ଭୁବନେଶ୍ୱର ୨୦।୦୬: ଆକାଶ ମେଘୁଆ । ଖରା ନଥିଲା । କିନ୍ତୁ,ସାଂଘାତିକ ଗୁଳୁଗୁଳି । ଛଟପଟ କରିଦେଲା ଜନଜୀବନକୁ। ଅପରାହ୍ନରେ ଆସିଲା ବର୍ଷା । କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷିଲା। ଟିକିଏ ଆଶ୍ୱସ୍ତି ମିଳିଲା। ପାଣିପାଗ ବିଭାଗର ପୂର୍ବାନୁମାନ, ଶନିବାର ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଏବଂ ଦକ୍ଷିଣ ଉପକୂଳର କିଛି ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହାବାଦ୍ ଉତ୍ତର, ପଶ୍ଚିମ ଏବଂ ଉପକୂଳର କିଛି ଘଡ଼ଘଡ଼ି ସହ ବର୍ଷା, ପବନ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ବର୍ତ୍ତମାନ ନିୟମିତ ବର୍ଷା ସମ୍ଭାବନା ରହିଛି । ୨୧/୨୨ରୁ ରାଜ୍ୟରେ ବର୍ଷା ସାମାନ୍ୟ ବଢ଼ିବ । ୨୫ବେଳକୁ ସାମାନ୍ୟ କମିବ । କିନ୍ତୁ, ୨୭ବେଳକୁ ପୁଣି ବର୍ଷା ପରିମାଣ ବୃଦ୍ଧି ପାଇବ । ଏବେ ଆଉ ଗରମ ବଢ଼ ିବନି । କିନ୍ତୁ, ଗୁଳୁଗୁଳି ରହିବ। ହେଲେ ଗୁଳୁଗୁଳି ରହିଲେ ବର୍ଷା ଯୋଗୁ ବାତାବରଣ ପୁଣି ଥଣ୍ଡା ବଢ଼ିବ ।

Also Read:-Police Encounter : ରାଉରକେଲା ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଚଳିତ ଜୁନ୍ ମାସ ଆରମ୍ଭରୁ ଏଯାଏ ଦେଶରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୪୦% ନିଅଣ୍ଟିଆ ରହିଛି । ଓଡ଼ିଶାରେ ବର୍ଷା ପରିମାଣ ଏବେ ବି ସ୍ୱାଭାବିକ ତୁଳନାରେ ୪୮% କମ୍ ରହିଛି । ଆଜି ପ୍ରାୟତଃ ପାଗ ମେଘୁଆ ଥିଲା । ଭୁବନେଶ୍ୱର, ଚାନ୍ଦବାଲି, ପାରାଦୀପ, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ରାଉରକେଲା, ହୀରାକୁଦ, ବାଲେଶ୍ୱରରେ ଆକାଶ ସବୁଠାରୁ ଅଧିକ ମେଘାଚ୍ଛନ୍ନ ଥିଲା ।

ସକାଳୁ ହିଁ ପାଗ ମେଘୁଆ ରହିଥିଲା । ଖରା ବଢ଼ିନଥିଲେ ମଧ୍ୟ ଗୁଳୁଗୁଳି ଭୀଷଣ ରହିଥିଲା । କେବଳ ବୌଦ୍ଧ ତାପମାତ୍ରା ୪୧.୩ ଡିଗ୍ରୀ ସେଲସିୟସ୍ ଥିବାବେଳେ ବାକି ସବୁଠି ପାରଦ ୪୦ ଡିଗ୍ରୀ ତଳେ ଥିଲା । ରାଜ୍ୟ ତମାମ ତାତି କମିଥିଲା । ପଶ୍ଚିମରେ ୩୭-୩୮ ଡିଗ୍ରୀ ଭିତରେ ରହିଥିଲା ତାତି । ଉପକୂଳରେ ୩୬ ଡିଗ୍ରୀ ତଳେ ଥିଲା ତାପମାତ୍ରା । ଭୁବନେଶ୍ୱରରେ ତାପମାତ୍ରା ୩୫.୪, କଟକରେ ୩୪.୮ ଡିଗ୍ରୀ ଥିଲା । ଦେବଗଡ଼ରେ ତାପମାତ୍ରା ୨୮ ଡିଗ୍ରୀକୁ ଖସି ଆସିଛି । ବହୁ ସ୍ଥାନରେ ପାରଦ ୩୩-୩୪ ଡିଗ୍ରୀ ରେକର୍ଡ ହୋଇଛି ।

ପାରଦ ଖସିଲେ ବି ଗୁଳୁଗୁଳି ଅସମ୍ଭାଳ ଥିଲା । ଭୁବନେଶ୍ୱରରେ ସକାଳ ସାଢ଼େ ୮ଟାରେ ଆର୍ଦ୍ରତା ପରିମାଣ ୮୪% ଓ ସନ୍ଧ୍ୟା ୫ଟା ୩୦ରେ ୯୫% ଛୁଇଁଥିଲା । କଟକରେ ସକାଳେ ୮୭% ଓ ସନ୍ଧ୍ୟାରେ ୯୭% ଛୁଇଁଥିଲା ଆର୍ଦ୍ରତା । ବାରିପଦାରେ ସକାଳେ ୭୪% ଓ ସନ୍ଧ୍ୟାବେଳକୁ ୧୦୦% ପହଞ୍ଚିଥିଲା ଆର୍ଦ୍ରତା । ବାୟୁମଣ୍ଡଳରେ ଜଳୀୟବାଷ୍ପ ପ୍ରଚୁର ମାତ୍ରାରେ ଥିବାରୁ ଅପରାହ୍ନରେ ଟାଣି ହୋଇ ଆସିଥିଲା ବର୍ଷା । କଟକରେ ସନ୍ଧ୍ୟା ସାଢ଼େ ୫ଟା ଭିତରେ ୮୮.୬ ମିଲିମିଟର, ଅନୁଗୁଳରେ ୪୦ ମିମି, ଭଦ୍ରକରେ ୩୫ ମିମି, ଝାରସୁଗୁଡ଼ାରେ ୩୦, ଢେଙ୍କାନାଳରେ ୧୫ ମିମି ବର୍ଷା ହୋଇଥିବାବେଳେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ରାୟଗଡ଼ା, ବୌଦ୍ଧ, ସମ୍ବଲପୁର, ଗୋପାଳପୁର, ଚାନ୍ଦବାଲିରେ ବି ଅସରାଏ ଲେଖାଏଁ ବର୍ଷା ହୋଇଥିଲା ।

ବିଗତ ୧୫ ଦିନ ମଧ୍ୟରେ ମୌସୁମୀ ୧୯ଟି ରାଜ୍ୟରେ ପହଞ୍ଚିସାରିଛି । କିନ୍ତୁ ଜୁନ୍ ୮ ତାରିଖରୁ ମୌସୁମୀର ଅଗ୍ରଗତି ବିଶେଷ ହୋଇନାହିଁ । ଉତ୍ତର-ମଧ୍ୟ ଭାରତର ୭ଟି ରାଜ୍ୟ ବର୍ଷା ପାଇଁ ଡହଳବିକଳ ହେଉଛି । ଏହି ସବୁ ରାଜ୍ୟରେ ୬୦ ପ୍ରତିଶତ ଯାଏ କମ୍ ବର୍ଷା ରେକର୍ଡ କରାଯାଇଛି । ଏକ ସମୟରେ ୫ଟି ଭିନ୍ନ ଭିନ୍ନ ସିଷ୍ଟମ ସକ୍ରିୟ ହୋଇ ମୌସୁମୀକୁ ରୋକିଥିବା ବିଶେଷଜ୍ଞ କହିଛନ୍ତି । ପ୍ରଥମ କଥା ହେଲା, ଆରବ ସାଗରରୁ ଆସୁଥିବା ଥଣ୍ଡା ପବନ ଦୁର୍ବଳ ହୋଇଯାଇଛି । ଗୁରୁଚାପ ବଳୟ ଯୋଗୁ ଆରବ ସାଗର ଶାଖା ଦୁର୍ବଳ ଥିବାବେଳେ ଏବେ ଏହା ପୁଣି ସକ୍ରିୟ ହେବା ସମ୍ଭାବନା ଦେଖା ଦେଇଛି । ମୌସୁମୀର ବଙ୍ଗୋପସାଗର ଶାଖା ମଧ୍ୟ ଦୁର୍ବଳ ଥିବାବେଳେ ଏଯାଏ ଲଘୁଚାପ ସୃଷ୍ଟି ହୋଇନି । ଜୁନ୍ ଶେଷ ସପ୍ତାହବେଳକୁ ବଙ୍ଗୋପସାଗର ଶାଖା ସକ୍ରିୟ ହେବା ଆଶା ବଢ଼ିଛି । ତଥ୍ୟ ଅନୁସାରେ ଗୁଜରାଟର ବର୍ଷା ନିଅଣ୍ଟିଆ ସ୍ଥିତି ସବୁଠୁ ଖରାପ । ସେଠାରେ ସାମାନ୍ୟଠାରୁ ୭୯ ପ୍ରତିଶତ କମ୍ ବର୍ଷା ହୋଇଛି । ତା’ପରେ ମହାରାଷ୍ଟ୍ରରେ ୭୮ ପ୍ରତିଶତ କମ୍ ବର୍ଷା ହୋଇଛି । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ଛତିଶଗଡ, ହରିୟାଣା ଏବଂ ଦିଲ୍ଲୀରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି । ଏହାସତ୍ତେ୍ୱ ୟୁପି-ରାଜସ୍ଥାନ ସମେତ ୭ଟି ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।