ଓ୍ୱାଶିଂଟନ: ଏପ୍ରିଲରେ ଟ୍ରମ୍ପଙ୍କୁ ଆଟାକ୍। ମେ’ରେ ଟ୍ରମ୍ପଙ୍କ ଝିଅଙ୍କୁ ହତ୍ୟା ଉଦ୍ୟମ। ବାସ୍, ଏଇ ଦୁଇଟି ଘଟଣାକୁ ନେଇ ଆମେରିକାରେ ହଲଚଲ। ବଡ଼ ବିପଦରେ ରାଷ୍ଟ୍ରପତି ଓ ତାଙ୍କ ପରିବାର। କଡ଼ା ସୁରକ୍ଷା ବଳୟରେ ହ୍ୱାଇଟ ହାଉସ। କିନ୍ତୁ ଟ୍ରମ୍ପଙ୍କୁ ବଞ୍ଚାଇବାକୁ ଯାଇ ବଡ଼ ଭୁଲ କରିଦେଲେ ସିକ୍ରେଟ୍ ସର୍ଭିସ ଏଜେଣ୍ଟ। ହ୍ୱାଇଟ ହାଉସରେ ଏମିତି କଣ ଘଟିଲା, ଜଣେ ମାନସିକ ରୋଗୀଙ୍କୁ ବିଚ୍ ରାସ୍ତାରେ ମାରିଦେଲେ।

ମେ ୨୩ ତାରିଖ। ସମୟ ସନ୍ଧ୍ୟା ୬ଟା। ହଠାତ୍ 'ହ୍ୱାଇଟ୍ ହାଉସ୍' ବାହାରେ ଖେଳିଗଲା ଆତଙ୍କ। ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନରେ ହମ୍ଲା। ସୁରକ୍ଷା ଚେକପୋଷ୍ଟରେ ଅତର୍କିତ ଗୁଳିମାଡ଼ କଲେ ଜଣେ ୨୧ ବର୍ଷୀୟ ଯୁବକ। ଜବାବୀ ହମଲା କଲା ସିକ୍ରେଟ ସର୍ଭିସର ଏଜେଣ୍ଟ। ମାତ୍ର କିଛି ମିନିଟ୍ ମଧ୍ୟରେ ଆକ୍ରମଣକାରୀ ନିହତ। ଘଟଣା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ଥିଲେ।

କିନ୍ତୁ ଆଶ୍ଚର୍ଯ୍ୟ କରିଛି- କୋର୍ଟକୁ ଦିଆଯାଇଥିବା ଆମେରିକା ସୁରକ୍ଷା ଏଜେନ୍ସିର ଦସ୍ତାବିଜ। ତଦନ୍ତରୁ ଜଣାପଡ଼ିଛି ହ୍ୱାଇଟ୍ ହାଉସକୁ ଟାର୍ଗେଟ କରିଥିବା ୨୧ ବର୍ଷୀୟ ଆକ୍ରମଣକାରୀଙ୍କ ନାଁ ନାସିର ବେଷ୍ଟ। ନାସିର ଜଣେ ଆତଙ୍କବାଦୀ ନଥିଲେ କି ଜଣେ ତାଲିମପ୍ରାପ୍ତ ବନ୍ଧୁକଧାରୀ ନଥିଲେ। ସେ ବହୁ ସମୟ ଧରି ମାନସିକ ରୋଗରେ ପୀଡିତ ଥିଲେ। ନାସିର ଏକ ଅଦ୍ଭୁତ ଭ୍ରମ ଆପଣାଇଥିଲେ। ସେ ନିଜକୁ "ଯୀଶୁ ଖ୍ରୀଷ୍ଟ" ବୋଲି ବିଶ୍ୱାସ କରୁଥିଲେ।

ଆମେରିକୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ନାସିର ବେଷ୍ଟ ଅପରିଚିତ ନାମ ନଥିଲା। କାରଣ ସେ ପୂର୍ବରୁ ଏମିତି ସମାନ ବିଭ୍ରାନ୍ତକାରୀ ଆଚରଣରେ ଲିପ୍ତ ଥିଲେ। ଏହି ଘଟଣା ପୂର୍ବରୁ ସେ ହ୍ୱାଇଟ୍ ହାଉସ୍ ନିକଟବର୍ତ୍ତୀ ରାସ୍ତାରେ ଟ୍ରାଫିକ୍ ଅବରୋଧ କରିଥିଲେ। ଏପରି କରିବାକୁ ବାରମ୍ବାର ବାରଣ କରାଯାଇଥିଲା। ଏପିରିକି ହାଇ ସିକ୍ୟୁରିଟି ଏରିଆରେ ଜୋରଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା କରିବା ଅଭିଯୋଗରେ ଗିରଫ କରାଯାଇଥିଲା।

କୋର୍ଟ ରେକର୍ଡ ଅନୁଯାୟୀ, ପଚରାଉଚରା ସମୟରେ ନାସିର ନିଜେ ଯୀଶୁ ଖ୍ରୀଷ୍ଟ ବୋଲି ଦାବି କରିଥିଲେ। ସେ ଜାଣିଶୁଣି ଏପରି କାର୍ଯ୍ୟ କରୁଥିବା କହୁଥିଲେ। ଏହି ଅଜବ ଆଚରଣ ଯୋଗୁଁ କୋର୍ଟ ହ୍ୱାଇଟ୍ ହାଉସ୍ ଚାରିପାଖରେ ଥିବା ସମଗ୍ର ଅଞ୍ଚଳରେ ତାଙ୍କର ପ୍ରବେଶ ଉପରେ ନିଷେଧ ଲଗାଇଥିଲେ।

ଶନିବାର ସନ୍ଧ୍ୟାରେ 17thଷ୍ଟ୍ରିଟ୍ ଏବଂ ପେନସିଲଭାନିଆ ଆଭେନ୍ୟୁ NW ଛକ ନିକଟ ହ୍ୱାଇଟ୍ ହାଉସ୍ କମ୍ପ୍ଲେକ୍ସ ବାହାରେ ହଠାତ୍ ବନ୍ଧୁକ ଧରି ଆକ୍ରମଣ କଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ନାସିର ବେଷ୍ଟ ସେହି ସନ୍ଧ୍ୟାରେ ଚୁପଚାପ୍ ସେହି ଅଞ୍ଚଳରେ ପହଞ୍ଚିଥିଲେ। ସନ୍ଦେହଜନକ ଭାବରେ ବ୍ୟବହାର କରିଥିଲେ। ବହୁତ ସମୟ ପର୍ଯ୍ୟନ୍ତ ସେଠାରେ ଘୁରି ବୁଲୁଥିଲେ। ସୁରକ୍ଷା କର୍ମୀମାନେ ପରିସ୍ଥିତି ବୁଝିବା ପୂର୍ବରୁ, ସେ ହଠାତ୍ ତାଙ୍କ ବ୍ୟାଗରୁ ବନ୍ଧୁକ ବାହାର କଲେ। ସୁରକ୍ଷା ଚେକ୍ପଏଣ୍ଟରେ ନିୟୋଜିତ ସିକ୍ରେଟ ସର୍ଭିସ ଅଧିକାରୀଙ୍କୁ ସିଧାସଳଖ ଟାର୍ଗେଟ କଲେ। ତିନି ରାଉଣ୍ଡ ଗୁଳି ଚଳାଇଲେ।

ଏହି ଘଟଣା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା। ସିକ୍ରେଟ ସର୍ଭିସ ଏଜେଣ୍ଟ ମାନେ ଏତେ ଭୟଭୀତ ହୋଇପଡ଼ିଥିଲେ ଯେ ନାସିରଙ୍କୁ ଗିରଫ କରିବା ପରିବର୍ତ୍ତେ ତା ଉପରକୁ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ନାସିରଙ୍କ ଶରୀର ସାରା ଗୁଳି ବାଜି ଚାଲିଥିଲା। ପ୍ରଚୁର ରକ୍ତସ୍ରାବ ହେବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଜର୍ଜ ୱାଶିଂଟନ୍ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଏକ ଅପଡେଟ୍ ପୋଷ୍ଟ କରିଥିଲେ।

କିନ୍ତୁ ଟ୍ରମ୍ପ ଜାଣିନଥିଲେ- ନାଶିର କୌଣସି ପେଶାଦାର ଅପରାଧୀ ନଥିଲା। ବରଂ ଜଣେ ମାନସିକ ରୋଗୀ ଥିଲା। ନାସିରକୁ ଧମକଚମକ ଦେବା ପରିବର୍ତ୍ତେ ଯଦି ଜଣେ ମାନସିକ ରୋଗ ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଯାଇଥାନ୍ତା, ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇନଥାନ୍ତା। ଗତ ଏପ୍ରିଲରେ White House Correspondents' dinner partyରେ ଜଣେ ବନ୍ଧୁକଧାରୀ ଆକ୍ରମଣ କରିଥିଲେ। ସେହିପରି ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣକୁ ଗିରଫ କରାଯାଇଛି। ଏହାର ଅର୍ଥ- ଦୁଇ ଦୁଇଟା ଘଟଣା ପରେ ଟ୍ରମ୍ପ ଏବେ ସମ୍ପୂର୍ଣ୍ଣ ଭୟଭୀତ ଓ ବିଚଳିତ।