ଭୋଗରାଇ: ଘଞ୍ଚ ଜଙ୍ଗଲ , କିଟ କିଟ୍ ଅନ୍ଧାର... ସେହି ଅନ୍ଧକାର ଭିତରେ ଆସିଥିଲା ଏକ ଥାର ଗାଡ଼ି । ରାତି୧୧ଟା ୨୫ ପାଖାପାଖି ଗାଡ଼ିଟି ଯାଇଥିଲା ଜଙ୍ଗଲ ଭିତରକୁ । ରାତି ୧୧ ଟା ୪୦ରେ ଫେରିଥିଲା ସେହି ବାଟ ଦେଇ । ସେହି ଗାଡ଼ିରେ ବିଦେଶୀ ଜନ୍ତୁଙ୍କୁ କେହି ଆଣି ଛାଡ଼ି ଥିବା ଏବେ ସନ୍ଦେହ କରାଯାଉଛି। ରାତିରେ ଅନ୍ଧକାର ଭିତରେ ଏସବୁ ଚାଲିଥିଲା ବେଶ୍ ଲୁଚାଛପାରେ । କାର୍ପଟଦାରମାନେ ଭାବିଥିଲେ ଏସବୁ କାହା ନଜରକୁ ଆସିବନି। କିନ୍ତୁ ମତ୍ସଜୀବୀଙ୍କ ନଜରରୁ ବର୍ତ୍ତି ପାରି ନଥିଲେ ଚୋରା ଚାଲାଣକାରୀ। ସବୁ କିଛି ପଡ଼ି ଯାଇଥିଲା ତାଙ୍କ ନଜରରେ।ଏହି ଘଟଣାର ପରଦିନଭୋଗରାଇରୁ ଓରାଂଉଟାନ୍ ଉଦ୍ଧାରର ଖବର ଆସିଥିଲା ସାମ୍ନାକୁ ।

ବାଲେଶ୍ବର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ପରେ ବଢୁଛି ସସପେନ୍ସ । କିଏ ଆଣିଲା, କେଉଁଠାରୁ ଆଣିଲା, କେମିତି ଆଶିଲା ତାକୁ ନେଇ ବିଭାଗୀୟ ତଦନ୍ତ ଜାରି ବେଳେ ଏବେ ସ୍ଥାନୀୟ ଲୋକଙ୍କ ବୟାନ କରୁଛି ଆଶ୍ଚର୍ଯ୍ୟ । ଗୋଟିଏ ପଟେ ସ୍ଥାନୀୟ ବନବିଭାଗ କହୁଛି ଆମେ ପାଟ୍ରୋଲିଂ ସମୟରେ ଏହାକୁ ଦେଖିଥିଲୁ । ଏଣେ ସ୍ଥାନୀୟ ଲୋକେ କହିଛନ୍ତି ଯେ, ରାତି ଅଧରେ ଗୋଟିଏ ଗାଡି ଜଙ୍ଗଲ ଭିତରେ ପଶିଥିଲା । ସେହି ସମୟରେ କେଉଁଠି ଥିଲେ ବନ କର୍ମଚାରୀ। ଏହାରି ଭିତରେ ସାମ୍ନାକୁ ଆସିଛି CCTV ଫୁଟେଜ୍ । ଗୋଟିଏ କଳା ଥାର୍ ଜଙ୍ଗଲ ଭିତରକୁ ଯିବାର ଦୃଶ୍ୟ ସିସିଟିଭିରେ ହୋଇଛି କଏଦ। ଏହି କଳା ଥାରକୁ ନେଇ ବଢିଛି ସନ୍ଦେହ। କଳା ଥାରରେ ଓରାଙ୍ଗଓଟାନକୁ ଆଣି ଛଡା ଯାଇଥିବା ସନ୍ଦେହ କରୁଛନ୍ତି ତଦନ୍ତକାରୀ। ତେବେ କେଉଁଠୁ ଆସିଲା କଳା ଥାର ସେ ନେଇ ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା କରାଯାଉଛି । ଏହା ପଛରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରି ରାକେଟ୍ ସକ୍ରିୟ ଥିବା ସନ୍ଦେହ। ବଢ଼ି ସମୁଦ୍ରପଥ ଦେଇ ପଶ୍ଚିମବଙ୍ଗର ଏକ ବନ୍ଦରରୁ ଏଠାକୁ ଓରାଙ୍ଗୁଉଟାନଙ୍କୁ ଚୋରାରେ ଚାଲାଣ କରାଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ଧରାପଡ଼ିବା ଭୟରେ ବନ୍ୟଜନ୍ତୁ ତସ୍କରମାନେ ଏମାନଙ୍କୁ ଝାଉଁ ଜଙ୍ଗଲରେ ଛାଡ଼ି ପଳାଇଥିବା କୁହାଯାଉଛି।

ଏସବୁ ଭିତରେ ଆହୁରି ସନ୍ଦେହ ବଢ଼ାଇଛି, ଘଟଣାସ୍ଥଳରୁ ମିଳିଥିବା ହାତ ଗ୍ଲୋବ୍ସ । ଯାହାକୁ ନେଇ ବନ୍ୟଜନ୍ତୁ ତସ୍କରିର ଗନ୍ଧ ବାରି ହୋଇ ପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛି , ଇଣ୍ଡୋନେସିଆ, ମାଲେସିଆ ଭଳି ଚିରହରିତ ଜଙ୍ଗଲରେ ଦେଖାଯାଉଥିବା ଏହି ବିରଳ ବନ୍ୟଜନ୍ତୁ କେଉଁ ରୁଟ୍ ଦେଇ ଓଡ଼ିଶା ଆସିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଥାର ଗାଡ଼ି ଆସିବା ସମୟରେ ସେଠାରେ ଯଦି ବନ ବିଭାଗ ଥିଲେ , ତାହାଲେ ସେମାନେ କେମିତି ସବୁ ଜାଣି ପାରିଲେ ନାହିଁ। ବନ୍ୟଜନ୍ତୁ ତସ୍କରୀରେ ବନ କର୍ମଚାରୀଙ୍କ ସଂପୃକ୍ତି ନାହିଁ ତ ? ୫ ଓରାଂଉଟାନଙ୍କ ଆକସ୍ମିକ ଉପସ୍ଥିତି ନେଇ ବନବିଭାଗ ତଦନ୍ତ କରୁଛି। ହୁଏତ ତଦନ୍ତରୁ ଆମିପାରେ ବଡ଼ ସୁରାକ।

 AlsoRead- Orangutan Odisha : ସ୍ମଗ୍ଲିଂ ଲିଙ୍କ ଥାଇପାରେ, ଜଏଣ୍ଟ ଟାସ୍କ ଫୋର୍ସ ଘଟଣାର ଖିଅ ଖୋଜୁଛି

ସେପଟରେ ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍ ଏବେ ନନ୍ଦନକାନନରେ। ଉଦୟପୁର ଫରେଷ୍ଟ ଅଫିସ ର ଟିମ୍। ମଙ୍ଗଳବାର ରାତି ୧୦ଟା୨୦ରେ ୫ ଓରାଙ୍ଗଉଟାନଙ୍କୁ ଧରି ନନ୍ଦନକାନନରେ ପହଞ୍ଚିଥିଲେ। ଉଦ୍ଧାର ଓରାଙ୍ଗଅଟଙ୍ଗଙ୍କ ବୟସ ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ହେବ। ସେଥିପାଇଁ ସେମାନଙ୍କୁ ଦିଆଯାଉଛି କେବଳ ବୋତଲ କ୍ଷୀର । ଧୀରେ ଧୀରେ ସେମାନଙ୍କୁ ଫଳ ଖାଇବାକୁ ଦିଆଯିବ । ୫ରୁ ୬ ବର୍ଷ ହେବାପରେ ଫଳ ପତ୍ର ଖାଇପାରିବେ। ଓରାଙ୍ଗଓଟନକୁ ନନ୍ଦନକାନରେ ରଖିବା ପାଇଁ ସେଣ୍ଟ୍ରାଲ୍ ଜୁ ଅଥରିଟିଙ୍କ ଅନୁମତି ମାଗିଛି ଜଙ୍ଗଲ ଓ ପରିବେଶ ବିଭାଗ । ଓରାଙ୍ଗଟାନଙ୍କୁ ନନ୍ଦନକାନନରେ କ୍ଵାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ପାଇଁ ଇଣ୍ଡୋନେସିଆ କ୍ଲାଇମେଟ ପ୍ରସ୍ତୁତ କରଯାଇଛି ବୋଲି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ଏହା ସହ ମନ୍ତ୍ରୀ ମଧ୍ୟ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ତଦନ୍ତ ଏସଟିଏଫ କରୁଥିବା ସୂଚାଉଛନ୍ତି। ଏତେ ସବୁ ପରେ ଦୁଇଟି କଥାକୁ ଗୁରୁତ୍ୱ, ପ୍ରଥମ ହେଲା ଓରାଙ୍ଗଉଟାନଙ୍କୁ ଉପଯୁକ୍ତ ବାତାବରଣ ଦେଇ ବଞ୍ଚାଇ ରଖିବାକୁ ହେବ। ତା ସହ ଏହି ବିରଳ ଚୋରାଚାଲାଣକୁ ଖୋଜି ବାହାର କରିବା ତ ଜରୁରୀ।