ଶ୍ରୀନଗର: ଜମ୍ମୁ-କାଶ୍ମୀର ସ୍ପେଶାଲ ଇନଭେଷ୍ଟିଗେସନ ଏଜେନ୍ସୀ (ଏସଆଇଏ) ଦ୍ୱାରା ୧୯୯୦ରେ କାଶ୍ମୀର ପଣ୍ଡିତ ନର୍ସ ସରଳା ଭଟ୍ଟ ଅପହରଣ ଓ ହତ୍ୟା ମାମଲାରେ ଅଭିଯୋଗ ଫର୍ଦ୍ଦ (ଚାର୍ଜସିଟ୍) ଦାଖଲ କରିଛି। ଫଳରେ ଉପତ୍ୟାକାରେ ସବୁଠୁ ଭୟାବହ ଆତଙ୍କୀ ମାମଲାରୁ ଗୋଟିଏକୁ ପାଖାପାଖି ୩୫ ବର୍ଷ ପରେ ନୂଆ ଜୀବନ୍ୟାସ ମିଳିଛି। ୭୩୭ ପୃଷ୍ଠାର ଚାର୍ଜସିଟ୍ ରେ ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ) କମାଣ୍ଡର ୟାସିନ ମଲ୍ଲିକ ସମେତ ୫ ଜଣ ଅଭିଯୁକ୍ତଙ୍କ ନାମ ରହିଛି।

ଚାର୍ଜସିଟ୍ ରେ ୧୯୯୦ ‘ଇଣ୍ଡିଆ ଟୁଡେ’ ରିପୋର୍ଟିଂ ଓ ଭିଡିଓର ଉଦାହରଣ ଦିଆଯାଇଛି। ସେହିପରି ଅଭିଲେଖିୟ ଫୁଟେଜକୁ ସେହି ପ୍ରମାଣର ଅଂଶ ଭାବେ ଉପଯୋଗ କରାଯାଇଛି ଯେଉଁଥିରେ ଯୁବା ନର୍ସଙ୍କୁ ଅପହରଣ ଓ ହତ୍ୟା ହୋଇଥିବା ପ୍ରମାଣିତ କରିବାରେ ସହାୟତା ମିଳିଛି। ସରଳା ଭଟ୍ଟ ଅନନ୍ତନାଗ ଜିଲ୍ଲାରେ ଜଣେ କାଶ୍ମୀର ପଣ୍ଡିତ ନର୍ସ ଥିଲେ। ସେ ଶ୍ରୀନଗରର ଶେର-ଏ-କାଶ୍ମୀର ଇନିଷ୍ଟେଟ୍ୟୁଟ ଅଫ ମେଡିକାଲ ସାଇନ୍ସ ( ଏସକେଆଇଏମଏସ୍) ରେ ନର୍ସ ଭାବେ କାମ କରୁଥିଲେ।

ତଦନ୍ତକାରୀଙ୍କ ଅନୁସାରେ ୧୯୯୦ରେ କାଶ୍ମୀରରେ ବ୍ୟାପ୍ତ ଭୟ ଓ ଧମକପୂର୍ଣ୍ଣ ପରିବେଶରେ ସେ ନିୟମିତ ଡ୍ୟୁଟିକୁ ଯାଉଥିଲେ। ତେବେ ୧୮ ଏପ୍ରିଲ ୧୯୯୦ରେ ତାଙ୍କୁ ଏସକେଆଇଏମଏସ୍ ପରିସର ନିକଟରୁ ଜେକେଏଲଏଫ ଆତଙ୍କବାଦୀ ଅପହରଣ କରିନେଇଥିଲେ। ତାଙ୍କ ମରଶରୀର ତା ପରଦିନ ହସ୍ପିଟାଲରୁ କିଛି କିଲୋମିଟର ଦୂର ଶ୍ରୀନଗରର ଉମର କଲୋନୀରୁ ମିଳିଥିଲା। ଏହି ଅପହରଣ ଓ ହତ୍ୟାକାଣ୍ଡ ସମଗ୍ର କାଶ୍ମୀରକୁ ବ୍ୟଥିତ କରିଥିଲା। କାରଣ ଏହା ସବୁଠୁ କ୍ରୁର ଥିଲା ଓ ଉପତ୍ୟାକାରୁ ପଣ୍ଡିତଙ୍କ ପଳାୟନ କାଳରେ ହୋଇଥିଲା।

ଯାଞ୍ଚ ଅନୁସାରେ ସରଳା ଭଟ୍ଟଙ୍କୁ ବନ୍ଧକ କରାଯାଇଥିଲା, ନିର୍ଯାତନା ଦିଆଯାଇଥିଲା ଓ ପରେ ଗୁଳି କରି ହତ୍ୟା କରାଯାଇଥିଲା। ଚାର୍ଜସିଟ୍ ରେ ଚିକିତ୍ସା ସାକ୍ଷରେ କିଛି ଗୁଳି ଚିହ୍ନ ଓ ଶାରୀକ ନିର୍ଯାତନାର ଉଲ୍ଲେଖ ରହିଛି। ତଦନ୍ତକାରୀ ଏହା ବି ଉଲ୍ଲେଖ କରିଛନ୍ତି ଯେ ଶବ ନିକଟରୁ ହତ୍ୟା ପାଇଁ ନିଜକୁ ଦାୟି କରି ଏକ ନୋଟ୍ ମଧ୍ୟ ଛଡା ଯାଇଥିଲା। ଯେଉଁଥିରେ ସରଳାଙ୍କୁ ସୁରକ୍ଷାବଳଙ୍କ ଗୁପ୍ତଚର ବୋଲି ଅଭିଯୋଗ ଥିଲା। ଏହି ନୋଟ୍ ସେତେବେଳେ ଆତଙ୍କବାଦୀଙ୍କ ଦ୍ୱାରା ସାର୍ବଜନିକ ଦାୟି କରିବାର ପ୍ରାରମ୍ଭିକ ମାମଲା ମଧ୍ୟରେ ଅନ୍ୟତମ ଥିଲା।

ତେବେ ସରଳାଙ୍କ ମୃତ୍ୟୁ ସହିତ ଆତଙ୍କବାଦୀଙ୍କ କୃତ୍ୟ ସମାପ୍ତ ହୋଇ ନଥିଲା। ପରେ ଆତଙ୍କବାଦୀ ଶ୍ରୀନଗର ସ୍ଥିତ ତାଙ୍କ ଘର ଉପରକୁ ଗ୍ରେନେଡ ମାଡ଼ କରିଥିଲେ। ଏଣୁ ସରଳାଙ୍କ ପରିବାର ଉପତ୍ୟାକା ଛାଡି ପଳାୟନ କରୁଥିବା ହଜାର ହଜାର କାଶ୍ମୀର ପଣ୍ଡିତ ପରିବାର ସହ ଉପତ୍ୟାକା ଛାଡି ଦେଇଥିଲେ। ତେବେ ପରିବାର ଦୀର୍ଘ ଦଶନ୍ଧୀ ଧରି ଯାଞ୍ଚରେ ପ୍ରଗତିକୁ ଅପେକ୍ଷା କରି ରହିଥିଲେ। ତେବେ ଜମ୍ମୁ-କାଶ୍ମୀରରେ ବ୍ୟାପ୍ତ ଆତଙ୍କବାଦ ଗତିବିଦ୍ଧି ଯୋଗୁ ମାମଲା ଅସମାହିତ ହୋଇ ରହିଯାଇଥିଲା।

ଏସଆଇଏ ଅନୁସାରେ ଆତଙ୍କାବାଦୀ ସମୂହଙ୍କ ଭୟ ଓ ଧମକ କାରଣରୁ ସାକ୍ଷୀ ମାନେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲେ। ତେବେ ମାର୍ଚ୍ଚ ୨୦୨୪ରେ ମାମଲା ଏସଆଇଏକୁ ଦିଆଯିବା ପରେ ତଦନ୍ତକାରୀ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିଥିଲେ। ଏଜେନ୍ସୀ କହିଛି ଯେ ଏଥିରେ ସଂରକ୍ଷିତ ସାକ୍ଷୀଙ୍କ ସାକ୍ଷ୍ୟ, ସ୍ୱତନ୍ତ୍ର ପ୍ରତ୍ୟକ୍ଷଦର୍ଶୀ, ଲିଖିତ ଅଭିଲେଖ ଓ ଦୀର୍ଘ ଦଶନ୍ଧିରେ ଏକତ୍ରୀତ କରାଯାଇଥିବା ବୈଜ୍ଞାନିକ ସାକ୍ଷ ଉପଯୋଗ କରି ଘଟଣାକ୍ରମର ପୁନଃ ନିର୍ମାଣ କରାଯାଇଛି।

ଏସଆଇଏ ଏହି ମାମଲାରେ ୟାସିନ ମଲିକ, ଖୁର୍ସିଦ ଅହମଦ ଚଲକୋ, ଅବଦୁଲ ହମିଦ ଶେଖ, ମହମଦ ୟୁସୁଫ , ସୋଫି ଓରଫ ଇଦ୍ରିସ୍ ଓ ଗୁଲାମ ମହମଦ ଟପଲୁକୁ ଅଭିଯୁକ୍ତ କରାଯାଇଛି। ସୂତ୍ର ଅନୁସାରେ ମାମଲାର ୩ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି, ଚଲକୋ ଫେରାର ଅଛି ଓ ମୁଖ୍ୟ ଅଭିଯୁକ୍ତ ୟାସିନ ମଲିକ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇ ଦେବା ମାମଲାରେ ଦିଲ୍ଲୀ ତିହାର ଜେଲରେ ବନ୍ଦୀ ଅଛି।

ସରଳା ଭଟ୍ଟଙ୍କ ମାମଲା କାଶ୍ମୀରରେ ଉଗ୍ରବାଦ ସମ୍ପର୍କିତ ଆତଙ୍କବାଦୀଙ୍କ ଅପରାଧରେ ନ୍ୟାୟର ଦୀର୍ଘ ଓ କଠିନ ଅନୁସନ୍ଧାନର ପ୍ରତୀକ ପାଲଟିଛି। ଅନେକ ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କ ଲାଗି ଏହି ଚାର୍ଜସିଟ୍ ଦାଖଲ ହେବା ୩ ଦଶନ୍ଧୀରୁ ଅଧିକ ସମୟ ପରେ ଉତ୍ତଦାୟିତ୍ୱ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ତେବେ କୋର୍ଟରେ ମୋକଦ୍ଦମା ଚାଲିଲେ ଅଭିଯୁକ୍ତଙ୍କ ସମ୍ପୃକ୍ତି ପ୍ରମାଣିତ ହେବ।