ନୂଆଦିଲ୍ଲୀ: ଭାରତ ସରକାର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରୁ ପ୍ରାୟ ୧୨,୬୮,୦୦୦ ଇମେଲ୍ ଆକାଉଣ୍ଟକୁ ଜୋହୋ ମେଲ୍‌କୁ ସ୍ଥାନାନ୍ତର କରିଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ କହିଛନ୍ତି "ଜୋହୋ ପ୍ଲାଟଫର୍ମକୁ ସ୍ଥାନାନ୍ତରିତ ଆକାଉଣ୍ଟ ସଂଖ୍ୟା ପ୍ରାୟ ୧୨.୬୮ ଲକ୍ଷ, ଯେଉଁଥିରେ ୭.୪୫ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି ।"

ସେ କହିଛନ୍ତି, ସରକାର ଏବଂ ଜୋହୋ ମଧ୍ୟରେ ହୋଇଥିବା ଚୁକ୍ତିନାମାରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଏହି ସମୟ ମଧ୍ୟରେ ସୃଷ୍ଟି ହୋଇଥିବା ସମସ୍ତ ତଥ୍ୟ ଏବଂ ଇଣ୍ଟେଲେକଚୁଆଲ୍ ପ୍ରୋପର୍ଟିର ମାଲିକାନା ସରକାର ବଜାୟ ରଖିବେ । ଆବଶ୍ୟକ ହେଲେ ପ୍ଲାଟଫର୍ମ ଜାରି ରଖିବା କିମ୍ବା ପୁରୁଣା ବ୍ୟବସ୍ଥାକୁ ଫେରିବା ସୁବିଧା ମଧ୍ୟ ସରକାରଙ୍କ ପାଖରେ ରହିବ ।

ମନ୍ତ୍ରୀ ଆହୁରି କହିଛନ୍ତି, "ଏହା ସୁନିଶ୍ଚିତ କରିବା ପାଇଁ, ସରକାର NIC ମାଧ୍ୟମରେ ଏକ ମାଷ୍ଟର ସିଷ୍ଟମ୍ସ ଇଣ୍ଟିଗ୍ରେଟର (MSI), ଜୋହୋକୁ ଚୟନ କରିଛନ୍ତି । ଏହା ଏକ ମଜଭୁତ କ୍ଲାଉଡ୍-ଆଧାରିତ ଇମେଲ୍ ସମାଧାନ ଯାହା ସମସ୍ତ ସରକାରୀ କର୍ମଚାରୀ ଏବଂ ୟୁଜର୍ସଙ୍କୁ ସପୋର୍ଟ କରିପାରିବ । ଏହି ମଡେଲ୍ ସାହାଯ୍ୟରେ ସିଷ୍ଟମକୁ ପ୍ରୋଫେସନାଲ୍ ଭାବେ ଅପଗ୍ରେଡ୍, ନୂଆ ପ୍ଲାଟଫର୍ମକୁ ପୁରୁଣା ଇମେଲ୍ ଆକାଉଣ୍ଟଗୁଡ଼ିକର ସିଧା ସ୍ଥାନାନ୍ତର ଏବଂ ୱାର୍ଡ ପ୍ରୋସେସର୍, ସ୍ପ୍ରେଡ୍‌ସିଟ୍ ଏବଂ ପ୍ରେଜେଣ୍ଟଟେସନ ସଫ୍ଚୱେର ଭଳି ଆଧୁନିକ ଉପକରଣଗୁଡ଼ିକର ସିଧା ସମନ୍ୱୟ ପାଇଁ ଅନୁମତି ଦିଏ ।"

ପୂର୍ବରୁ, ସରକାରୀ ଇମେଲ୍ ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର (NIC) ଦ୍ୱାରା ପରିଚାଳିତ ହେଉଥିଲା । ଏହା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଆସେ । ଏନଆଇସି ବିଭିନ୍ନ ଡିଜିଟାଲ୍ ସେବା ପରିଚାଳନା କରେ, ଯେଉଁଥିରେ ସରକାରୀ ଇମେଲ୍, ୱେବସାଇଟ୍, ପୋର୍ଟାଲ ଏବଂ ଡାଟା ସେଣ୍ଟର ସାମିଲ ରହିଛି । କିନ୍ତୁ ଜୋହୋ ବର୍ତ୍ତମାନ ଏନଆଇସି ଦ୍ୱାରା ବ୍ୟବହୃତ ଡିଜିଟାଲ୍ ଭିତ୍ତିଭୂମିକୁ ବଦଳାଇ ଦେଉଛି । ଏହାର ଅର୍ଥ Zoho ଆଗକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଷୟିକ କାର୍ଯ୍ୟଗୁଡ଼ିକୁ ପରିଚାଳନା କରିବ । ତଥାପି, ଏନଆଇସି କିଛି ଜରୁରୀ କ୍ଷମତା ନିଜ ପାଖରେ ବଜାୟ ରଖିବ । ଡୋମେନ୍ କଣ୍ଟ୍ରୋଲ୍, ଡାଟା ପିଲିସିକୁ ଚୂଡ଼ାନ୍ତ କରିବା, ଇମେଲ୍ ଉପରେ ନଜର ରଖିବା ଏବଂ ସମସ୍ତ ସରକାରୀ ଆକାଉଣ୍ଟ ଉପରେ ପ୍ରଶାସନିକ-ସ୍ତରୀୟ ନିୟନ୍ତ୍ରଣ ବଜାୟ ରଖିବା ।