ବଲୁଚିସ୍ତାନ ୧୫।୨: ପାକିସ୍ତାନୀ ସୈନିକ ବଲୁଚ ଲିବରେସନ ଆର୍ମି (ବିଏଲଏ) ନିକଟରେ ବନ୍ଦୀ ଅଛନ୍ତି। ବିଏଲଏ ସୈନିକମାନଙ୍କୁ ବନ୍ଦୀ କରି ପାକିସ୍ତାନ ସରକାରଙ୍କୁ ୭ ଦିନର ଅଲ୍ଟିମେଟମ ଦେଇଛି। ଏଥିରେ ଯଦି ସରକାର ସୈନିକଙ୍କ ମୁକ୍ତି ଚାହାନ୍ତି ତେବେ ବିଏଲଏର ଦାବି ମାନି ନିଅନ୍ତୁ ବୋଲି କୁହାଯାଇଛି। ବିଏଲଏ ଦାବି ଅନୁସାରେ ଅପରେସନ ହେରାଫ ୨.୦ କାଳରେ ପାକିସ୍ତାନ ସୁରକ୍ଷା ବଳର ୧୭ ଜଣ ସୈନିକଙ୍କୁ ଧରାଯାଇଥିଲା। ତେବେ ୧୦ ଜଣଙ୍କୁ ମୁକ୍ତ କରିଦିଆଯାଇଛି। ୭ ଜଣ ସୈନିକ ଏବେବି ବନ୍ଦୀ ଅଛନ୍ତି।

ବିଏଲଏ ଅନୁସାରେ ବନ୍ଦୀ ସୈନିକ ମାନଙ୍କୁ ବଲୁଚ ରାଷ୍ଟ୍ର କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ବିଏଲଏ ୭ ସୈନିକଙ୍କ ମୁକ୍ତି ବଦଳେ ନିଜ ଲୋକଙ୍କ ମୁକ୍ତି ଦାବି କରିଛି। ଏଥି ପାଇଁ ପାକିସ୍ତାନ ସରକାରଙ୍କୁ ୭ ଦିନ ସମୟ ଦିଆଯାଇଛି। ବିଏଲଏ କହିଛି ଯେ ଆମେ ବନ୍ଦୀ ପ୍ରତ୍ୟାର୍ପଣ ନିମନ୍ତେ ପ୍ରସ୍ତୁତ ଅଛୁ। ଅନ୍ତର୍ଜାତୀୟ ଯୁଦ୍ଧବନ୍ଦୀ ସିଦ୍ଧାନ୍ତ ଅନୁସାରେ ଏହି ପ୍ରସ୍ତାବ ରଖାଯାଇଛି। ଯଦି ପାକିସ୍ତାନ ସେନା ବିଏଲଏ ଦାବି ସ୍ୱୀକାର ନ କରେ ତେବେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିମନ୍ତେ ସତର୍କ କରାଇ ଦିଆଯାଇଛି।

ବିଏଲଏ ପାକିସ୍ତାନୀ ସେନାଙ୍କ ଭିଡିଓ ଜାରି କରିଛି। ଏଥିରେ ପାକିସ୍ତାନୀ ସୈନିକଙ୍କୁ ଯେପରି ନିର୍ଯାତନା ଦିଆଯାଉଛି ଏହାର ଚର୍ଚ୍ଚା ଏବେ ସାରା ବିଶ୍ୱରେ ହେଉଛି। ଭିଡିଓରେ ପାକିସ୍ତାନୀ ସୈନିକଙ୍କୁ ଆଣ୍ଠୁ ମାଡ଼ି ବସିଥିବା ଦେଖାଯାଉଛନ୍ତି ଓ ସେମାନଙ୍କ ପ୍ରାଣ ରକ୍ଷା କରିବାକୁ ଗୁହାରି କରୁଛନ୍ତି। ପାକିସ୍ତାନୀ ସେନାଙ୍କ ପୋଷାକ, ବନ୍ଧୁକ ଓ ଟୋପି ସବୁ ବିଏଲଏ ଯୋଦ୍ଧାମାନେ ଛଡାଇ ନେଇଥିବା ବେଳେ ବନ୍ଧୁକ ମୁନରେ ସେମାନଙ୍କୁ ଅଟକାଇ ରଖିଛନ୍ତି।

ଏହା ବି ପଢ଼ନ୍ତୁ:-ଇସଲାମବାଦରେ ଇମ୍ରାନ ଖାନ୍ଙ୍କ ନୂଆ ଠିକଣା, ଏହି ‘ଫାଇଭ୍ ଷ୍ଟାର’ ଜେଲ୍କୁ ହେବେ ଶିଫ୍ଟ