ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱରେ ଏବେ ଖାଦ୍ୟ ସଂକଟ ଗୁରୁତର ହେବାରେ ଲାଗିଛି। ଏକ ତାଜା ରିପୋର୍ଟ ଅନୁସାରେ ୨୦୨୫ ମସିହାରେ ୬୪.୫ କୋଟି ଲୋକେ ଭୋକର ସମ୍ମୁଖୀନ ହୋଇଥିଲେ, ଏହି ସମୟରେ ପ୍ରତି ୩ ଜଣରେ ଜଣେ ବ୍ୟକ୍ତି ପୌଷ୍ଟିକ ଆହାର କ୍ରୟ କରିବାକୁ ଅକ୍ଷମ ଥିଲା। ଏଣୁ ବିଶ୍ୱରେ ଖାଦ୍ୟ ସୁରକ୍ଷା ଜଟିଳ ହେଉଥିବା ରିପୋର୍ଟରେ କୁହାଯାଇଛି। ମିଳିତ ଜାତି ସଂଘର ନୂଆ ‘ଷ୍ଟେଟ ଅଫ ଫୁଡ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରିସିୟନ ଇନ ୱାର୍ଲଡ ରିପୋର୍ଟ’ରେ ଏହି ଦାବି କରାଯାଇଛି।

ରିପୋର୍ଟ ଅନୁସାରେ ଅନାହାରର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା କୋଭିଡ ପୂର୍ବ ତୁଳନାରେ ୬.୧ କୋଟି ବଢିଛି। ଆଫ୍ରିକା ପ୍ରଥମ ଥର ଏସିୟାକୁ ପଛରେ ପକାଇ ଅଧିକ କ୍ଷୁଧାର ସମ୍ମୁଖୀନ ହେଉଥିବା ଦେଶରେ ପରିଣତ ହୋଇଛି। ଏହି ରିପୋର୍ଟର ଆଉ ଏକ ଦିଗ ହେଉଛି ଲୋକଙ୍କୁ ଖାଦ୍ୟ ତ ମିଳୁଛି ହେଲେ ତାହା ପୌଷ୍ଟିକ୍ ନୁହେଁ। ଏଣୁ ଏଥିରେ କେବଳ ଲୋକଙ୍କ ପେଟ ପୁରି ପାରୁଛି। ରିପୋର୍ଟ ଅନୁସାରେ ୨୦୨୫ ମସିହାରେ ବିଶ୍ୱର ପ୍ରତ୍ୟେକ ତୃତୀୟ ବ୍ୟକ୍ତି ସ୍ୱାସ୍ଥ୍ୟକର ଓ ସନ୍ତୁଳିତ ଭୋଜନ କ୍ରୟ କରିବାକୁ ଅକ୍ଷମ ଥିଲା। ଏହାର କାରଣ ହେଉଛି ପୌଷ୍ଟିକ ଭୋଜନ ମହଙ୍ଗା ହେବା ବୋଲି କୁହାଯାଇଛି।

୨୦୧୭ ମସିହା ପରଠାରୁ ପୌଷ୍ଟିକ ଭୋଜନବାବଦ ବ୍ୟୟ ୪୫% ମହଙ୍ଗା ହୋଇଛି। ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବିକାଶ ସହାୟତା କାଟ୍, ବୈଶ୍ୱିକ ବାଣିଜ୍ୟ ବିବାଦ, ସାର ଓ ଇନ୍ଧନ ମୂଲ୍ୟ ବୃଦ୍ଧି, ଅଲନିନୋ ଓ ଜଳବାୟୁ ପରିବର୍ତ୍ତନ ମିଳିତ ଖାଦ୍ୟ ସଂକଟକୁ ଆଗାମୀ ବର୍ଷ ଆହୁରି ଗୁରୁତର କରିବ। ୟୁନିଭର୍ସିଟି ଅଫ ୱାଟର୍ଲୁ ର ପ୍ରଫେସର ଜେନିଫର କ୍ଲେପ କହନ୍ତି ବୈଶ୍ୱିକ କ୍ଷୁଧା ଲଗାତାର ଉଚ୍ଚସ୍ତରରେ ରହିଛି। ତାଙ୍କ ଅନୁସାରେ ଭୂ-ରାଜନୈତିକ ଉତ୍ତେଜନା, ସାର ଯୋଗାଣରେ ବାଧା, ବାଣିଜ୍ୟିକ ବିବାଦ ଓ ଜଳବାୟୁ ସମ୍ପର୍କିତ ଚରମ ଘଟଣା ବିଶ୍ୱରେ ପୁଣି ଖାଦ୍ୟ ମୂଲ୍ୟ ବଢାଇପାରେ।

ସେ କହିଛନ୍ତି ଯେ ଅସ୍ଥିର ବୈଶ୍ୱିକ ବଜାର ଉପରେ ନିର୍ଭରତା ବଢାଇବା ସମାଧାନ ନୁହେଁ ବରଂ ଏପରି ସ୍ଥାନୀୟ ମଜଭୁତ ଖାଦ୍ୟତନ୍ତ୍ର ତିଆରି ହେବା ଦରକାର ଯାହା ଲୋକଙ୍କୁ ଭବିଷ୍ୟତର ଝଟକାରୁ ରକ୍ଷା କରିପାରିବ। ଏହି ରିପୋର୍ଟରେ ଭାରତକୁ ପୃଥକ କରି ବିଶ୍ଲେଷଣ କରାଯାଇ ନାହିଁ। ହେଲେ ଏହାର ନିଷ୍କର୍ସ ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ସର୍ବ ବୃହତ୍ତ ଖାଦ୍ୟ ବିତରଣ ଯୋଜନା ମଧ୍ୟରୁ ଭାରତ ଗୋଟିଏ ଚଳାଉଛି। ଏହା ସତ୍ତ୍ୱେ ବଢୁଥିବା ଗ୍ରୀଷ୍ମ, ଅନିୟମିତ ମୌସୁମୀ, ବନ୍ୟା, ମରୁଡି ଓ ଅନ୍ୟ ଚରମ ପାଣିପାଗ ଘଟଣା କୃଷି ଉପରେ ଲଗାତାର ଚାପ ବଢାଉଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ କୃଷି ଉପରେ ସୀମିତ ନାହିଁ, ଏହାର ପ୍ରଭାବ ଫସଲ ଉତ୍ପାଦନ, ଖାଦ୍ୟ ମୂଲ୍ୟ ଓ ଶେଷରେ ଲୋକଙ୍କ ଥାଳି ପର୍ଯ୍ୟନ୍ତ ପହଞ୍ଚୁଛି।