ପୁଅ ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେବ ଭାବି ଖୁସିରେ ବାଣ ଓ ମିଠା ରଖିଥିଲି: ଦୁଃଖ ପ୍ରକାଶ କଲେ ରିଙ୍କୁ ସିଂହଙ୍କ ବାପା

Published By : Prameya-News7 Bureau | May 01, 2024 IST

internet

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା ସରିଛି। ଟିମ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି। ତେବେ ସବୁଠାରୁ ଯାହା ଆଶ୍ଚର୍ଯ୍ୟ ଲାଗୁଛି ତାହା ହେଲା ରିଙ୍କୁ ସିଂହଙ୍କ ଟିମ୍‌ରେ ସାମିଲ୍ ନ ହେବା। କାରଣ ରିଙ୍କୁଙ୍କ ପାଖରେ କ୍ଷଣିକ ମଧ୍ୟରେ ଇନିଂସ ବଦଳେଇ ଦେବାର କ୍ଷମତା ରହିଛି। ତେବେ ଚଳିତ ଆଇପିଏଲ୍‌ରେ ରିଙ୍କୁଙ୍କର ପ୍ରଦର୍ଶନ ସେତେଟା ଆଖିଦୃଶିଆ ହୋଇ ନଥିବାରୁ ତାଙ୍କୁ ସ୍ଥାନ ମିଳି ନାହିଁ ବୋଲି କୁହାଯାଉଛି। ତେବେ ତାଙ୍କ ପାଇଁ ଆଶ୍ୱସ୍ତିର କଥା ହେଲା ରିଙ୍କୁଙ୍କୁ ରିଜର୍ଭ ପ୍ଲେୟାର ଭାବେ ରେଖାଯାଇଛି।  

ପୁଅକୁ ଦେଶ ପାଇଁ ଖେଳିବାର ଗୌରବ ନ ମିଳିବାରୁ ଦୁଃଖ ପ୍ରକାଶ କରିଛନ୍ତି ରିଙ୍କୁ ସିଂହଙ୍କ ବାପା ଖାନଚନ୍ଦ୍ର ସିଂହ। ପୁଅ ନ୍ୟାସ୍‌ନାଲ ଟିମ୍‌ରେ ସ୍ଥାନ ପାଇବ, ବିଶ୍ୱକପ୍‌ ଖେଳିବ। ଏହି ଖୁସିରେ ଖାନଚନ୍ଦ୍ର ଘରେ ବାଣ ଓ ମିଠା ଆଣି ରଖିଥିଲେ। ପୁଅ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇଥିଲେ ବାଣ ଫୁଟାଇ ଖୁସି ମନାଇ ଥାନ୍ତେ, ଶାହି ପଡ଼ିଶାରେ ମିଠା ବାଣ୍ଟିଥାନ୍ତେ। ହେଲେ ସେଶବୁ ହେଲାନି। ପୁଅକୁ ଟିମ୍‌ରେ ସାମି୍ଲ କରାଯାଇ ନଥିବା ଜାଣିବା ପରେ ଖାନ୍‌ ଚନ୍ଦ୍ରଙ୍କ ମନ ମଉଳି ଯାଇଛି। ପୁଅ ଟିମ୍‌ରେ ସାମିଲ୍ ହେଲାନି, ଦୁଃଖତ ହେଲା ତେବେ ରିଜର୍ଭ ପ୍ଲେୟାର ତାଲିକାରେ ଅଛି, ସେଇଥିରେ ଖୁସି ବୋଲି କହିଛନ୍ତି ରିଙ୍କୁଙ୍କ ବାପା। 

ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ ଏପ୍ରିଲ ୩୦ ତାରିଖରେ ୧୫ ଜଣିଆ ଟିମ୍ ଘୋଷଣା କରିଥିଲା। ମେନ୍‌ ସ୍କାର୍ଡରେ ରିଙ୍କୁ ସ୍ଥାନ ମିଳି ନଥିବା ବେଳେ ତାଙ୍କୁ ରିଜର୍ଭ ପ୍ଲେୟାର ଭାବେ ରଖାଯାଇଛି।

ପଢନ୍ତୁ-IPLର ଏହି ୪ଟି ଦଳରୁ ଜଣେ ବି ଖେଳାଳିଙ୍କୁ ମିଳିଲାନି ଟି-୨୦ ବିଶ୍ଵକପ୍ ଟିମରେ ସ୍ଥାନ, ମୁମ୍ବାଇରୁ ସର୍ବାଧିକ ସାମିଲ

ଟିମ୍‌ରେ ସାମିଲ୍ ନହେବାରୁ ରିଙ୍କୁ ସିଂହଙ୍କ ବି ଦୁଃଖ ଲାଗିଥିବା ତାଙ୍କ ବାପା ଖୁଲାସା କରିଛନ୍ତି। ହେଲେ ସେ ଭାଙ୍ଗିପଡ଼ି ନାହାନ୍ତି। ବିସିସିଆଇ ଟିମ୍ ଘୋଷଣା କରିବା ପରେ ରିଙ୍କୁ ତାଙ୍କ ମାଆଙ୍କୁ ଫୋନ୍ କରି ଜଣାଇଥିଲେ ବୋଲି ଖାନ୍ ଚନ୍ଦ୍ର କହିଛନ୍ତି। 

ଟି-୨୦ ବିଶ୍ୱକପ୍ ପାଇଁ ରିଜର୍ଭ ପ୍ଲେୟାର ଭାବେ ଆମେରିକା ଯିବେ ରିଙ୍କୁ। ହେଲେ ମୁଖ୍ୟ ଟିମ୍‌ରେ ସାମିଲ୍ ନହେବାରୁ ଏକ୍ସପର୍ଟ ଓ ରିଙ୍କୁ ଫ୍ୟାନ୍‌ଙ୍କ ମଧ୍ୟରେ ନିରାଶା ଛାଇଯାଇଛି।

୨୬ ବର୍ଷୀୟ ଖେଳାଳି ରିଙ୍କୁ ସିଂହଙ୍କ ପାଖରେ ଭଲ ଫିନିସର ହେବାର ଦକ୍ଷତା ରହିଛି। ଟି-୨୦ ଅନ୍ତର୍ଜାତୀୟ ରେ ମାତ୍ର ୧୫ଟି ମ୍ୟାଚ୍ ଖେଳି ରିଙ୍କୁ ୩୫୬ ରନ୍ କରିଛନ୍ତି। ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ରହିଛି। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୭୬ ରହିଛି। 

ବିଶ୍ୱକପ୍ ପାଇଁ ଘୋଷଣା ହୋଇଥିବା ଟିମ୍ 

ରୋହିତ ଶର୍ମା (କ୍ୟାପ୍ଟେନ୍), ଯଶସ୍ୱୀ ଜୈଶ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (କିପର), ସଞ୍ଜୁ ସାମସନ୍ (କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ। ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.