କୋଣାର୍କ: ଆରମ୍ଭ ହେଲା କୋଣାର୍କ ମହୋତ୍ସବ ୨୦୨୫। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଅନ୍ୟ ଅତିଥି ବୃନ୍ଦ ଯୋଗ ଦେଇଥିଲେ।

ପ୍ରଥମେ ଅତିଥିମାନଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଥିଲା। ଏହାପରେ ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚର ଖୋଲା ଆକାଶ ତଳେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ନାମୀଦାମୀ କଳାକାର ମାନେ ପରିବେଷଣ କରିଥିଲେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ।

ଓଡ଼ିଶୀ ନୃତ୍ୟ ଗୁରୁ ସୋନାଲି ମହାପାତ୍ରଙ୍କ ନିର୍ଦେଶନାରେ ଭୁବନେଶ୍ୱରରୁ ଆସିଥିବା ନୃତ୍ୟ ଉପାସନା ପୀଠ ଅନୁଷ୍ଠାନର କଳାକାର ମାନେ ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ପରଷି ଦେଇଥିଲେ ହନୁମାନ ଚାଳିଶା, ସାରଙ୍ଗ ପଲ୍ଲବୀ ଏବଂ ଚାରି ଯୁଗ ଦେବୀ। ଯାହା ଦର୍ଶକ ମାନଙ୍କୁ ଦୀର୍ଘ ସମୟ ଧରି ମଞ୍ଚରେ ବାନ୍ଧି ରଖିଥିଲା। ପରେ କୋଣାର୍କ ମହୋତ୍ସବର ପ୍ରଥମ ସନ୍ଧ୍ୟାର ଦ୍ବିତୀୟ ଅର୍ଘ୍ୟରେ ହାଇଦ୍ରାବାଦରୁ ଆସିଥିବା ଭାରତନାଟ୍ୟମ ନୃତ୍ୟ ଗୁରୁ ଡ଼. ଆନନ୍ଦ ଶଙ୍କର ଜୟନ୍ତ ଏବଂ ଶଙ୍କରାନନ୍ଦ କଳାକ୍ଷେତ୍ର ଏନ୍ସମ୍ବଲ ଅନୁଷ୍ଠାନର କଳାକାର ମାନେ ମଞ୍ଚରେ ପରିବେଷଣ କରିଥିଲେ ଦଶାବତାରମ, ଦେବୀ ଉପାସକମ ଏବଂ ଶିବୋହମ।ଯାହା ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା।

କୋଣାର୍କ ମହୋତ୍ସବ ଉପଲକ୍ଷେ ଅନ୍ୟପଟେ କୋଣାର୍କ ସ୍ଥିତ ଚନ୍ଦ୍ରଭାଗା ବେଳାଭୂମିର ବିସ୍ତୀର୍ଣ୍ଣ ବାଲୁକା ରାଶିରେ ଉଦଘାଟନ ହୋଇଛି ୧୫ ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। ପ୍ରଥମ ଦିନର ଆରମ୍ଭରେ ବାଲୁକା ଶିଳ୍ପୀମାନେ ପ୍ରଦର୍ଶନ କରିଥିଲେ ସାଂସ୍କୃତିକ ମେଳା ଓ ମହୋତ୍ସବ ସହ ମନ୍ଦିର,ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରା କୁ ନେଇ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଚଳିତ ଥର ବାଲୁକାଶିଳ୍ପୀ ମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଜାପାନ, ଋଷ, ସ୍ପେନ, ପର୍ତୁଗାଲ ଓ ଶ୍ରୀଲଙ୍କା ଭଳି ଦେଶର କଳାକାର ମାନେ ଅଂଶ ଗ୍ରହଣ କରିଥିବା ବେଳେ ଭାରତର ବିଭିନ୍ନ ରାଜ୍ୟ ଯଥା ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଗୁଜୁରାଟ, ତାମିଲନାଡୁ, ଝାଡ଼ଖଣ୍ଡ, ପଣ୍ଡିଚେରୀ, ତେଲେଙ୍ଗାନା, ତ୍ରିପୁରା, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ କଳାକାର ମାନେ ଅଂଶ ଗ୍ରହଣ କରିଛନ୍ତି। ସେହିଭଳି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସର୍ବମୋଟ ୧୪୩ ଜଣ ବାଲୁକାଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି।