ଇନ୍ଦୋର, ୦୯/୦୪ :ନଦୀରେ ଢଳାଗଲା ହଜାର ହଜାର ଲିଟର କ୍ଷୀର । ଆସ୍ଥା ନାଁରେ ପାଣିରେ ବହିଲା କ୍ଷୀର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ନେଟିଜେନ୍ସ ଉଠାଉଛନ୍ତି ପ୍ରଶ୍ନ । କେହି କେହି ଏହା ସଂସ୍କୃତି ଏବଂ ପ୍ରଥା କହୁଥିବା ବେଳେ ଆଉ କିଛି ବ୍ୟକ୍ତି କରିଛନ୍ତି ଜୋରଦାର ବିରୋଧ ।

ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ରହିଛି ପ୍ରାଚୀନ ସାତଦେବ କ୍ଷେତ୍ର । ଏହାକୁତପୋଭୂମି ବୋଲି ବିବେଚନା କରାଯାଏ । ଏଠାରେ ୨୧ଦିନ ଧରି ସନ୍ଥ ଶିବାନନ୍ଦ ମହାରାଜଙ୍କ ନେତୃତ୍ୱରେ ମହାଯଜ୍ଞ ହେଉଥିଲା । ତେବେ ଗୁରୁବାର ଯଜ୍ଞର ଶେଷ ଦିନ ଥିଲା । ଏହି ପରିପ୍ରେକ୍ଷୀରେ ନର୍ମଦା ନଦୀରେ ଏଗାର ହଜାର ଲିଟର କ୍ଷୀର ଅଭିଷେକ କରାଯାଇଛି । କ୍ଷୀର ଟ୍ୟାଙ୍କର ଜରିଆରେ ନଦୀରେ ଅଭିଷେକ ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନେଟିଜେନ୍ସଙ୍କ ରିଆକ୍ସନ

ଏତେ ମାତ୍ରାରେ କ୍ଷୀର ନଦୀରେ ଅଭିଷେକକୁ ନେଇ ନେଟିଜେନ୍ସ ପ୍ରତିକ୍ରିୟା ରଖିଛନ୍ତି । ଅନେକ ୟୁଜର ଘଟଣାକୁ ନାପସନ୍ଦ କରିବା ସହ କଟାକ୍ଷ କରିଛନ୍ତି । ବିଶ୍ୱାସ ନାଁରେ ଏହା ଠିକ୍ ନୁହେଁ ବୋଲି ମତ ଦେଉଛନ୍ତି । ଏପରି କାର୍ଯ୍ୟ ନଦୀର ପର୍ଯ୍ୟାବରଣକୁ କ୍ଷତି ପହଁଚାଇବ ବୋଲି କେହି କେହି କହୁଛନ୍ତି । ଯାହା ପାଣିର ଅମ୍ଲଜାନ ମାତ୍ରା କମାଇଦେବ ।

ପିୟୁଷ ରାୟ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଏତେ ସବୁ କ୍ଷୀର ନର୍ମଦାରେ ଢଳାଯିବା ପରେ ମାଛମାନଙ୍କୁ କ୍ୟାଲସିୟମ ଅଭାବ ହେବ ନାହିଁ । କିନ୍ତୁ ଏହି ନୂଆ ଲାଇଫ୍ ଷ୍ଟାଇଲ୍ ବାବଦରେ କମେଣ୍ଟ ଦେବାକୁ କେହି ମାଛ ନଥିବେ ।ଅନ୍ୟଜଣେ ୟୁଜର ଲେଖିଛନ୍ତି ଯେ, ଆସ୍ଥା ନାଁରେ ନଦୀରେ ୧୧ ହଜାର ଲିଟର କ୍ଷୀର ବିସର୍ଜନ କରାଯାଇଛି । ଏହା ଅନ୍ଧବିଶ୍ୱାସ । ଯାହା ନଦୀକୁ ପ୍ରଦୂଷିତ କରିଦେବ । ଜଳଚରଙ୍କ ପ୍ରତି ବିପଦ ସୃଷ୍ଟି କରିବ ।

ଆଉ କିଛି ୟୁଜର ଗତ ଫେବ୍ରୁଆରୀ ମାସରେ ଅନ୍ୟ ଏକ ଘଟଣାର ଭିଡିଓ ପୋଷ୍ଟ୍ କରିଛନ୍ତି । ଯେଉଁଥିରେ ଅଙ୍ଗନଓ୍ୱାଡି ଶିଶୁଙ୍କ ପାଇଁ କ୍ଷୀରରେ ପାଣି ମିଶାଯାଉଛି । ଅର୍ଥାତ କ୍ଷୀରର ଅଭାବ ଥିବା ବେଳେ ଏତେ ମାତ୍ରାରେ ନଷ୍ଟ ହେବା ଘଟଣାକୁ ସମସ୍ତେ ନାପସନ୍ଦ କରୁଛନ୍ତି ।