ମୁର୍ସିଦାବାଦ ୨୭।୩: ପଶ୍ଚିମବଙ୍ଗ ମୁର୍ସିଦାବାଦର ଜଙ୍ଗୀପୁରରେ ଶୁକ୍ରବାର ରାମନବମୀ ଶୋଭାଯାତ୍ରା କାଳରେ ହିଂସାକାଣ୍ଡ ହୋଇଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼, ଭଙ୍ଗାରୁଜା ଓ ଇଟାପଥର ଚାଲିବାରୁ ସାରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ଜବାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ ଦାବି କରିଛି।

ସୂଚନା ଅନୁସାରେ ରାମନବମୀ ଅବସରରେ ରଘୁନାଥ ଗଞ୍ଜର ମ୍ୟାକଞ୍ଜି ଫିଲ୍ଡରୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଲୋକେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ଫୁଲତଲା ଚୌକ ପହଞ୍ଚିବା ମାତ୍ରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। କୁହାଯାଉଛି ଯେ ରାସ୍ତାକଡ଼ ଘର ଛାତ ଉପରୁ ଶୋଭାଯାତ୍ରା ଉପରକୁ ଟେକାପଥର ମାଡ଼ କରାଯାଇଥିଲା। ଏଥିରେ କିଛି ଲୋକ ଆହତ ହୋଇଥିଲେ। ତେବେ ଶୋଭାଯାତ୍ରା ଅଟକି ନଥିଲା ଓ ଆଗକୁ ବଢି ଯାଇଥିଲା।

ତେବେ ଶୋଭାଯାତ୍ରା ସହର ଅତିକ୍ରମ କରିବା ବେଳେ ପୁଣି ଆକ୍ରମଣ ହୋଇଥିଲା। ଫଳରେ ହିଂସା ଉପୁଜିଥିବା ବେଳେ ଲୋକେ ଆକ୍ରମଣକାରୀ ଗୋଷ୍ଠୀଙ୍କୁ ଜବାବ ଦେଇଥିଲେ। ପରିସ୍ଥିତି ଭୟଙ୍କର ହୋଇଥିଲା ଓ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଟେକାପଥର ମାଡ଼ କରିଥିଲେ। ତେବେ ପୋଲିସ ତୁରନ୍ତ ପରିସ୍ଥିତିକୁ ଆୟତ୍ତ କରିଥିବା ବେଳେ ଘଟଣାସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି। ଏଣୁ ସହରରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି।