ପାଟଣା ୩୦।୮: ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ । ମଦ ନିଶାରେ ସାମାନ୍ୟ ବଚସାକୁ ନେଇ ସ୍ତ୍ରୀଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ । ମୃତକ ସ୍ତ୍ରୀ ହେଲେ ସାବିତା ଭୂମିଜ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଭୂମିଜ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଶୁକ୍ରବାର ରାତିରେ ସ୍ୱାମୀ ହେମନ୍ତ ଭୂମିଜ ମଦ୍ୟପାନ କରି ଘରକୁ ଫେରିବା ପରେ ସ୍ତ୍ରୀ ସାବିତାଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ଉତ୍ତ୍ୟକ୍ତ ହୋଇ ହେମନ୍ତ ଏକ କାଠ ଫାଳିଆରେ ସାବିତାଙ୍କୁ ନିର୍ଦ୍ଦୟ ଭାବେ ପିଟିଥିବା ଅଭିଯୋଗ ହୋଇଛି । ଫଳରେ ଘଟଣାସ୍ଥଳରେ ସାବିତାଙ୍କ ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ହେମନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଖବର ପାଇ ପାଟଣା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ହେମନ୍ତଙ୍କୁ ଗାଁ ନିକଟରୁ ପାଇ ଅଟକ ରଖି ପଚରାଉଚରା କରିବା ସହ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଇ ଘଟଣାର ସମସ୍ତ ଦିଗ ନେଇ ତଦନ୍ତ ଜାରି ରହିଛି ।