କାଠମାଣ୍ଡୁ: ଭାରତର ଦାର୍ଜେଲିଂରେ ହୋଇଥିବା ଭୟଙ୍କର ଭୂସ୍ଖଳନ ପରି ସୀମାକୁ ଲାଗିଥିବା ଦେଶ ନେପାଳର ଅବସ୍ଥା ବି ଶୋଚନୀୟ ହୋଇପଡ଼ିଛି। ଶୁକ୍ରବାର ରାତି ଠାରୁ ଦୀର୍ଘ ୧୮ ଘଣ୍ଟାର ମୂଶଳ ବର୍ଷା ଯୋଗୁ ପୂର୍ବ ନେପାଳରେ ଭୂସ୍ଖଳନ ଓ ବନ୍ୟାରେ ୫୧ ଜଣଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୧ ହୋଇଥିଲା। ତେଣୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ୫୧ ଜଣଙ୍କ ମୃତ୍ୟୁ ନେଇ ନେପାଳ ସେନା କର୍ମୀ ସୂଚନା ଦେଇଛନ୍ତି।
ଦେଶର କୋଶି ପ୍ରଦେଶର ଇଲାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୩୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସଶସ୍ତ୍ର ପୋଲିସ ବାହିନୀ (ଏପିଏଫ)ର ମୁଖପାତ୍ର କାଳିଦାସ ଧାଉବାଜି କହିଛନ୍ତି। ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷ (NDRRMA) ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ, ୩୭ ଜଣଙ୍କ ମଧ୍ୟରୁ ଦେଉମାଇ ଏବଂ ମୈଯୋଗମାଇ ପୌରପାଳିକାରେ ୮ ଜଣ, ଇଲାମ ପୌରପାଳିକା ଏବଂ ସନ୍ଦକପୁର ଗ୍ରାମାଞ୍ଚଳ ପୌରପାଳିକାରେ ୬ ଜଣ, ସୂର୍ଯ୍ୟୋଦୟ ପୌରପାଳିକାରେ ୫ ଜଣ, ମାଙ୍ଗସେବୁଙ୍ଗରେ ୩ ଜଣ ଏବଂ ଫାକଫୋକଥୁମ୍ ଗାଁରେ ଜଣେ ଲୋକ ପ୍ରାଣ ହରାଇଛନ୍ତି।
ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ଛାଡ଼ି ଦେଲେ ବିଜୁଳି ମାରିବାରୁ ରୌତାହାଟରେ ୩ ଜଣ ଓ ଖୋଟାଙ୍କ ଜିଲ୍ଲୀରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପଞ୍ଚଥର ଦିଲ୍ଲାରେ ରାସ୍ତା ଖରାପ ଯୋଗୁ ଦୁର୍ଘଟଣା ଘଟି ୬ ଜଣଙ୍କ ଜୀବନ ଯାଇଛି। ପ୍ରବଳ ବର୍ଷା ଯୋଗୁ ଏକାଧିକ ଲୋକଙ୍କର ଭାସି ଯାଇ ମୃତ୍ୟୁ ହୋଇଛି। ବର୍ତ୍ତମାନ ନେପାଳ ସେନା, ନେପାଳ ପୋଲିସ ଏବଂ ଏପିଏଫ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ନେପାଳର ୭ଟି ପ୍ରଦେଶ ମଧ୍ୟରୁ ୫ଟି ପ୍ରଦେଶ ଯଥା କୋଶୀ, ମାଧେସ, ବାଗମତୀ, ଗଣ୍ଡକୀ ଏବଂ ଲୁମ୍ବିନୀରେ ମୌସୁମୀ ସକ୍ରିୟ ରହିଥିଲା। ପରିମାଣ ସ୍ୱରୂପ ପ୍ରକୃତିରେ ଏ ତାଣ୍ଡବ ଦେଖିବାକୁ ମିଳିଛି। ଅନ୍ୟପଟେ ପଡ଼ୋଶୀର ଏଭଳି ସମସ୍ୟାରେ ସବୁବେଳେ ଛିଡ଼ା ହୋଇଥିବା ଭାରତ ପୁଣିଥରେ ସହଯୋଗର ହାତ ବଢ଼ାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ୍ ମିଡିଆରେ ପୋଷ୍ଟ କରି ପଡ଼ୋଶୀ ଦେଶକୁ ସବୁ ପ୍ରକାର ସହଯୋଗ ପଠାଇବାକୁ ଭରାତ ପ୍ରତିବଦ୍ଧ ବୋଲି କହିଛନ୍ତି।

ଭାରତର ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ ପୋଲ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଗତ କିଛି ଦିନ ଧରି ପଶ୍ଚିମବଙ୍ଗ ଏବଂ ସିକିମରେ ମୁସଳଧାରାରେ ବର୍ଷା ହେଉଛି। ଯାହା ଫଳରେ ନଦୀ ଗୁଡିକ ପ୍ରବାହିତ ହେଉଛି। ଏହି ସମୟରେ, ଦାର୍ଜିଲିଂ ଏବଂ ସିକିମ ମଧ୍ୟରେ ଏକ ପୋଲ ହଠାତ୍ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ରାସ୍ତା ମଧ୍ୟ ଅବରୋଧିତ ହୋଇଛି। ରିଲିଫ୍ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷ ସଫା କରିବା ସହ ରାସ୍ତା ପୁନରୁଦ୍ଧାର କରିବା ପାଇଁ କାର୍ଯ୍ୟ କରୁଛନ୍ତି।