ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ଆଇଏଏସ ଅଫିସର ଦିବ୍ୟା ମିତ୍ତଲ ଏବେ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବେ। ସେ ଅଗଷ୍ଟ ୩୦ ତାରିଖରେ ଚାକିରିରୁ ତାଙ୍କର ଇସ୍ତଫା ଦେଇଥିଲେ, ଏହାକୁ ରାଜ୍ୟ ସରକାର ସେପ୍ଟେମ୍ବର ୧୪ ତାରିଖରେ ମଞ୍ଜୁର କରିଛନ୍ତି। ନିଜ କାମ ଯୋଗୁ ନାମ କମାଇଥିବା ଏହି ଆଇଏଏସ ଅଧିକାରୀଙ୍କ ଲକ୍ଷଲକ୍ଷ ଫଲୋଅର ଏବେ ଏହା ଜାଣିବାକୁ ଆଗ୍ରହୀ ଯେ ସେ ଆଗକୁ କରିବେ କ’ଣ? ଏଥି ମଧ୍ୟରେ ଦିବ୍ୟା ମିତ୍ତଲ ରବିବାର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଣୁ ତାଙ୍କ କ୍ୟାରିୟରକୁ ନେଇ ଅଟକଳ ଆରମ୍ଭ ହୋଇଯାଇଛି।

ଦିବ୍ୟା ମିତ୍ତଲ ଉତ୍ତରପ୍ରଦେଶରେ ଜିଲ୍ଲା କଲେକ୍ଟର ଥିଲେ। ସେ ଭାରତୀୟ ପ୍ରଶାସନିକ ସେବାରେ ଦୀର୍ଘ ୧୩ ବର୍ଷ କାମ କରିଛନ୍ତି। ତେବେ ସେ ଅଗଷ୍ଟ ୩୦ ତାରିଖ ଦିନ ଅଚାନକ ପଦବୀରୁ ଇସ୍ତଫା ଦେଇଥିଲେ। ଏହି କାରଣରୁ ଦିବ୍ୟା ମିତ୍ତଲ ସାରା ଦେଶରେ ଏବେ ଚର୍ଚ୍ଚାରେ ଅଛନ୍ତି। ହେଲେ ତାଙ୍କ ଇସ୍ତଫା ଦେବାର କାରଣ କଣ ହୋଇ ପାରେ ଏ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଆଇଆଇଟି ଓ ଆଇଆଇଏମରୁ ସ୍ନାତକ ହାସଲ କରିବା ପରେ ସେ ଲଣ୍ଡନରେ ଉଚ୍ଚବେତନରେ ଚାକିରି ପାଇଥିଲେ। ତେବେ ସେ ୟୁପିଏସସି କ୍ୱାଲିଫାଏ କରିବା ଯୋଗୁ ବିଦେଶ ଚାକିରି ଛାଡିଦେଇଥିଲେ।

୧୩ ବର୍ଷ ସେବା ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ପୂର୍ବତନ ଆଇଏଏସ ଅଧିକାରୀ ଦିବ୍ୟା ମିତ୍ତଲ ଏବେ ତାଙ୍କ ଜୀବନର ନୂଆ ପ୍ରାରମ୍ଭ କରିବାକୁ ଯାଉଛନ୍ତି। ଦିବ୍ୟା ଜଣେ କୁଶଳୀ ଅଧିକାରୀ ଭାବେ ଜଣା ଯାଆନ୍ତି। ଦିବ୍ୟା ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ‘ଏବେ ଏହି ଯାତ୍ରାରେ ଆଗକୁ ବଢିବା ପାଇଁ ମୁଁ ପ୍ରସ୍ତୁତ’। ତେବେ ସେ କେଉଁ ଯାତ୍ରା କରିବେ ତାହା ସ୍ପଷ୍ଟ କରି ନାହାନ୍ତି। ସେ ସେପ୍ଟେମ୍ବର ୨୯ ସକାଳେ ଏ ନେଇ ଜଣାଇବେ ବୋଲି ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତେବେ ସେ କଣ ଘୋଷଣା କରିବେ ସେ ନେଇ ତାଙ୍କ ଫଲୋଅର୍ସ ଏବେ ଅପେକ୍ଷା କରି ରହିଛନ୍ତି।