LIVE TV

୭ ଘଣ୍ଟାରେ ୨୫୦ ମିଲିମିଟର ବର୍ଷା, କୋଲକାତା ଉବୁଟୁବୁ, ବିଭିନ୍ନ ସ୍ଥାନରେ ୧୨ ମୃତ

NEWS7
kolkata rain

କୋଲକାତା ୨୪।୯: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ମଙ୍ଗଳବାର ଲଘୁଚାପ ବର୍ଷା ପ୍ରଳୟ ରଚିଛି। ମାତ୍ର ୭ ଘଣ୍ଟାରେ ୨୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି, ଯାହା ବାର୍ଷିକ ହାରାହାରି ବର୍ଷାର ପାଖାପାଖି ୨୦% ବୋଲି କୁହାଯାଇଛି। ଫଳରେ କୋଲକାତା ମହାନଗର ନିଗମ ଜଳାର୍ଣ୍ଣବ ହୋଇଥିବା ବେଳେ ପାଣି ନିଷ୍କାସିତ ନ ହୋଇ ବୁଧବାର ମଧ୍ୟ ଜମି ରହିଛି। ଏଥି ପାଇଁ ଲୋକେ ମହାନଗର ନିଗମର ଡ୍ରେନେଜ ବ୍ୟବସ୍ଥାକୁ ଦାୟୀ କରୁଛନ୍ତି।

ତେବେ ଅନେକ ଡ୍ରେନେଜ ସିଷ୍ଟମ ନୁହେଁ ଅଚାନକ ହୋଇଥିବା ଏତେ ପରିମାଣର ବର୍ଷା ସମ୍ଭାଳିବା ପାଇଁ ବ୍ୟବସ୍ଥା ପ୍ରସ୍ତୁତ ନଥିଲା ବୋଲି କହୁଛନ୍ତି। ଅଧିକାରୀଙ୍କ ଅନୁସାରେ ଭୀଷଣ ବର୍ଷା ଯୋଗୁ କୋଲକାତା ଓ ଆଖପାଖ ଅଞ୍ଚଳରେ ଅନୁନ୍ୟ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୯ ଜଣ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି ଓ ଅନ୍ୟ ୨ ଜଣ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ପାଣିପାଗ ବିଭାଗଙ୍କ ଅନୁସାରେ କୋଲକାତାରେ ୧୯୮୮ ମସିହା ପରେ ଏହା ଦ୍ୱିତୀୟ ସବୁଠୁ  ବଡ଼ ବର୍ଷା।

ତେବେ ବର୍ଷା ଓ ଏଥି ଯୋଗୁ ଉପୁଜିଥିବା ବନ୍ୟା ପରିସ୍ଥିତି କୋଲକାତାର ପୂଜା ବଜାରକୁ ବିଗାଡି ଦେଇଛି। ବିଭିନ୍ନ ସ୍ଥାନରେ ପୂଜା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥିରେ ବର୍ଷା ଦାଉ ସାଧିଛି। ଆଉ ୩ ଦିନ ପରେ ଷଷ୍ଠୀ, ଅନେକ ସ୍ଥାନରେ ପାର୍ବଣ ପ୍ରସ୍ତୁତି ପାଖାପାଖି ସରିଥିଲା। ଭୀଷଣ ବର୍ଷାରେ କେତେକ ସ୍ଥାନରେ ପେଣ୍ଡାଲ ଓ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିବାର ଏବେ ଖବର ଆସୁଛି। ତେବେ କୋଲକାତା ବର୍ଷାରେ ଏବେ ଏକ ରୋଲସ ରୟସ ଗାଡି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ସଡ଼କରେ ଅଧା ବୁଡି ରହିଥିବା ରୋଲସ ରୟସ ଘୋଷ୍ଟ କାରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାରତର ପାଣି ପାଗ ଓ ସଡ଼କରେ ଭୀଷଣ ବର୍ଷାରେ ଜମିଥିବା ପାଣିରେ କାରଟି ରାସ୍ତା ମଝିରେ ବନ୍ଦ ହୋଇଯାଇଛି। ଏଣୁ ମାଲିକ ଗାଡିରୁ ଓହ୍ଲାଇ ଚାଲି ଯାଇଥିବା ବେଳେ ରାସ୍ତା ଉପରେ ମୂଲ୍ୟବାନ ଗାଡ଼ିଟି ଛିଡା ହୋଇ ରହିଛି। ୧୦ ଲକ୍ଷର ଟାଟା କାର ପାଣି ଭରି ରହିଥିବା ରାସ୍ତାକୁ ଆରାମରେ ପାର କରିଯାଇଥିବା ବେଳେ କୋଟିକୋଟି ଟଙ୍କା ମୂଲ୍ୟ କାର ମଝି ରାସ୍ତାରେ ବୁଡି ରହିଛି ବୋଲି ଲୋକେ କମେଣ୍ଟ କରୁଛନ୍ତି। ତେବେ ଅନେକ ଏତେ ମୂଲ୍ୟବାନ ଗାଡ଼ି ପାଇଁ ଲୋକେ ବିପୁଳ ଟ୍ୟାକ୍ସ ଭରୁଥିବା ବେଳେ ସରକାର ସେମାନଙ୍କ ଗାଡି ପାଇଁ ଏପର୍ଯ୍ୟନ୍ତ ସହରରେ ଉପଯୁକ୍ତ ରାସ୍ତା ତିଆରି ପାରିନଥିବାର ଅଭିଯୋଗ କରୁଛନ୍ତି।