କିଂଶାସା: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ କଙ୍ଗୋ (ଡିଆରସି) ପୂର୍ବୋତ୍ତର ଇତୁରୀ ପ୍ରାନ୍ତ ପୁଣି ଅଶାନ୍ତ ହୋଇ ଉଠିଛି। ହେମା ଓ ଲେଣ୍ଡୁ ସମୁଦାୟ ମଧ୍ୟରେ ସଶସ୍ତ୍ର ସଂଘର୍ଷରେ ଅନୁନ୍ୟ ୬୯ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀ ଓ ସୁରକ୍ଷା ସୂତ୍ରରୁ ଏହି ସୂଚନା ମିଳିଛି। ଖଣିଜ ସମ୍ପଦରେ ଭରା ପୂର୍ବ କଙ୍ଗୋ ଗତ ୩୦ ବର୍ଷ ହେଲା ଗୃହ ଯୁଦ୍ଧର କେନ୍ଦ୍ର ହୋଇ ରହିଛି। ଏଠାରେ ସକ୍ରିୟ ସଶସ୍ତ୍ର ସଙ୍ଗଠନମାନେ ମାଟି ତଳେ ରହିଥିବା ପ୍ରଚୁର ସୁନା, ତମ୍ବା, କୋବାଲ୍ଟ, ୟୁରେନିୟମ ଓ ହୀରା ଭଳି ଖଣିଜ ସମ୍ପଦ ଉପରେ ନିୟନ୍ତ୍ରଣ ଲାଗି ଲଗାତାର ଯୁଦ୍ଧରେ ମାତିଛନ୍ତି।

ହେଲେ ଏବେକା ହିଂସା ଇତୁରୀ ପ୍ରାନ୍ତରେ ଉପୁଜିଛି। ଏହା ସୁନା ଖଣି ପାଇଁ ପ୍ରସିଦ୍ଧ। ୟୁଗାଣ୍ଡା ଓ ଦକ୍ଷିଣ ସୁଦାନ ସୀମାକୁ ଲାଗି ରହିଥିବା ଏହି ଅଞ୍ଚଳରେ ହେମା ଓ ଲେଣ୍ଡୁ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ଉତ୍ତେଜନା ଲାଗି ରହିଛି। ରିପୋର୍ଟ ଅନୁସାରେ ଏପ୍ରିଲ ୨୮ ତାରିଖ ଦିନ କୋ-ଅପରେଟିଭ ଫର ଦି ଡେଭଲପମେଣ୍ଟ ଅଫ କଙ୍ଗୋ (ସିଓଡିଇସିଓ) ନାମକ ମିଲିସିୟା ସମୂହର ସଶସ୍ତ୍ର ଲୋକେ କେତେକ ଗ୍ରାମ ଉପରେ ଆକ୍ରମଣ କରିଥିଲେ। ଏହି ସଙ୍ଗଠନ ନିଜକୁ ଲେଣ୍ଡୁ ସମୂଦାୟର ରକ୍ଷକ ବୋଲି କହୁଛି। ସେହିପରି ‘କନଭେନସନ ଫର ଦି ପପୁଲାର ରିବଲ୍ୟୁସନ’ (ସିଆରପି) ନିଜକୁ ହେମା ସମୂଦାୟର ସ୍ୱାର୍ଥ ଲାଗି ଲଢୁଥିବା ସଙ୍ଗଠନ ବୋଲି ଦାବି କରିଆସୁଛି।

ସୁରକ୍ଷା ସୂତ୍ର ଅନୁସାରେ ସିଆରପି ଆକ୍ରମଣ ପରେ ସିଓଡିଇସିଓ ଜବାବୀ କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୯ ମିସିଲିୟା ସଦସ୍ୟ ଓ ସୈନିକ ଥିବା କୁହାଯାଉଛି। ହେମା ସମୂଦାୟର ପ୍ରତିନିଧିତ୍ୱ କରୁଥିବା ଏନଜିଓ ଏଣ୍ଟେ ଆସୋସିଏସନ ଏହି ସବୁ ହତ୍ୟାକୁ ନରସଂହାର ବୋଲି କହିଛି ଏବଂ ସମୂଦାୟର ଲୋକଙ୍କୁ ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନରୁ ନିବୃତ ରହିବାଲାଗି ନିବେଦନ କରିଛି। ବେଲଜିୟମର ଉପନିବେଶ ଥିବା କଙ୍ଗୋ ବିଶ୍ୱର ସବୁଠୁ ସମୃଦ୍ଧ ଖଣିଜ ସମ୍ପଦର ଦେଶ ଭାବେ ଜଣାଶୁଣା। ବହୁମୂଲ୍ୟ ଖଣିଜ ସମ୍ପଦ ପାଇଁ ଏହା ଦୀର୍ଘ ସମୟରୁ ଦୁର୍ନୀତି, ବିଦେଶୀ ହସ୍ତକ୍ଷେପ ଓ ହିଂସାତ୍ମକ ସଂଘର୍ଷରେ ଫଶି ରହିଛି