ଭୁବନେଶ୍ୱର ୧୫।୧୦ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ।  ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ଚିଠିରେ ସାଂସଦ ଉଲ୍ଲେଖ କରିଛନ୍ତି ଯେ, ରାଜପଥ ଓ ଶିଳ୍ପାଞ୍ଚଳରେ ମାଳମାଳ ବଡ଼ ଗାଡ଼ି ଓ ଟ୍ରକ୍ ପାର୍କିଂ ଯୋଗୁଁ ବଢୁଥିବା ସଡ଼କ ଦୁର୍ଘଟଣା ଓ ଲୋକଙ୍କ ସୁରକ୍ଷା ପ୍ରତି ଧର୍ମେନ୍ଦ୍ର ଚିନ୍ତା ପ୍ରକଟ କରିଛନ୍ତି  । ସେ କହିଛନ୍ତି ଯେ,  ଜାତୀୟ ରାଜପଥରେ ନିରାପଦ ଯାତାୟାତ ମୌଳିକ ଅଧିକାର ବୋଲି ସୁପ୍ରିମ କୋର୍ଟଙ୍କ ରାୟ ରହିଛି ।  ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଆଇନ ୨୦୨୫, ସେକ୍ସନ ୨୮ ଅନୁଯାୟୀ କମ୍ପାନୀ, ପରିବହନକାରୀ ଓ ଡ୍ରାଇଭରଙ୍କ ବିରୁଦ୍ଧରେ ଜରିମାନା ଏବଂ କାରାଦଣ୍ଡ ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ଦାବି କରିଛନ୍ତି ଧର୍ମେନ୍ଦ୍ର ।

Also Read:-କେଉଁ ମାସରେ ଅଧିକ ବଜ୍ରପାତ ? ସତର୍କ କଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ସେହିପରି ଶିଳ୍ପ ଓ ଖଣି କମ୍ପାନୀଗୁଡ଼ିକର ଲଜିଷ୍ଟିକ୍ସ ଅବ୍ୟବସ୍ଥା ପାଇଁ ସେମାନଙ୍କ ଉପରେ କର୍ପୋରେଟ୍ ଲାୟାବିଲିଟି ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ମାଇନିଂ କମ୍ପାନୀଗୁଡ଼ିକ ପାଇଁ ଅଫ୍-ହାଇୱେ ହୋଲ୍ଡିଂ ୟାର୍ଡ ନିର୍ମାଣ, ସେକ୍ସନ ୭୨ ଅଧୀନରେ ଗାଡ଼ି ଜବତ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ଜରିଆରେ ନିୟମିତ ସମୀକ୍ଷା ହେଉ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି।