ନୂଆଦିଲ୍ଲୀ: ସିବିଏସଇର ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମ (OSM)ରେ ଥିବା ସୁରକ୍ଷା ତ୍ରୁଟିକୁ ସାମ୍ନାକୁ ଆଣିଥିବା ୧୯ ବର୍ଷର ଜଣେ ଏଥିକାଲ୍ ହ୍ୟାକରଙ୍କୁ ଆଇଆଇଟି କାନପୁରର ସାଇବର ସୁରକ୍ଷା ଅନୁସନ୍ଧାନ କେନ୍ଦ୍ରରେ ନିଯୁକ୍ତି ମିଳିଛି । ୧୯ ବର୍ଷୀୟ ନିସର୍ଗ ଅଧିକାରୀ ନିକଟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାସ୍ କରିଛନ୍ତି । ସେ ଆଇଆଇଟି କାନପୁରର ସାଇବର ସୁରକ୍ଷା ଏବଂ ସାଇବର ପ୍ରତିରକ୍ଷା ଇନୋଭେସନ ସେଣ୍ଟର (C3iHub)ରେ ଚୁକ୍ତିଭିତ୍ତିକ ଭାବେ 'OSINT ଏବଂ ଥ୍ରେଟ୍ ଇଣ୍ଟେଲିଜେନ୍ସ ଇଞ୍ଜିନିୟର' ଭାବରେ ଯୋଗ ଦେଇଛନ୍ତି।

ଚଳିତ ବର୍ଷ ବୋର୍ଡ ପରୀକ୍ଷା ଖାତାଗୁଡ଼ିକର ଡିଜିଟାଲ୍ ମୂଲ୍ୟାଙ୍କନ ପାଇଁ ସିବିଏସଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ଓଏସଏମ ସିଷ୍ଟମର ସୁରକ୍ଷା ତ୍ରୁଟିକୁ ପ୍ରକାଶ କରି ନିସର୍ଗ ଚର୍ଚ୍ଚାକୁ ଆସିଥିଲେ । ସେ ଅଭିଯୋଗ କରିଥିଲେ ଯେ ଏହି ସିଷ୍ଟମର ପାସୱାର୍ଡ ମ୍ୟାନେଜମେଣ୍ଟ, ଆକ୍ସେସ୍ କଣ୍ଟ୍ରୋଲ୍ ଏବଂ ଲଗ୍-ଇନ୍ ପ୍ରକ୍ରିୟାରେ ବଡ଼ ଧରଣର ତ୍ରୁଟି ରହିଛି । ଏହାକୁ ନେଇ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ହୋଇଥିଲା । ତେବେ ସିବିଏସଇ ପକ୍ଷରୁ କୁହାଯାଇଥିଲା ଯେ ଏହି ତ୍ରୁଟି କେବଳ ଏକ ଟେଷ୍ଟିଂ ପର୍ଯ୍ୟାୟରେ ଥିଲା ଏବଂ ଏହାଦ୍ୱାରା ପ୍ରକୃତ ମୂଲ୍ୟାଙ୍କନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ ।

ଆଇଆଇଟି କାନପୁରର ନିର୍ଦ୍ଦେଶକ ମଣୀନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ନିସର୍ଗ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଯୁବ ଇଞ୍ଜିନିୟର । ଖୁବ୍ କମ୍ ବୟସରେ ନିଜର ବୈଷୟିକ ଦକ୍ଷତା ପ୍ରମାଣିତ କରିଛନ୍ତି । ଆଇଆଇଟି କାନପୁରରେ ଯୋଗଦେବା ଦ୍ୱାରା ତାଙ୍କୁ ନିଜର ଦକ୍ଷତା ବଢ଼ାଇବା ସହ ସାଇବର ସୁରକ୍ଷା କ୍ଷେତ୍ରରେ ବଡ଼ ସୁଯୋଗ ମିଳିବ । ଏଠାରେ ସେ ଡିଜିଟାଲ୍ ସିଷ୍ଟମର ସୁରକ୍ଷା ଯାଞ୍ଚ କରିବେ ଏବଂ ତ୍ରୁଟିଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବେ ।

ନିଯୁକ୍ତିକୁ ନେଇ ନିସର୍ଗ କହିଛନ୍ତି ଯେ, ସାଇବର ସୁରକ୍ଷା କ୍ଷେତ୍ରରେ ଏହା ତାଙ୍କର ପ୍ରଥମ ପୂର୍ଣ୍ଣକାଳୀନ ଚାକିରି । ପୂର୍ବରୁ ସେ ସଫ୍ଟୱେର୍ ଇଞ୍ଜିନିୟର ଭାବେ ବିଦେଶୀ କମ୍ପାନି ଏବଂ ଷ୍ଟାର୍ଟଅପ୍ ସହ କାମ କରୁଥିଲେ ଓ ସାଇବର ସୁରକ୍ଷାକୁ ଏକ ନିଶା ଭାବେ ଗ୍ରହଣ କରିଥିଲେ । ସେ ନିଜ ଦରମା ବିଷୟରେ ସ୍ପଷ୍ଟ କରିନାହାନ୍ତି । କହିଛନ୍ତି ଯେ ଆମେରିକା କମ୍ପାନିଗୁଡ଼ିକ ଡଲାରରେ ଦରମା ଦେଉଥିବାରୁ ସେଠାରେ ତାହା ଅଧିକ ଥିଲା, ଏହି ଚାକିରିର ଦରମା ମଧ୍ୟ ବେଶ୍ ଭଲ ଅଛି ।