ନୂଆଦିଲ୍ଲୀ: ପୂର୍ବତନ ବିଶ୍ୱ ଚେସ୍ ଚାମ୍ପିଅନ୍ ବିଶ୍ୱନାଥନ୍ ଆନନ୍ଦ ବିଶ୍ୱ ଚେସ୍ ନିୟାମକ ସଂସ୍ଥା 'ଫିଡେ' (FIDE - International Chess Federation) ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୟୁରୋପୀୟ ୟୁନିଅନ୍ ଦ୍ୱାରା ବର୍ତ୍ତମାନର ଅଧ୍ୟକ୍ଷ ଆର୍କାଡି ଡ୍ୱୋରକୋଭିଚଙ୍କ ଉପରେ କଟକଣା ଲଗାଯିବା ପରେ ସେ ନିଜ ପଦବୀରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। 

 ଫିଡେ’ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଏହି ସର୍ବୋଚ୍ଚ ବିଶ୍ୱ ଚେସ୍ ସଂସ୍ଥାର ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ଫିଡେ ସମ୍ବିଧାନ (Charter) ଅନୁଯାୟୀ, ଅଧ୍ୟକ୍ଷ ଆର୍କାଡି ଡ୍ୱୋରକୋଭିଚ୍ ନିଜ ଦାୟିତ୍ୱରୁ ଓହରି ଯିବା ପରେ ମୁଁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛି। ଫିଡେ’ର ସ୍ଥାୟିତ୍ୱ ଏବଂ ନେତୃତ୍ୱ ପାଇଁ ମୁଁ ଆର୍କାଡିଙ୍କୁ ଧନ୍ୟବାଦ ଦେଉଛି। ଆମର ମୂଳ ଲକ୍ଷ୍ୟ ହେଉଛି ଗ୍ଲୋବାଲ୍ ଚେସ୍ ପରିବାରର ସେବା କରିବା ଏବଂ କାର୍ଯ୍ୟଧାରାକୁ ଆଗକୁ ନେବା ବୋଲି ଦାୟିତ୍ବ ଗ୍ରହଣ କରିବା ପରେ କହିଛନ୍ତି ବିଶ୍ବନାଥନ ଆନନ୍ଦ ।

ଆର୍କାଡି ଡ୍ୱୋରକୋଭିଚ କହିଛନ୍ତି, EU ଏବଂ ସ୍ୱିସ୍ ଆଇନ ଅଧୀନରେ ମୋ ଉପରେ ଲଗାଯାଇଥିବା କଟକଣା ହଟାଯିବା ପର୍ଯ୍ୟନ୍ତ ମୁଁ ନିଜ ସ୍ୱେଚ୍ଛାରେ ଅଧ୍ୟକ୍ଷ ପଦବୀରୁ ଓହରିଯାଉଛି। ଫିଡେ ସମ୍ବିଧାନ ଅନୁସାରେ ଡେପୁଟି ପ୍ରେସିଡେଣ୍ଟ ବିଶ୍ୱନାଥନ୍ ଆନନ୍ଦ ଏହି ଦାୟିତ୍ୱ ତୁଲାଇବେ। ଏହା ସହ ସେ ୟୁରୋପୀୟ ୟୁନିଅନ୍ ଦ୍ୱାରା ତାଙ୍କ ନାମ ପ୍ରତିବନ୍ଧକ ତାଲିକାରେ ସାମିଲ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ସେ ଏହା ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବେ ବୋଲି କହିଛନ୍ତି। ତେବେ କୋର୍ଟର ଚୂଡ଼ାନ୍ତ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ସଂସ୍ଥାର ସ୍ୱାଭାବିକ କାର୍ଯ୍ୟପନ୍ଥାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ସେ ନିଜ ପଦବୀରୁ ସାମୟିକ ଭାବରେ ଓହରି ଯାଇଛନ୍ତି। ଫିଡେ କାଉନସିଲ୍ ତାଙ୍କର ଏହି ନିଷ୍ପତ୍ତିକୁ ଗ୍ରହଣ କରିଛି। ସେପଟେ ଆଗାମୀ ନିର୍ବାଚନରେ ଡ୍ୱୋରକୋଭିଚ୍ ତୃତୀୟ ଥର ପାଇଁ ଅଧ୍ୟକ୍ଷ ପଦ ପାଇଁ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି କଟକଣା ତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । 

ଏଥର କାଜାକସ୍ତାନ ଚେସ୍ ଫେଡେରେସନର ଅଧ୍ୟକ୍ଷ ତଥା ଫ୍ରିଡମ୍ ହୋଲ୍ଡିଂ କର୍ପୋରେସନ୍‌ର CEO ତିମୁର ତୁର୍ଲୋଭ  ଡ୍ୱୋରକୋଭିଚଙ୍କ ଟିମରେ ଡେପୁଟି ପ୍ରେସିଡେଣ୍ଟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ।  ବିଶ୍ୱନାଥନ୍ ଆନନ୍ଦ ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛନ୍ତି ଯେ, ସେ ଦ୍ୱିତୀୟ ଥର ପାଇଁ ଡେପୁଟି ପ୍ରେସିଡେଣ୍ଟ ପଦବୀ ପାଇଁ ନିର୍ବାଚନ ଲଢ଼ିବେ ନାହିଁ। ତେବେ ସେ ଡ୍ୱୋରକୋଭିଚଙ୍କ ଟିମ୍‌କୁ ସମର୍ଥନ କରିବା ସହ ବିଶେଷ କରି ନୂତନ ଏବଂ ବିକାଶଶୀଳ ଦେଶଗୁଡ଼ିକରେ ଚେସ୍‌ର ପ୍ରସାର ପାଇଁ ସହଯୋଗ ଜାରି ରଖିବେ।