ନୂଆଦିଲ୍ଲୀ ୧୭/୧୧: ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ । ସର୍ବଦା ଚର୍ଚ୍ଚିତ ଚେହେରା । ଅନେକ ସମୟରେ ପୁଅ ପାଇଁ ମୁହଁ ଖୋଲନ୍ତି । ଅନେକ ସମୟରେ ବି ବଖାଣନ୍ତି ନିଜ ମନର ଯନ୍ତ୍ରଣା । ଏବେ ପୁଣିଥରେ ସାମ୍ନାକୁ ଆସିଛି ତାଙ୍କ ମନର ବ୍ୟଥା । ତାଙ୍କ ଦୁଃଖଦ ଘଟଣା ବର୍ଣ୍ଣନା କରିବା ସମୟରେ, ସେ ମୃତ୍ୟୁ ବିଷୟରେ ବି କହିଛନ୍ତି । ଦି ଭିଣ୍ଟେଜ୍ ଷ୍ଟୁଡିଓ ସହିତ କଥାବାର୍ତ୍ତା ସମୟରେ, ଯୋଗରାଜ ସିଂହ ତାଙ୍କ କୋହ ବାଖ୍ୟା କରିଥିଲେ । ଯାହାକୁ ସେ ବର୍ଷ ବର୍ଷ ଧରି ଚାପି ରଖିଥିଲେ । ତାହା ଏବେ ଲୋକ ଲୋଚନକୁ ଆସିଛି ।

ସେ ତାଙ୍କ ଜୀବନର ସବୁଠାରୁ ଭୟଙ୍କର ଅଂଶକୁ ବି ଲୋକଲୋଚନକୁ ଆଣିଛନ୍ତି । ଯୋଗରାଜ ସିଂହ ବ୍ୟାଖ୍ୟା କରିଥିଲେ ଯେ ସେ ଖାଦ୍ୟ ପାଇଁ ଅପରିଚିତ ଲୋକଙ୍କ ଉପରେ ନିର୍ଭର କରି ବିରକ୍ତ ହୋଇଗଲେଣି । ଏବେ ସେ ମରିବାକୁ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛନ୍ତି ।ଯୋଗରାଜ ସିଂହ କହିଛନ୍ତି, ଯେ ତାଙ୍କ ଜୀବନର ଏକ ମୋଡ଼ରେ, ଯେତେବେଳେ ଯୁବରାଜ ଓ ତାଙ୍କ ମାଆ ଶବନମ ତାଙ୍କୁ ଛାଡି ଚାଲିଚାଲିଗଲେ । ଏହା ତାଙ୍କ ପାଇଁ ଥିଲା ଭୟଙ୍କର ଆଘାତ । ଘଟଣାଟି ବହୁତ ଭୟଙ୍କର ଥିଲା ।

ସେ ଆହୁରି ମଧ୍ୟ କହିଥିଲେ ଯେ ସେ ବିଶ୍ୱାସ କରିପାରୁ ନଥିଲେ ଯେ ଯେଉଁ ମହିଳା ପାଇଁ ସେ ତାଙ୍କ ସମଗ୍ର ଜୀବନ ଓ ଯୌବନକୁ ଉତ୍ସର୍ଗ କରିଥିଲେ । ସେ ତାଙ୍କୁ ଏମିତି ଛାଡିଯିବ ବୋଲି ଭାବନିଥିଲେ । ଏହିପରି ବହୁତ କିଛି ହରାଇଥିଲେ।ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ ପ୍ରକାଶ କରିଛନ୍ତି ଯେ ସେ ଏବେ ଖାଦ୍ୟ ପାଇଁ ଅଜଣା ବ୍ୟକ୍ତିଙ୍କ ଉପରେ ନିର୍ଭର କରନ୍ତି । କେତେବେଳେ ଜଣେ ବ୍ୟକ୍ତିଙ୍କ ଉପରେ, କେତେବେଳେ ଅନ୍ୟ ଜଣଙ୍କ ଉପରେ । ତଥାପି, ସେ କେବେ କାହାକୁ କଷ୍ଟ ଦେଇ ନାହାଁନ୍ତି ।

ଯୋଗରାଜ ସିଂହ କହିଛନ୍ତି ଯେ ତାଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ । ସେ ମରିବାକୁ ପ୍ରସ୍ତୁତ। ଭଗବାନ ଯେତେବେଳେ ଚାହିଁବେ ତାଙ୍କୁ ନେଇପାରିବେ ବୋଲି ସେ କହିଛନ୍ତି ।ଯୋଗରାଜ ସିଂହଙ୍କ କ୍ରିକେଟ କ୍ୟାରିଅର ବିଷୟରେ କହିବାକୁ ଗଲେ, ସେ ଜଣେ ପୂର୍ବତନ ଦ୍ରୁତ ବୋଲର। ସେ ଗୋଟିଏ ଟେଷ୍ଟ ଓ ଛଅଟି ଦିନିକିଆରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଯୋଗରାଜ ସିଂହ ଗୋଟିଏ ଟେଷ୍ଟରେ ଗୋଟିଏ ୱିକେଟ୍ । ଏହାସହ ଛଅଟି ଦିନିକିଆରେ ଚାରିଟି ୱିକେଟ୍ ନେଇଥିଲେ। ମୋଟାମୋଟି ଭାବରେ, ତାଙ୍କ କ୍ୟାରିୟରରେ ସେ ଖେଳିଛନ୍ତି ସାତ ମ୍ୟାଚ୍ ।