୁରୁ କହିଛନ୍ତି ଯେ ଗ୍ୟୋରୋଙ୍ଗ ଅଞ୍ଚଳରେ ଅଚାନକ ଆସିଥିବା ବନ୍ୟା ଇମିଗ୍ରେସନ କାର୍ଯ୍ୟାଳୟ ସମେତ ସହରର ବିସ୍ତୃତ ଅଞ୍ଚଳକୁ ପ୍ରଭାବିତ କରିଛି।

ସଦଗୁରୁ ପ୍ରଭାବିତ ତୀର୍ଥ ଯାତ୍ରୀ ଓ ସେମାନଙ୍କ ପରିବାର ପ୍ରତି ସମ୍ବେଦନା ବ୍ୟକ୍ତ କରି କହିଛନ୍ତି ଯେ ଉଦ୍ଧାର ଅଭିଯାନରେ ଯଥାସମ୍ଭବ ସହାୟତା କରାଯାଉଛି। ବୁଧବାର ପ୍ରତ୍ୟୁଷରେ ନେପାଳ-ଚୀନ ସୀମା ନିକଟସ୍ଥ ରସୁଭା ଓ ଧାଡିଂ ଜିଲ୍ଲାରେ ଏହି ଘଟଣା ଘଟିଛି, ଯେଉଁଠି ବନ୍ୟାରେ ସଡକ ଓ ଅନ୍ୟ ଜରୁରି ଭିତ୍ତିଭୂମି ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ରିପୋର୍ଟ ଅନୁସାରେ ରସୁଭାଗଡ଼ି ଚେକପଏଣ୍ଟରେ କୈଳାଶ-ମାନସରୋବର ଯାତ୍ରାରେ ଯାଇଥିବା ୪୦୦ ଯାତ୍ରୀଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇ ପାରୁନି। ଏମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ଭାରତୀୟ ଥିବା କୁହାଯାଇଛି। ସ୍ଥାନୀୟ ପ୍ରଶାସନ ଓ ଉଦ୍ଧରାକାରୀ ଦଳ ପ୍ରଭାବିତ ଲୋକଙ୍କ ସନ୍ଧାନ ନେବାକୁ ଉଦ୍ୟମ କରୁଛନ୍ତି।