ନୂଆଦିଲ୍ଲୀ: ମାନବ ଇତିହାସରେ ଅନେକ ମହାମାରୀ, ଯୁଦ୍ଧ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । କିନ୍ତୁ ହାର୍ଭାର୍ଡ ୟୁନିଭର୍ସିଟିର ଜଣେ ଇତିହାସକାରଙ୍କ ଅନୁସାରେ, ପୃଥିବୀ ପୃଷ୍ଠରେ ବଞ୍ଚିବା ପାଇଁ ସବୁଠାରୁ କଷ୍ଟକର ଓ ଭୟାନକ ବର୍ଷ ଥିଲା ଖ୍ରୀଷ୍ଟାବ୍ଦ ୫୩୬ । ଏହା 'ଡାର୍କ ଏଜେସ୍' ବା ଅନ୍ଧକାର ଯୁଗର ସବୁଠାରୁ ଦୁଃଖଦାୟକ ସମୟ ଥିଲା ।

ବର୍ଷେ କାଳ ରହସ୍ୟମୟ ଅନ୍ଧକାର

୫୩୬ ମସିହାରେ ଆଇସଲ୍ୟାଣ୍ଡରେ ଏକ ବିରାଟ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଯୋଗୁଁ ବାୟୁମଣ୍ଡଳକୁ ଏତେ ମାତ୍ରାରେ କଳା ପାଉଁଶ ହୋଇଥିଲା ଯେ, ପୂରା ଆକାଶରେ ଏକ ମୋଟା ଆସ୍ତରଣ ତିଆରି କରିଦେଇଥିଲା । ଏହି ଧୂଆଁ ଯୋଗୁଁ ୟୁରୋପ, ଏସିଆ ଏବଂ ମଧ୍ୟ-ପୂର୍ବ ଦେଶଗୁଡ଼ିକରେ ପ୍ରାୟ ବର୍ଷେ କାଳ ସୂର୍ଯ୍ୟ କିରଣରୁ ବଞ୍ଚିତ ରହିଥିଲେ । ଦିନ ବେଳା ମଧ୍ୟ ରାତି ଭଳି କଳା ଅନ୍ଧାର ଦେଖାଯାଉଥିଲା ଏବଂ ସୂର୍ଯ୍ୟଙ୍କ ଆଲୋକ ଚନ୍ଦ୍ରର ଆଲୋକ ଭଳି ହୋଇଯାଇଥିଲା ।

ଭୟଙ୍କର ଶୀତ ଏବଂ ଦୁର୍ଭିକ୍ଷ

ସୂର୍ଯ୍ୟକିରଣ ନ ପଡ଼ିବା ଯୋଗୁଁ ପୃଥିବୀର ତାପମାତ୍ରା ହଠାତ୍ କମିଗଲା । ୨୩୦୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଥାଣ୍ଡା ଦଶନ୍ଧି ଥିଲା । ଚୀନରେ ଗ୍ରୀଷ୍ମ ଋତୁରେ ବରଫପାତ ହୋଇଥିଲା, ଯାହାଫଳରେ ସେଠାରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ୟୁରୋପ ଏବଂ ଏସିଆର ଅନେକ ଭାଗରେ ପ୍ରବଳ ମରୁଡ଼ି ଓ ଅତ୍ୟଧିକ ଶୀତ ଯୋଗୁଁ ଚାଷବାସ ଉଜୁଡ଼ିଗଲା । ଖାଦ୍ୟର ଚରମ ଅଭାବ ଦେଖାଦେବାରୁ କୋଟି କୋଟି ଲୋକ ଭୋକଉପାସରେ ପ୍ରାଣ ହରାଇଲେ ।

ଏହି ପ୍ରାକୃତିକ ବିପର୍ଯ୍ୟୟ ଏତିକିରେ ସରିନଥିଲା । ଦୁର୍ଭିକ୍ଷ ଯୋଗୁଁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥିଲା । ଏହାର ଠିକ୍ କିଛି ବର୍ଷ ପରେ, ଅର୍ଥାତ୍ ୫୪୧ ମସିହାରେ, ରୋମାନ୍ ସାମ୍ରାଜ୍ୟରେ 'ବ୍ୟୁବୋନିକ୍ ପ୍ଲେଗ୍' ମହାମାରୀ ବ୍ୟାପିଲା । ଏହି ମହାମାରୀ ରୋମାନ୍ ସାମ୍ରାଜ୍ୟର ପ୍ରାୟ ଏକ-ତୃତୀୟାଂଶ ଜନସଂଖ୍ୟାକୁ ସମ୍ପୂର୍ଣ୍ଣ ଶେଷ କରିଦେଇଥିଲା ।

ବୈଜ୍ଞାନିକମାନେ କେମିତି ଜାଣିଲେ ?

ବୈଜ୍ଞାନିକମାନେ ଗ୍ରୀନଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡର ବରଫ ଖଣ୍ଡ ଏବଂ ପୁରାତନ ଗଛର ବଳୟ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ଖ୍ରୀଷ୍ଟାବ୍ଦ ୫୩୬, ୫୪୦ ଏବଂ ୫୪୭ରେ କ୍ରମାଗତ ଭାବେ ବଡ଼ ବଡ଼ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା । ଗଛ ବଳୟ ଜ୍ୱାଳାମୁଖୀ ଉଦଗିରଣର ଅଧିକ ପ୍ରମାଣ ପ୍ରଦାନ କରେ । ଗଛ ବଳୟ ଥଣ୍ଡା ବର୍ଷଗୁଡ଼ିକରେ ସଙ୍କୁଚିତ ହୋଇଯାଏ ଏବଂ ଗରମ ଓ ଆର୍ଦ୍ର ହେଲେ ପ୍ରଶସ୍ତ ହୋଇଯାଏ । ଏହି ସମୟ ମଧ୍ୟରେ ଗଛ ବଳୟ ବହୁତ କମ୍ ବୃଦ୍ଧି ପାଇଥିବାର ଲକ୍ଷଣ ବୈଜ୍ଞାନିକମାନେ ଦେଖିଥିଲେ । ଏହା ଏକ ପ୍ରମୁଖ ଜଳବାୟୁ ପରିବର୍ତ୍ତନ କିମ୍ବା ଜ୍ୱାଳାମୁଖୀ ଉଦଗିରଣକୁ ସୂଚିତ କରିଥିଲା । ଆଉ ଏକ ପ୍ରମାଣ ବରଫ କୋରରେ ରହିଛି । ବୈଜ୍ଞାନିକମାନେ ଗ୍ରୀନଲ୍ୟାଣ୍ଡ, ଆଣ୍ଟାର୍କଟିକା ଏବଂ ସ୍ୱିସ୍ ଆଲପ୍ସରେ ସଲଫେଟ୍ ଏବଂ ଜ୍ୱାଳାମୁଖୀ ଚିହ୍ନ ପାଇଛନ୍ତି । ମେନ୍ ବିଶ୍ୱବିଦ୍ୟାଳୟର ହିମବିଜ୍ଞାନୀ ପଲ ମାୟେୱସ୍କିଙ୍କ ନେତୃତ୍ୱରେ ଗବେଷକଙ୍କ ଏକ ଦଳ ଏକ ବରଫର ଅଧ୍ୟୟନ କରିଥିଲେ । ସେମାନେ ସେଥିରେ ଜ୍ୱାଳାମୁଖୀ ସହିତ ଜଡିତ ସାମଗ୍ରୀ ପାଇଥିଲେ ।