ଭୁବନେଶ୍ୱର: ଅସୁରକ୍ଷିତ ରାଜସ୍ୱ ନିରୀକ୍ଷକ ବା RI କାର୍ଯ୍ୟାଳୟ ଓ ପୁରୁଣା ତହସିଲ ଅଫିସ୍କୁ ନେଇ ବଡ଼ ପଦକ୍ଷେପ ନେଉଛି ରାଜସ୍ୱ ବିଭାଗ। ପୁରୁଣା ତହସିଲ ଅଫିସ୍ ସମେତ ରାଜ୍ୟର ସମସ୍ତ ରାଜସ୍ୱ କାର୍ଯ୍ୟାଳୟକୁ ପର୍ଯ୍ୟାୟକ୍ରମେ ମଡେଲ୍ ଅଫିସ୍ରେ ପରିଣତ କରାଯିବ। ଅଫିସ୍ଗୁଡ଼ିକର ମରାମତି ଓ ନୂତନ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥରାଶି ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଯେଉଁ ତହସିଲ କାର୍ଯ୍ୟାଳୟ ୧୦୦ ବର୍ଷ ପୂରଣ କରିଛି, ସେଗୁଡ଼ିକୁ ହେରିଟେଜ୍ ତହସିଲ ଅଫିସ୍ ଭାବେ ବିକଶିତ କରାଯିବ। ଏହାସହ ନୂଆ ତହସିଲ କାର୍ଯ୍ୟାଳୟଗୁଡ଼ିକରେ ଫର୍ନିଚର୍ ସହ ଆଧୁନିକ ସୁବିଧା ଯୋଗାଇ ଦିଆଯିବ। କୌଣସି ତହସିଲ ଅଫିସର ଅବସ୍ଥା ସମ୍ପର୍କରେ ଅଭିଯୋଗ କିମ୍ବା ତଥ୍ୟ ମିଳିଲେ, ଆବଶ୍ୟକ ଅର୍ଥରାଶି ତୁରନ୍ତ ମଞ୍ଜୁର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

କେବଳ ସରକାରୀ କର୍ମଚାରୀଙ୍କ ପାଇଁ ନୁହେଁ, ରାଜସ୍ୱ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ସୁବିଧାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ନୂଆ କାର୍ଯ୍ୟାଳୟରେ ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା ସହ ମହିଳାଙ୍କ ପାଇଁ ଆବଶ୍ୟକ ସୁବିଧା ଏବଂ ଶିଶୁଙ୍କ ପାଇଁ କ୍ରେଚ୍ ଭଳି ବ୍ୟବସ୍ଥା ରହିବ। ଏହାସହ ଆଧୁନିକ ଅଫିସ୍ ଭିତ୍ତିଭୂମି ଉପଲବ୍ଧ କରାଯିବ।କଟକରେ ନୂଆ କଲେକ୍ଟର, ସବ୍-କଲେକ୍ଟର, ତହସିଲ ଓ ଅନ୍ୟାନ୍ୟ ରାଜସ୍ୱ କାର୍ଯ୍ୟାଳୟ ନିର୍ମାଣ କାମ ଚାଲିଛି। କେତେକ ସ୍ଥାନରେ ନିର୍ମାଣ କାମ ଶେଷ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ କାମ ଜାରି ରହିଛି। ଅନ୍ୟ କିଛି ସ୍ଥାନରେ ନିର୍ମାଣ ପାଇଁ ଅନୁଦାନ ମଧ୍ୟ ଦିଆଯାଇଛି।

ରାଜସ୍ୱ କାର୍ଯ୍ୟାଳୟ ନିର୍ମାଣ କାମ ପାଇଁ R&B ବିଭାଗ, ଜଳସମ୍ପଦ ବିଭାଗ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ବା OBCC ଏବଂ ପୋଲିସ୍ ହାଉସିଂ କର୍ପୋରେସନ୍ ଭଳି ବିଭିନ୍ନ ଏଜେନ୍ସିକୁ ଦାୟିତ୍ୱ ଦିଆଯାଉଛି।ମନ୍ତ୍ରୀଙ୍କ କହିବା ଅନୁସାରେ, ରାଜସ୍ୱ କାର୍ଯ୍ୟାଳୟ କେବଳ ବାବୁମାନଙ୍କ ବସିବା ସ୍ଥାନ ନୁହେଁ, ବରଂ ସାଧାରଣ ଲୋକେ ଯେଉଁଠି ଆସି ନିଜର କାମ କରିବେ, ସେହି ଅନୁଯାୟୀ ଏହାର ଭିତ୍ତିଭୂମି ବିକଶିତ କରାଯିବ।

also read- ବର୍ଷା ମୁକାବିଲା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ୫ ଜିଲ୍ଲାରେ ରହି ତଦାରଖ କରିବେ ବରିଷ୍ଠ ଅଧିକାରୀ

ଚଳିତ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟର ସମସ୍ତ ରାଜସ୍ୱ କାର୍ଯ୍ୟାଳୟର ନିର୍ମାଣ ଓ ଆବଶ୍ୟକ ଉନ୍ନତିକରଣ କାମ ଶେଷ କରିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି।ଅର୍ଥାତ୍, ପୁରୁଣା ଓ ଅସୁରକ୍ଷିତ ରାଜସ୍ୱ କାର୍ଯ୍ୟାଳୟର ଚିତ୍ର ବଦଳିବ। ହେରିଟେଜ୍ ତହସିଲରୁ ଆରମ୍ଭ କରି ନୂଆ ମଡେଲ୍ ଅଫିସ୍ ପର୍ଯ୍ୟନ୍ତ—କର୍ମଚାରୀଙ୍କ ସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଅଧିକ ସୁବିଧାଜନକ ହେବ ରାଜସ୍ୱ କାର୍ଯ୍ୟାଳୟ।