ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ।  ଏହାକୁ ନେଇ ସାରା ରାଜ୍ୟରେ ନେତା ଓ କର୍ମୀ ବେଶ ଉତ୍ସାହିତ। କଟକ ଜିଲ୍ଲା ବିଜେଡି ପକ୍ଷରୁ କଟକ ଦୋଳମୁଣ୍ଡାଇ ସ୍ଥିତ କାର୍ଯ୍ୟାଳୟରେ ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ  ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତରାୟ, ମେୟର ସୁବାସ ସିଂ, ଲୋକସଭା ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ସମେତ ବହୁ ବିଜେଡି କର୍ପୋରେଟର ଓ ନେତା ଯୋଗ ଦେଇଥିଲେ। ତେବେ ଦଳରେ ଜଣେ ନେତା ନବୀନ ପଟ୍ଟନାୟକ ବୋଲି ସମସ୍ତେ ମତ ଦେଇଛନ୍ତି।

ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ  ସେ ଏକ ନିଷ୍ପତ୍ତି ନେଉଛନ୍ତି ତାହା ମୁଁ ବି ଜାଣିବି, ସମସ୍ତେ ଜାଣିବେ। ଆମେ କେବଳ ଜଣେ ନେତାଙ୍କ ପଛରେ ରହିବୁ। ସେ ହେଉଛନ୍ତି କେବଳ ନବୀନ ପଟ୍ଟନାୟକ। ସମୟ ଆସିଲେ ନବୀନ ତାଙ୍କର ଉତ୍ତରାଧିକାରୀ ବାଛିବେ।

ସେହିଭଳି ସଂତୃପ୍ତ ମିଶ୍ର କହିଛନ୍ତି ଯେଉଁ ମାନେ ବିଜେଡି ପାଇଁ ଓ ଲୋକ ମାନଙ୍କ ପାଇଁ କାମ କରିବେ, ଏହି ଦଳରେ ସଭାପତି ତାଙ୍କୁ ରଖିବେ। ଦଳ ସାଧାରଣ ଲୋକଙ୍କର। ଯିଏ ଦଳକୁ ଆସିବେ ଆଉ ଓଡ଼ିଶାବାସୀଙ୍କ ପାଇଁ କାମ କରିବେ ବୋଲି ସେ କହିଛନ୍ତି। ତେବେ ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ସେ କାହାକୁ ଦଳରେ ମିଶାଇବେ ସେ ହିଁ ନିଷ୍ପତ୍ତି ନେବେ। ଯିଏ ଏହି ବିରାଟ ଦଳକୁ ଆସିବ ଆମ ନେତା ନବୀନ ବାବୁଙ୍କ ନିଷ୍ପତ୍ତିରେ ଯାହା କୁହାଯିବ ଆମେ କରିବୁ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ।

ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ ସାଜିବାକୁ ଆହ୍ବାନ ଦେଇଛନ୍ତି । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ । ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି । ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।