IPLର ଏହି ୪ଟି ଦଳରୁ ଜଣେ ବି ଖେଳାଳିଙ୍କୁ ମିଳିଲାନି ଟି-୨୦ ବିଶ୍ଵକପ୍ ଟିମରେ ସ୍ଥାନ, ମୁମ୍ବାଇରୁ ସର୍ବାଧିକ ସାମିଲ

Published By : Prameya-News7 Bureau | May 01, 2024 IST

Aajtak

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରି ସାରିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଶିବମ ଦୁବେ ଓ ଅକ୍ଷର ପଟେଲଙ୍କୁ ଦଳରେ ସୁଯୋଗ ମିଳିଛି। ମନୋନୟନକାରୀ କିଛି ମାତ୍ରାରେ ଆଇପିଏଲ୍ ୨୦୨୪ର ପ୍ରଦର୍ଶନ ଆଧାରରେ ଭାରତୀୟ ଦଳ ଚୟନ କରିଛନ୍ତି। ଏଥିପାଇଁ ସଞ୍ଜୁ ସାମସନ ନିଜର ଫର୍ମ ଆଧାରରେ ଦଳରେ ନିଜର ସ୍ଥାନ ସୁନିଶ୍ଚିତ କରିବାରେ ସଫଳ ହୋଇଛନ୍ତି। ଆଇପିଏଲ୍ ୨୦୨୪ର ଛଅଟି ଦଳରୁ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଥିବା ବେଳେ ଏମିତି ୪ଟି ଟିମ୍ ରହିଛି ଯେଉଁଠୁ ଜଣେ ହେଲେ ଖେଳାଳିଙ୍କୁ ସୁଯୋଗ ମିଳିନି।

Also read: IPLର ୫ ଟିମକୁ ବଡ ଝଟକା; ଦଳ ଛାଡିବେ ଷ୍ଟାର ଖେଳାଳୀ

ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ, କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟର ଏମିତି ଚାରୋଟି ଦଳ ରହିଛନ୍ତି, ଯେଉଁଠୁ ଜଣେ ବି ଖେଳାଳିଙ୍କୁ ବିଶ୍ଵକପ୍ ଦଳରେ ସାମିଲ କରାଯାଇ ନାହିଁ। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ଓ ଟି ନଟରାଜନ ଦାବିଦାର ଥିଲେ। 

ମୁମ୍ବାଇ ଇଣ୍ଡିଆନ୍ସରୁ ସର୍ବାଧିକ ୪ ଜଣ

ମୁମ୍ବାଇ ଇଣ୍ଡିଆନ୍ସର ୪ ଖେଳାଳି ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ରୋହିତ ଶର୍ମା ଓ ହାର୍ଦ୍ଦିକଙ୍କ ବ୍ୟତୀତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ନମ୍ବର ଓ୍ଵାନ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଏବଂ ତାରକା ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ଵକପ୍ ଦଳରେ ସାମିଲ କରାଯାଇଛି।

ରାଜସ୍ଥାନ ରୟାଲ୍ସରୁ ୪ ଜଣ ଖେଳାଳି

ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ୨୦୨୪ରେ ନିଜର ଦବଦବା ବଜାୟ ରଖିଛି। ଏ ପର୍ଯ୍ୟନ୍ତ ଦଳ ୯ଟିରୁ ୮ଟି ମ୍ୟାଚ୍ ଜିତି ଆପାତତଃ ପ୍ଲେ ଅଫରେ ପହଞ୍ଚି ସାରିଛି। ଦଳର ଅଧିନାୟକ ସଞ୍ଜୁ ସାମସନଙ୍କୁ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଦଳରେ ସାମିଲ କରାଯାଇଛି। ଯଶସ୍ଵୀ ଜୟସ୍ଵାଲଙ୍କୁ ରୋହିତ ଶର୍ମାଙ୍କ ଓପନିଂ କରିବାକୁ ସୁଯୋଗ ମିଳିଛି। ପର୍ପଲ କ୍ୟାପ ଦୌଡ଼ରେ ଥିବା  ୟୁଜବେନ୍ଦ୍ର ଚହଲଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଅଭେଶ ଖାନଙ୍କୁ ଦଳରେ ସାମିଲ କରାଯାଇ ନ ଥିଲେ ହେଁ ତାଙ୍କୁ ଟ୍ରାଭେଲିଂ ଖେଳାଳି ଭାବେ ଦଳରେ ରଖାଯାଇଛି। 

ଦିଲ୍ଲୀରୁ ୪ ଖେଳାଳି କରିବେ ଧମାଲ

ଦିଲ୍ଲୀ କ୍ୟାପିଟାଲ୍ସର ମଧ୍ୟ ୪ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି। ଋଷଭ ପନ୍ତଙ୍କୁ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଦଳରେ ସାମିଲ କରାଯାଇଛି। ତାଙ୍କ ବ୍ୟତୀତ ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କ ରୂପେ ଦୁଇ ଜଣ ସ୍ପିନର ବୋଲରଙ୍କୁ ଭାରତୀୟ ଦଳରେ ଚୟନ କରାଯାଇଛି। ଖଲିଲ ଅହମ୍ମଦଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି।

ଆରସିବି ଓ ସିଏସକେରୁ ୨-୨ ଖେଳାଳି

ଆରସିବି ପକ୍ଷରୁ ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କ  ଦଳରେ ଚୟନ ହୋଇଛି। କୋହଲି ଚଳିତ ଆଇପିଏଲରେ ଅରେଞ୍ଜ କ୍ୟାପ୍ ହୋଲଡର ରହିବା ସହ ୫୦୦ ରନ ପୂରଣ କରି ସାରିଛନ୍ତି। ସିରାଜଙ୍କ ବର୍ତ୍ତମାନର ଫର୍ମ ଚିନ୍ତାର ବିଷୟ ପାଲଟିଛି। ଅନ୍ୟପଟେ ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ଓ  ଶିବମ ଦୁବେଙ୍କୁ ଅଲରାଉଣ୍ଡର ଭାବେ ଟି-୨୦ ବିଶ୍ଵକପ୍ ଦଳରେ ସ୍ଥାନ ମିଳିଛି। 

୩ଟି ଟିମରୁ  ଜଣେ ଖେଳାଳି ସାମିଲ

ପଞ୍ଜାବ କିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ଜଣେ ଲେଖାଏଁ ଖେଳାଳିଙ୍କୁ  ଟିମ୍ ଇଣ୍ଡିଆରେ ରଖାଯାଇଛି। ପିବିକେଏସ ପକ୍ଷରୁ ଅର୍ଶଦୀପ ସିଂଙ୍କୁ ଚୂଡାନ୍ତ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। କିନ୍ତୁ ଗୁଜରାଟ ପକ୍ଷରୁ ଶୁଭମନ ଗିଲ ଓ କୋଲକାତା ପକ୍ଷରୁ ରିଙ୍କୁ ସିଂଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.